ରଥରେ ଅଧରପଣା

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ରବିବାର ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ ଠାକୁରଙ୍କୁ ଅଧରପଣା ଭୋଗ ଲାଗିଛି । ଦିଅଁମାନଙ୍କ ଅଧର ଉଚ୍ଚା ତୁମ୍ୱ ଆକୃତି ୯ଟି ମାଟି ହାଣ୍ଡିରେ ପଣା ପ୍ରସ୍ତୁତ କରାଯାଇ ଅର୍ପଣ ହୋଇଥିଲା । ଏହାପରେ ରଥ ଉପରେ ହାଣ୍ଡିଗୁଡ଼ିକ ଭଙ୍ଗାଯାଇଥିଲା । ଏହାକୁ “ଅଧର ହାଣ୍ଡି-ଭଙ୍ଗା’ ନୀତି କୁହାଯାଏ । ରଥର ପାଶ୍ୱର୍ଦେବତା ଓ ଅନ୍ୟାନ୍ୟ ଦେବଦେବୀ ତଥା ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧରହାଣ୍ଡିଗୁଡିକୁ ଭଙ୍ଗା ଯାଇଥାଏ । ଠାକୁରଙ୍କୁ ଭୋଗ କରାଯାଇଥିବା ପଣା ପାଇଲେ ଏମାନେ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ସିଂହଦ୍ୱାରଠାରେ ହଜାର ହଜାର ଭକ୍ତ ଠାକୁରଙ୍କର ଏହି ନୀତି ଦେଖିବା ସହ ପଣା ପାଇବାକୁ ଭିଡ଼ କରିଥିଲେ । ଅଧର ନୀତି ହେବାବେଳକୁ ରାତି ପ୍ରାୟ ୯ଟା ହୋଇଥିଲା ।
ଏହି ଅବସରରେ ରଥ ଉପରେ ଠାକୁରମାନଙ୍କର ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା । ଆଜି ସକାଳେ ତିନି ରଥରେ ମଙ୍ଗଳ ଆଳତି ହେବା ପରେ ଅବକାଶ ହୋଇ ବେଶ ଶେଷ ହୋଇଥିଲା । ଗୋପାଳବଲ୍ଲଭ ନୀତି ବଢି ସକାଳଧୂପ ହୋଇଥିଲା । ପରେ ବେଶ ମଇଲମ ହୋଇ ମହାସ୍ନାନ ଓ ସର୍ବାଙ୍ଗ ବଢ଼ିଥିଲା । ମଧ୍ୟାହ୍ନ ଧୂପ ପରେ ଅଧର ପଣା ପାଇଁ ପ୍ରସ୍ତୁତି ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ତରଫରୁ ଯୋଗାଯାଇଥିବା ୯ଟି ମାଟି ହାଣ୍ଡିକୁ ରଥ ଉପରକୁ ଅଣାଯାଇଥିଲା । ଛାଚି, ସର, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, କର୍ପୂର ଓ ଜାଇଫଳ ପଡ଼ି ଏହି ପଣା ତିଆରି ହୋଇଥିଲା ।
ପାଣିଆ ଆପଟ ସେବକମାନେ ପାଣି ଆଣି ରଥ ଉପରେ ଥିବା ବଡ଼ ପିତ୍ତଳ ହଣ୍ଡାମାନଙ୍କରେ ରଖିଥିଲେ । ପରମ୍ପରା ମୁତାବକ ମାଟି ପାତ୍ର ଉପରେ ଧଳା କରିଆ ଗାମୁଛାମାନ ରଖି ମହାସୁଆର ସେବକମାନେ ପଣା ପ୍ରସ୍ତୁତ କରିଥିଲେ । ଭିତରଛ, ତଳୁଛ ଓ ପୁଷ୍ପାଳକ ସେବକମାନେ ଠାକୁରଙ୍କ ଅଧର ଆଗରେ ନୂଆ ଗାମୁଛା ଟେରା (ଆଢୁଆଳ) କରି ରଖିଥିଲେ । ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପାଳିଆ ସେବକମାନେ ତିନି ରଥ ଉପରେ ପୂଜା ଠା’ କରିଥିଲେ । ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ଠାକୁରମାନଙ୍କୁ ପୂଜା କରିଥିଲେ । ଏହାପରେ ଯଥାବିଧି ହାଣ୍ଡିଗୁଡିକୁ ଭଙ୍ଗା ଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons