ପୁରୀ,(ବି.ବି.ବୁ୍ୟରୋ): ଯୁଗ ଯୁଗ ଧରି ଚାଲିଆସୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତିରେ ଚଳିତ ବର୍ଷ ପ୍ରତିବନ୍ଧକ ସାଜିଛି କରୋନା ମହାମାରୀ । ସଂକ୍ରମଣ ଭୟ ଯୋଗୁ ଲକ୍ଡାଉନ୍ ଓ ସାମାଜିକ ଦୂରତା ପାଳନ ପାଇଁ କେନ୍ଦ୍ର ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି । ଏଥିପାଇଁ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ବଡ଼ଦାଣ୍ଡ ରଥଖଳାରେ ହେବନାହିଁ । ଚଳିତ ବର୍ଷ ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟା ବିଧି ସହ ରଥ ନିର୍ମାଣ ଅନୁକୂଳ କରାଯିବ । ଏଥିସହ ବଡ଼ଦେଉଳ ଭିତରେ ଚନ୍ଦନଯାତ୍ରା ମଧ୍ୟ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଦିବ୍ୟସିଂହ ଦେବ କହିଛନ୍ତି । ମଇ ୩ ତାରିଖ ପରେ ଲକ୍ଡାଉନ୍ ଉଠିବା ପରେ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ । ବର୍ତ୍ତମାନ କରୋନା ଜନିତ କଟକଣା ଯୋଗୁ ଶ୍ରୀମନ୍ଦିରର କୌଣସି ରୀତିନୀତି ମନ୍ଦିର ବାହାରେ ହେବନାହିଁ । କିନ୍ତୁ ଶ୍ରୀମନ୍ଦିର ନୀତି ଅକ୍ଷୁର୍ଣ୍ଣ ରହିବ । ବିଧି ମତେ ସବୁ ନୀତି ପାଳନ କରାଯିବ । ଶ୍ରୀମନ୍ଦିର ଭିତରେ କିପରି ଅକ୍ଷୟ ତୃତୀୟା ନୀତି, ରଥ ନିର୍ମାଣ ଅନୁକୂଳ ଓ ଚନ୍ଦନଯାତ୍ରା ହେବ ସେ ସମ୍ପର୍କରେ ଆସନ୍ତା କାଲି ସମ୍ପୃକ୍ତ ସେବାୟତଙ୍କ ସହ ଜିଲ୍ଲାପାଳଙ୍କ ବୈଠକ ବସିବ । ବୈଠକରେ ବ୍ୟବସ୍ଥାବଳୀ ସ୍ଥିର କରାଯିବ ବୋଲି ଗଜପତି କହିଛନ୍ତି ।ରଥ ନିର୍ମାଣ ଅନୁକୂଳ ପାଇଁ ଧଉରା କାଠ ଶ୍ରୀମନ୍ଦିର ଭିତରକୁ ଯିବ । ଆଜ୍ଞାମାଳ ଆଉ ବିଜେ କରାଯିବ ନାହିଁ କିମ୍ବା ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର କରାଯିବ ନାହିଁ ବୋଲି ଗଜପତି ସୂଚନା ଦେଇଛନ୍ତି ।କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ଗାଇଡ୍ଲାଇନ୍ ଜାରି କରିଛନ୍ତି ତାହାକୁ ସମସ୍ତେ ମାନିବାକୁ ବାଧ୍ୟ । ଏହାକୁ କେହି କୋହଳ କରିପାରିବେ ନାହିଁ । କିନ୍ତୁ କଟକଣା ମଧ୍ୟରେ ଶ୍ରୀମନ୍ଦିରର ପରମ୍ପରା ରକ୍ଷା କରିବାକୁ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପରାମର୍ଶ ଦେଇଥିବା ଗଜପତି ପ୍ରକାଶ କରିଛନ୍ତି ।
ଗଜପତି କହିଛନ୍ତି ଯେ, କରୋନା ପାଇଁ ଗୁରୁଜୀଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ଧାର୍ମିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ବା ରେକର୍ଡ ଅଫ୍ ରାଇଟ୍ ଅନୁଯାୟୀ ଗୁରୁଜୀଙ୍କ ପରାମର୍ଶ କ୍ରମେ ସେବାୟତ ଓ ଅଧିକାରୀମାନେ କାର୍ଯ୍ୟ କରିବେ । ଗୁରୁଜୀ କହିଛନ୍ତି ଯେ, ଶ୍ରୀମନ୍ଦିର ବିଧି ପାଳିତ ହେଉ । ମଇ ୩ ତାରିଖ ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ।
କରୋନା ଭୂତାଣୁ ସାରା ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ସେଥିପାଇଁ ଭକ୍ତମାନଙ୍କ ସୁରକ୍ଷା ନିମନ୍ତେ ଓ ଦେବନୀତିକୁ ବ୍ୟାହତ ନ କରି କିପରି କାର୍ଯ୍ୟ କରାଯିବ ସେ ନେଇ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି ।
ଏ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆଜି ସକାଳେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ଭିଡିଓ କନ୍ଫରେନ୍ସିଂରେ ଅନୁଷ୍ଠିତ ହୋଇଥିଲା । ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ, ଏସ୍ପି ଉମାଶଙ୍କର ଦାସ, ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା, ରାମଚନ୍ଦ୍ର ଦାସମହାପାତ୍ର, ବାବା ସଚ୍ଚିଦାନନ୍ଦ ଦାସମହାପାତ୍ର, ମାଧବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱରରେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ କ୍ର୍ରିଷନ୍ କୁମାର ଯୋଗ ଦେଇଥିଲେ । ବୈଠକରେ ଗଜପତି ଅଧ୍ୟକ୍ଷତା କରିଥିଲେ । ବୈଠକ ପରେ ଗଜପତି ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଡାଉନ ଗାଇଡଲାଇନ୍ ଅନୁସାରେ ଧାର୍ମିକ କାର୍ଯ୍ୟ ପାଇଁ ଅନୁମତି ନାହିଁ । ତେଣୁ ମହାପ୍ରଭୁଙ୍କ ରଥଯାତ୍ରା ନେଇ ମନ୍ଦିର ବାହାରେ କୌଣସି ପରମ୍ପରା ପାଳନ କରାଯାଇପାରିବ ନାହିଁ । ରଥ ନିର୍ମାଣ ନେଇ ବିକଳ୍ପ ବ୍ୟବସ୍ଥା ନେଇ ଶଙ୍କରାଚାର୍ଯ୍ୟ ହିଁ ମାର୍ଗଦର୍ଶନ କରିବେ । ପରିଚାଳନା କମିଟି ଏ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଦିଗ୍ଦର୍ଶନ ନେବ ବୋଲି ଗଜପତି କହିଥିଲେ ।
ସେହି ଅନୁଯାୟୀ ରାତି ୭ଟା୨୦ରେ ଗୋବର୍ଦ୍ଧନ ପୀଠରେ ବୈଠକ ବସିଥିଲା । ବୈଠକରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ, ଏସ୍ପି ଉମାଶଙ୍କର ଦାସଙ୍କ ସହ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । ରାତି ୯ଟା ୫୫ରେ ବୈଠକ ଶେଷ ହୋଇଥିଲା । ବୈଠକ ଶେଷ ପରେ ପ୍ରଥମେ ଗଜପତି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ଏହାପରେ ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ଓ ଏସ୍ପି ବୈଠକରେ ହୋଇଥିବା ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ।
Comments are closed, but trackbacks and pingbacks are open.