ରତନେଇ ପାହାଡ଼ରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର : ହତ୍ୟା ସନେ୍ଦହ

Get real time updates directly on you device, subscribe now.

ସାନଖେମୁଣ୍ଡି, (ବି.ବି.ନୁ୍ୟଜ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଏସ୍.ଗୋପାଳପୁର ପଞ୍ଚାୟତର ରତନେଇ ଜଙ୍ଗଲରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ସୋମବାର ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନି । ତେବେ ପୁଲିସ ପ୍ରାଥମିକ ତଦନ୍ତରୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନେ୍ଦହ କରୁଛି ।
ଉକ୍ତ ଅଞ୍ଚଳରେ ଆଜକୁ ପ୍ରାୟ ୫ ଦିନ ହେବ ଦୁର୍ଗନ୍ଧ ହେଉଥିଲା । ସେହି ରାସ୍ତା ଦେଇ ଯାଉଥିବା ଲୋକେ ନିକଟସ୍ଥ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ସରପଞ୍ଚ ଏବଂ ଅନ୍ୟ ଯୁବକମାନେ ମିଶି ପାହାଡ଼ ଉପର ମନ୍ଦିରକୁ ଯାଉଥିବା ରାସ୍ତାରେ ଖୋଜାଖୋଜି କରିଥିଲେ । ସୋମବାର ଶରୀରର ପ୍ରାୟ ୮୦ ପ୍ରତିଶତ ନଷ୍ଟ ହୋଇଯାଇଥିବା ଏକ ମୃତ ଦେହ ଠାବ କରିଥିଲେ । ମହିଳା ଜଣଙ୍କର ପରିଚୟ ମିଳିପାରି ନଥିବା ବେଳେ ନୀଳ ରଙ୍ଗର ଲୁଗା, ହାତରେ ଚୁଡି ଥିଲା । ମୁଣ୍ଡରୁ ଶରୀର ଅଲଗା ହୋଇ ପଡିଥିଲା । ଏହା ଦେଖି ସରପଞ୍ଚ ପାଟପୁର ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ତନାଘନା କରିଥିଲେ । ସାଇଣ୍ଟିଫିକ୍ ଟିମ୍ ମୃତ ଶରୀରର ବିଭିନ୍ନ ଅଂଶ ଏକତ୍ରିତ କରିବା ସାଙ୍ଗକୁ ଆଖପାଖରେ ପଡିଥିବା ସାମଗ୍ରୀ ଜବତ କରିଛି । ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି କହିଛି ପୁଲିସ ।
ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବାକୁ ଥିବା ମା’ ରତନେଇ ପାହାଡ଼କୁ ନିକଟରେ ଜିଲ୍ଲାପାଳ ଗସ୍ତ କରିଥିଲେ । ସେଠାରେ ରାସ୍ତା ଓ ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ତେବେ ସୋମବାର ଗଳିତ ଶବ ଠାବ ହେବା ଘଟଣାରେ ପୁଲିସର ମୁଣ୍ଡବ୍ୟଥା ବଢିଯାଇଛି । ଏ ନେଇ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ କହିଛନ୍ତି ଯେ- ସାଇଣ୍ଟିଫିକ ଟିମ୍ ପଠାଯାଇଛି । ସେମାନେ ଯାହା ତଦନ୍ତ କରିବେ ସେଥିରୁ କିଛି ସୁରାକ ମିଳିବା ଆଶା କରାଯାଉଛି । ମହିଳାଙ୍କୁ କେହି ହତ୍ୟା କରି ସେଠାରେ ଫୋଫାଡ଼ି ଦେଇଥିବା ସନେ୍ଦହ ବ୍ୟକ୍ତ କରିଛନ୍ତି ଏସ୍ପି । ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ- ଏହା ଆମ ଅଞ୍ଚଳରେ ଏଭଳି ପ୍ରଥମ ଘଟଣା । ମହିଳାଙ୍କୁ ହତ୍ୟା କରି ଏସିଡ୍ ପକାଇ ପରିଚୟ ଲୁଚାଇବାକୁ ଶରୀରକୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons