ବୈପାରିଗୁଡା,(ସତ୍ୟ ନାରାୟଣ ସାହୁଙ୍କଠାରୁ): ବଦଳିପାରେ ବୈପାରିଗୁଡା ବ୍ଲକରେ ରାଜନୈତିକ ସମୀକରଣ । ଯାହାର ଅନେକ ଆଭାସ ଏବେଠୁ ମିଳୁଛି । କୋରାପୁଟର ପୂର୍ବତନ ବିଧାୟକ ପ୍ରାର୍ଥୀ ରଘୁରାମ ମାଛଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକରେ ଆଜି ସାମିଲ ହୋଇଥିଲେ ବ୍ଲକ ବିଜେଡି ସମେତ ବିଭିନ୍ନ ଦଳର ବହୁ ଅସନ୍ତୁଷ୍ଟ ଛାମୁଆ ନେତା ।
ବୈଠକର ଆଲୋଚନା ସମ୍ପର୍କରେ ଜାଣିବା ପାଇଁ ଆମେ ପଚାରିଥିଲୁ ରଘୁରାମଙ୍କୁ । ସିଧାସିଧା ଉତ୍ତର ରଖିଥିଲେ ସେ । କହିଲେ, ଆଗାମୀ ଦିନରେ ବିଭିନ୍ନ ଦଳର ପୁରୁଖା ତଥା ଆଗଧାଡିର ନେତାଙ୍କୁ ନେଇ ଗଠିତ ହେବାକୁ ଯାଉଛି ବୈପାରିଗୁଡା ବିକାଶ ମଞ୍ଚ । ଏହି ମଞ୍ଚ ସହ ସାମିଲ ହେବାକୁ ଥିବା ବିଭିନ୍ନ ଦଳର ଟାଣୁଆ ନେତାଙ୍କ ନାମ ଖୁବଶୀଘ୍ର ଘୋଷଣା କରାଯିବ । ବିଜୁ ଜନତା ଦଳର ଜିଲ୍ଲାସ୍ତରୀୟ ନେତୃତ୍ୱ ଉପରେ ଦିନକୁ ଦିନ ବ୍ଳକସ୍ତରୀୟ କର୍ମୀଙ୍କର ଆସ୍ଥା ତୁଟିବାରେ ଲାଗିଛି । ସେମାନେ ଆଗାମୀ ଦିନରେ ଏହି ବିକାଶ ମଞ୍ଚ ସହ ଯୋଡି ହେବାକୁ ଚାହୁଁଛନ୍ତି । କେବଳ ବିଜେଡି ନୁହେଁ, ଅନ୍ୟ ଦଳର ବହୁ ଛାମୁଆ ନେତା ବି ଏଥିରେ ସାମିଲ ହେବାକୁ ଆଗ୍ରହୀ ଅଛନ୍ତି । ବିକାଶ ମଞ୍ଚ ଗଠନ ହେବା ପରେ ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ଜୋର୍ ଦେବ । ପ୍ରତି ପଞ୍ଚାୟତରେ ମଞ୍ଚ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ସେ କହିଛନ୍ତି ।
ସୂଚନାଥାଉକି, ଗତମାସ ୧୨ ତାରିଖରେ ବିଜେଡି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଦଳର ପୂର୍ବତନ ବ୍ଲକ ସଭାପତି, ବିଧାୟକ ପ୍ରତିନିଧି ତଥା ବରିଷ୍ଠ କର୍ମୀ ମନୋଜ କୁମାର ମହାପାତ୍ର ଓରଫ ମୁନା । ତାଙ୍କ ଇସ୍ତଫାର ୩ ଦିନ ପରେ ଅର୍ଥାତ ଗତ ୧୬ ତାରିଖରେ ବ୍ଲକ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଦଳର ୧୨ ଜଣ ବରିଷ୍ଠ କର୍ମୀ । ସେମାନଙ୍କ ମଧ୍ୟରେ ଥିଲେ ବୈପାରିଗୁଡା ସରପଞ୍ଚ ଭାଗୀରଥି ମୂର୍ଜିଆ, ଚନ୍ଦ୍ରପଡା ସରପଞ୍ଚ ଅଭି ନାୟକ, ଚନ୍ଦ୍ରପଡାର ପୂର୍ବତନ ସରପଞ୍ଚ ଭକ୍ତରାମ ନାୟକ, ବରିଷ୍ଠ କର୍ମୀ ବିରଞ୍ଚି ନାରାୟଣ ପାତ୍ର, ବ୍ଲକ ଉପସଭାପତି କାହ୍ନୁଶଙ୍କର ତ୍ରିପାଠୀ, ଚନ୍ଦ୍ରପଡା ପଞ୍ଚାୟତ ସଭାପତି ବୈଦ୍ୟନାଥ ବୋଦା, ପୂଜାରୀଗୁଡା ପଞ୍ଚାୟତର ସଭାପତି ଜି. ନରେନ୍ଦ୍ର ରାଓ, ବୋଦାପୁଟର ପୂୂର୍ବତନ ସରପଞ୍ଚ ନାରାୟଣ କଦମଗୁଡିଆ, ବ୍ଲକ ଡମ୍ବ ସମାଜ ସଭାପତି ତଥା ଦଳର ଆଗଧାଡିର କର୍ମୀ ଲୋକନାଥ ଖରା, ରାମକୃଷ୍ଣ ପାଢି, ବୋଦାପୁଟ ପଞ୍ଚାୟତର ଯୁବ ବିଜେଡି ସଭାପତି ରଂଜିତ କୁମାର ଶତପଥୀ ଓ ଲକ୍ଷ୍ମଣ ନାଗେଶ୍ୱରୀ ପ୍ରମୁଖ । ବିଜେଡିର ରାଜ୍ୟସ୍ତରୀୟ ନେତାମାନେ ଏଥିପ୍ରତି ଧ୍ୟାନ ନଦେଲେ ବ୍ଲକରେ ରାଜନୈତିକ ସମୀକରଣ ବଦଳିବା ସହ ବିଜେଡିର ସଜଡା ଘର ଉଜୁଡ଼ିଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ରାଜନୈତିକ ସମୀକ୍ଷକମାନେ ।
Comments are closed, but trackbacks and pingbacks are open.