ରଥକାଠ ଚିରଟ ଅନୁକୂଳ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ):ମହାପ୍ରଭୁଙ୍କ ଘୋଷଯାତ୍ରାର ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ ରଥ ଅକ୍ଷୟ ତୃତୀୟ ତିଥିରେ ନିର୍ମାଣ ଅନୁକୂଳ ହେବ । ଏହାପୂର୍ବରୁ ଶ୍ରୀମନ୍ଦିର ପରମ୍ପରା ମୁତାବକ ଶ୍ରୀରାମ ନବମୀ ତିଥିରେ ରଥକାଠ ଚିରଟ ଅନୁକୂଳ ହୋଇଛି । କଟକ ଖପୁରିଆସ୍ଥିତ ସରକାରୀ କଳରେ ଯଥା ବିଧି ଏହି ନୀତି ସମ୍ପନ୍ନ ହୋଇଛି । ବୁଧବାର ଅପରାହ୍ନରେ ଠାକୁରଙ୍କ ମାଳ,ମାହାର୍ଦ୍ଧ,ପତନୀ, ଶ୍ରୀଫଳ, ଦୀପ ଓ ଧୂପ ନେଇ ଏକ ପ୍ରତିନିଧି ଦଳ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବାହାରି କଟକ କରତକଳରେ ପହଞ୍ଚିଥିଲେ ।
ଅପରାହ୍ନ ୧ଟା ୪୦ ମିନିଟରେ ଶ୍ରୀମନ୍ଦିରର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିÂ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଧାର ରବି ଭୋଇ ପ୍ରମୁଖ କରତକଳକୁ ଯାଇଥିଲେ । ଆଜି ଅପରାହ୍ନ ସାଢେ଼ ୪ଟା ବେଳେ ତିନି ରଥ ପାଇଁ ୩ଖଣ୍ଡ ଧଉରା କାଠ ଚିରଟ ଆରମ୍ଭ ହୋଇଥିଲା ।ଏହି ଶୁଭକାର୍ଯ୍ୟରେ ସହଯୋଗ କରିଥିଲେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି । କରତ କଳ କର୍ମଚାରୀମାନେ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ । ଚିରଟ ଅନୁକୂଳର ସାଇଜ କାଠ ରଥ ଚକ ପ୍ରସ୍ତୁତିରେ ଅର ଭାବେ ବ୍ୟବହାର ହେବ । କାଠ ମାପ ଅନୁସାରେ ଚିରା ସରି ବଡ଼ଦାଣ୍ଡ ରଥଖଳାରେ ପହଞ୍ଚିବ । ଚଳିତ ବର୍ଷ ରଥନିର୍ମାଣ ପାଇଁ ମୋଟ ୪୯୦ ଖଣ୍ଡ କାଠ କରତକଳରେ ପହଞ୍ଚିବା କଥା । ଆଜିସୁଦ୍ଧା ୧୮୫ ଖଣ୍ଡ କାଠ ପହଞ୍ଚିଛି ।
ସ୍ମରଣୀୟ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବ । ନୃସିଂହ ଚତୁର୍ଦ୍ଧଶୀ ତଥା ନୃସିଂହ ଜନ୍ମରେ ରଥ ତ୍ରୟର ଗୁଜ ଅନୁକୂଳ କରାଯିବ । ମହାପ୍ରଭୁଙ୍କ ଚନ୍ଦନଯାତ ଭଉଁରୀ ଦିନ ରଥତ୍ରୟଙ୍କର ୬ଟି ଚକ ଓ ୩ଟି ଅଖ ନିର୍ମାଣ ସରି ଡେରାଯିବ । ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଦିନ ରଥତ୍ରୟର ଚାରିନାହାକା ଉଠିବ । ନିର୍ମାଣ ସରିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବଦିନ ତିନି ରଥ ସିଂହଦ୍ୱାରଠାରେ ବିଜେ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons