ପୁରୀ,(ବି.ବି.ନୁ୍ୟଜ୍): ବେଶ୍ ଦୁ୍ରତ ଗତିରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ସୋମବାର ୧୦ଟି ତୁମ୍ବରେ ବିନ୍ଧ ଖୋଳା ସରିଛି । ୬ଟି ଚକର ଅର ସାଲ ହୋଇ ଭୁଞ୍ଜା ଯିବାକୁ ପ୍ରସ୍ତୁତ ରହିଛି । ତିନି ରଥର ୪୨ଚକର ତୁମ୍ବରେ ସୂତାବାଡ଼ିଆ ଶେଷ ହୋଇଛି । ପ୍ରତି ରଥର ନାହାକା ଅଖ କାମ ସମ୍ପନ୍ନ ହୋଇଛି । ଯନ୍ତାପଟା ଓ କୋରାମୁଣ୍ଡା ତିଆରି ହେଉଛି । ଯନ୍ତାଗାଡ଼ରେ ସିଙ୍ଗଡ଼ାବାଡ଼ିଆ ପଦ୍ଧତିରେ ଅରକୁ ତୁମ୍ବରେ ଫିଟ୍ କରାଯିବ । ପ୍ରାରମ୍ଭରେ ପ୍ରଶାସନ ପକ୍ଷରୁ ୧୪୩ ନିର୍ମାଣକାରୀଙ୍କ ଥର୍ମାଲ ଟେଷ୍ଟିଂ ପରେ କାମ ଆରମ୍ଭ ହୋଇଥିଲା ।
ମହାପ୍ରଭୁଙ୍କ ପାଇଁ ରଥଖଳା ଓ ଦୋଳବେଦି ପରିସର କର୍ମମୁଖର । ନିର୍ମାଣକାରୀଙ୍କ ନଜରରେ ରହିଛି ଭଉଁରୀ ଯାତ୍ରା । ରଥ ପରମ୍ପରା ଅନୁସାରେ ଏହି ପବିତ୍ର ତିଥିରେ ପ୍ରତି ରଥର ଗୋଟିଏ ଲେଖାଏଁ ଅଖରେ ୨ଚକ ସଂଯୁକ୍ତ ହୋଇ ଚକ ଡେ଼ରା ବିଧି ସମ୍ପନ୍ନ ହୋଇଥାଏ । ଏଣୁ ଆଜି ଅଖ ତିନୋଟିର କାର୍ଯ୍ୟ ଶେଷ ହୋଇଛି । ଏହାକୁ କୁହନ୍ତି ନାହାକା ଅଖ ।
ଦୋଳବେଦି କମାର ଶାଳରେ ପଡ଼ିଛି ପନ୍ଦାରୀ, ବଳା ଓ ପନ୍ଦାରୀ ଚାବି । ଅରକଣ୍ଟା ତିଆରି ଜାରି ରହିଛି । ଭୋଇ ସେବକମାନେ ଚର୍ଚ୍ଚିକା ଠାକୁରାଣୀ ମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଯନ୍ତାଗାଡ଼ ତିଆରୁଛନ୍ତି । ବିନ୍ଧ ଖୋଳିବା ମେସିନ୍ ମଧ୍ୟ ସଜଡ଼ା ଯାଇଛି । ରଥଖଳାରେ ଆଜି ଅର ସାଲ ହୋଇ ରହିଛି । ପ୍ରତି ଚକରେ ୧୬ଟି ଅର ଲାଗିବ । ସିଙ୍ଗଡ଼ା ବାଡ଼ିଆ ହୋଇ ଆସିଲେ ପହି ଲାଗି ଚକ ପ୍ରସ୍ତୁତ ହେବ ।
ଗତକାଲି ଠାରୁ ନିର୍ମାଣକାରୀମାନେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଚଳ ଭକ୍ତ ନିବାସ ଓ ନୀଳାଦି୍ର ଭକ୍ତ ନିବାସରେ ସଙ୍ଗରୋଧ କଟକଣାରେ ରହିଥିଲେ । ସେମାନଙ୍କ ରହଣି ସମେତ ଖାଦ୍ୟର ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସାନିଟାଇଜର ସହ ମାସ୍କ ବଣ୍ଟନ କରାଯାଇଛି । ଘରୁ ଦୂରରେ ରହି ନିର୍ମାଣକାରୀମାନେ ବେଶ୍ ନିÂାର ସହ ଠାକୁରଙ୍କ କାମରେ ଲାଗିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି । ତେବେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ମହାପ୍ରଭୁଙ୍କ କାମ କଲାବେଳେ ଶରୀରରେ ଅଫୁରନ୍ତ ଶକ୍ତି ଜାତ ହେଉଥିବା ନିର୍ମାଣକାରୀମାନେ କହିଛନ୍ତି ।
Comments are closed, but trackbacks and pingbacks are open.