ରଣପୁର,(ବି.ବି.ନୁ୍ୟଜ): ନୟାଗଡ଼ ଜିଲ୍ଲା ରଣପୁରରୁ ଜବତ ହୋଇଛି ୨୬ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର(ଧଳାଜହର) । କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ୍ ଫୋର୍ସ (ଏସ୍ଟିଏଫ୍) ରଣପୁର-ସୁନାଖଳା ରାସ୍ତାରେ ଚଢ଼ଉ କରି ଜଣେ ନିଶା ବେପାରୀକୁ ଗିରଫ କରିବା ସହ ତା’ ନିକଟରୁ ୨୬ ଲକ୍ଷର ବ୍ରାଉନ୍ସୁଗର ଓ ଏକ ବାଇକ୍ ଜବତ କରିଛି । ଗିରଫ ବେପାରୀଙ୍କ ନାମ ପ୍ରକାଶ ଚନ୍ଦ୍ର ବେହେରା । ଘର ରଣପୁର ଥାନା ଅନ୍ତର୍ଗତ ବାଉଁଶିଆ । ପ୍ରକାଶଙ୍କୁ ରଣପୁର ଥାନା ପୁଲିସ ଜିମା ଦିଆଯାଇଛି ।
ପ୍ରକାଶ ଖୋର୍ଦ୍ଧାର ନିଶା ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ାର ସହଯୋଗୀ ବୋଲି ଏସ୍ଟିଏଫ୍ କହିଛି । ତେଣୁ ଏବେ ବି ଜେଲ୍ରେ ଥାଇ ଛୋଟା ତା’ ନିଶା ସାମ୍ରାଜ୍ୟକୁ ଚଳାଇ ଆସୁଥିବା ସ୍ପଷ୍ଟ ହୋଇଛି । ବାଲେଶ୍ୱର ଜିଲ୍ଲା ପରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଧଳା ଜହରର ପେଣ୍ଠ ପାଲଟିଥିଲା । ଏବେ ଧଳା ଜହର କାରବାରର ନୂଆ ବଜାର ପାଲଟିଛି ନୟାଗଡ଼ । ଗତ ଗୁରୁବାର ମଧ୍ୟ ନୟାଗଡ଼ ଟାଉନ୍ ଥାନା ପୁଲିସ ୨ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯୦ ହଜାର ଟଙ୍କାର ବ୍ରାଉନ୍ସୁଗର ଜବତ କରିଥିଲା ।
ଏସ୍ଟିଏଫ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ ଛୋଟା ଗ୍ୟାଙ୍ଗ୍ର ଜଣେ ସଦସ୍ୟ । ପୂର୍ବରୁ ଖୋର୍ଦ୍ଧାରୁ ଧରା ପଡ଼ିଥିବା ନିଶା ମାଫିଆଙ୍କ ଠାରୁ ପ୍ରକାଶ ବିଷୟରେ ଏସ୍ଟିଏଫ୍ ସୂଚନା ପାଇଥିଲା । ପ୍ରକାଶ ଖୋର୍ଦ୍ଧାରୁ ବ୍ରାଉନ୍ସୁଗର ନେଇ ନୟାଗଡ଼ ଜିଲ୍ଲାରେ କାରବାରର କାୟା ବିସ୍ତାର କରିବାରେ ଲାଗିଥିଲା । ତେଣୁ ପ୍ରକାଶକୁ ଗିରଫ କରିବା ପାଇଁ ଏସ୍ଟିଏଫ୍ ବ୍ଲୁ୍ୟ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା । ଗତକାଲି ଅପରାହ୍ଣରେ ପ୍ରକାଶ ଖୋର୍ଦ୍ଧାରୁ ବ୍ରାଉନ୍ସୁଗର ନେଇ ନୟାଗଡ଼ ଯାଉଥିବା ଏସ୍ଟିଏଫ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ତେଣୁ ତାକୁ ଗିରଫ କରିବା ପାଇଁ ଏସ୍ଟିଏଫ୍ ରଣପୁର-ନୟାଗଡ଼ ରାସ୍ତାରେ ଛକି ରହିଥିଲେ । ପ୍ରକାଶ ରଣପୁର-ସୁନାଖଳା ରାସ୍ତା ଦେଇ ନୟାଗଡ଼କୁ ଯାଉଥିବା ବେଳେ ଏସ୍ଟିଏଫ୍ ଟିମ୍ ତାକୁ ଅଟକାଇଥିଲା । ହେଲେ ବାଇକ୍ ଛାଡ଼ି ପ୍ରକାଶ ଖସି ପଳାଉଥିଲା । ତାକୁ ଏସ୍ଟିଏଫ୍ ଟିମ୍ ଗୋଡ଼ାଇ ଗୋଡ଼ାଇ ମାଡ଼ି ବସିଥିଲେ । ପ୍ରକାଶର ବାଇକ୍ ଡିକି ଯାଞ୍ଚ କରିବା ବେଳେ ସେଥିରୁ ୨୬୦ ଗ୍ରାମ ବ୍ରାଉନ୍ସୁଗର ମିଳିଥିଲା । ଜବତ ବ୍ରାଉନ୍ସୁଗରର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଏସ୍ଟିଏଫ୍ ସୂଚନା ଦେଇଛି ।
ନିଶା ମାଫିଆ ଛୋଟା ଖୋର୍ଦ୍ଧା ସମେତ ଭୁବନେଶ୍ୱର ଓ ପୁରୀରେ ନିଶା ସାମ୍ରାଜ୍ୟ ବିସ୍ତାର କରିଥିଲା । ନିଶା କାରବାରରୁ ସେ କୁବେର ବନି ଯାଇଥିଲା । ପ୍ରାୟ ୧୦୦ ଜଣ ଯୁବକଙ୍କୁ ନିଯୁକ୍ତି ଦେଇ ସେ ଧଳା ଜହର କାରବାର ଚଳାଇ ଆସୁଥିଲା । ୨୦୧୯ ଜୁଲାଇ ପ୍ରଥମ ସପ୍ତାହରୁ ଏସ୍ଟିଏଫ୍ ଛୋଟାକୁ ଗିରଫ କରିବା ପାଇଁ ଚେଷ୍ଟା ଚଳାଇଥିଲା । ହେଲେ ଜୁଲାଇ ୯ ତାରିଖରେ ସେ ଏସ୍ଟିଏଫ୍ ଟିମ୍କୁ ଚକ୍ମା ଦେଇ ଖୋର୍ଦ୍ଧା ଏସ୍ଡିଜେଏମ୍ଙ୍କ କୋର୍ଟରେ ଆତ୍ମ ସମର୍ପଣ କରିଥିଲା । ସେବେଠାରୁ ଛୋଟା ଜେଲ୍ରେ ଅଛି । ଜେଲ୍ରେ ଥାଇ ବି ସେ ତା’ନେଟ୍ୱର୍କ ଚଳାଇ ଆସୁଛି ।
Comments are closed, but trackbacks and pingbacks are open.