ପୁରୀ,(ବିବି.ବ୍ୟୁରୋ): ଗୁରୁବାର ରଥଯାତ୍ରା ସଂପର୍କିତ ତୃତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭକ୍ତ ନିବାସଠାରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଆଇନମନ୍ତ୍ରୀ ପ୍ରତାପ ଜେନା । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ ସାମଲ ବୈଠକ ପରିଚାଳନା କରିଥିଲେ । ବୈଠକରେ ରଥକାଠ ଯୋଗାଣ, ରଥ ନିର୍ମାଣ, ଯାତ୍ରା ଉପଲକ୍ଷେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପରିବହନ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି ଆଦି ରଥଯାତ୍ରା ପାଇଁ ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି କାର୍ଯ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଆଇନମନ୍ତ୍ରୀ ଶ୍ରୀ ଜେନା ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ କହିଥିଲେ ଯେ, କେବଳ ପୁରୀ ନୁହେଁ ରଥଯାତ୍ରା ପ୍ରତି ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟି ନିବଦ୍ଧ ଥାଏ । ଶ୍ରୀମନ୍ଦିର ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ ସୂଚନା ଦେଇଥିଲେ ଯେ, ଜୁନ୍ ୧୫ ତାରିଖରେ ଦଇତାପତି ପ୍ରବେଶ କରିବେ । ୧୬ ତାରିଖରେ ସେନାପଟା ଲାଗି , ୧୭ ତାରିଖରେ ସ୍ନାନପୂର୍ଣ୍ଣମୀ, ୩୦ ତାରିଖରେ ରାଜ ପ୍ରସାଦ ବିଜେ, ଜୁଲାଇ ୨ ତାରିଖରେ ନେତ୍ରୋତ୍ସବ, ୪ ତାରିଖରେ ରଥଯାତ୍ରା, ୮ ତାରିଖରେ ହେରା ପଞ୍ଚମୀ, ୧୨ ତାରିଖରେ ବାହୁଡା ଯାତ୍ରା, ୧୩ ତାରିଖରେ ସୁନାବେଶ, ୧୪ ତାରିଖରେ ଅଧରପଣା ଓ ୧୫ ତାରିଖରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ । ଇତିମଧ୍ୟରେ ୩ ରଥର ୪୨ ଟି ଯାକ ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସ୍ନାନପୂର୍ଣ୍ଣମୀ ଅବସରରେ ଚାରି ନାହାକା ଉଠିବ । ରାଜ୍ୟ ସମବାୟ କତାଶିଳ୍ପ ନିଗମ ୧୨ଟି ରଥଟଣା ଦଉଡି ଓ ୩ଟି ଘେର ଦଉଡି ଯୋଗାଇ ଦେଇଛି । ଆବଶ୍ୟକୀୟ ଝୁଣା ଓ ଚନ୍ଦନ କାଠ ମହଜୁଦ ରହିଛି ଏବଂ ଲାଗି ଲୁଗା ଦାନ ସୂତ୍ରରେ ଆସିବ । ବୈଠକରେ ରଥ ପାଇଁ ଫାଶିକାଠ ଯୋଗାଣକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଫାଶିକାଠ ଅଭାବ ପଡ଼ୁଥିବାରୁ ରଥ ନିର୍ମାଣ ପାଇଁ ଦାନ ସୂତ୍ରରେ ଫାଶିକାଠ ସଂଗ୍ରହ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲଶ । ୨୫୦୦ ହେକ୍ଟର ପରିମିତ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ଫାଶିକାଠ ନଥିବା ବେଳେ ଯେଉଁମାନେ ଦାନସୂତ୍ରରେ ଏହି କାଠ ଯୋଗାଇ ଦେଉଛନ୍ତି ସେମାନଙ୍କୁ ଚାରା ଯୋଗାଇ ଦିଆଯାଉ ନାହିଁ ବୋଲି କେତେକ ସଭ୍ୟ ଅଭିଯୋଗ କରିଥିଲେ । ଜଗନ୍ନାଥ ବନ ପ୍ରକଳ୍ପରେ ଲଗାଯାଇଥିବା ଫାଶିଗଛ ବଢ଼ୁ ନାହିଁ ବୋଲି ଅଭିଯୋଗ ହୋଇଥିଲଶ । ଏହା ଉତ୍ତର ଦେଇ ମୁଖ୍ୟ ବନ ସଂରକ୍ଷକ ଫାଶିକାଠ ପର୍ଯ୍ୟାପ୍ତ ପରିମାଣ ଅଛି ଏବଂ ଆଗାମୀ ଦିନରେ ରଥ ପାଇଁ କାଠର ଅଭାବ ରହିବ ନାହିଁ ବୋଲି ସଫେଇ ଦେଇଥିଲେ । ତଥାପି ବୈଠକରେ ଫାଶିଗଛ ଅଭାବକୁ ନେଇ ପ୍ରକଳ୍ପ ପାଟିତୁଣ୍ଡ ହୋଇଥିଲା । ଏଥିରେ ହସ୍ତକ୍ଷେପ କରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଜଗନ୍ନାଥ ବନ ପ୍ରକଳ୍ପରେ କେତେ ସଂଖ୍ୟକ ଫାଶିଗଛ ରହିଛି ତାହାର ଗଣନା କରିବା ଏବଂ ଜଙ୍ଗଲରେ ସରକାରୀ ଓ ବେସରକାରୀ ଭାବେ କେତେ ଗଛ ରହିଛି ତାହାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
Comments are closed, but trackbacks and pingbacks are open.