ରବିବାର କଟକରେ ଫାଇନାଲ୍,ୱେଷ୍ଟଇଣ୍ଡିଜ ୧୦୭ ରନ୍ରେ ହାରିଲା

Get real time updates directly on you device, subscribe now.

ବିଶାଖାପଟନମ: ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ରେକର୍ଡ ଭାଗିଦାରୀ ସାଙ୍ଗକୁ ଦୁଲଦୀପ ଯାଦବଙ୍କ ହ୍ୟାଟ୍ରିକ୍ ୱିକେଟ୍ ସହାୟତାରେ ଭାରତ ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୧୦୭ ରନ୍ରେ ପରାସ୍ତ କରିଛି । ଆସନ୍ତା ରବିବାର କଟକରେ ଖେଳାଯିବ ସିରିଜର ଅନ୍ତିମ ଦିନିକିଆ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ ବାରବାଟୀ ଦିନିକିଆ ହେବ ସିରିଜର ଫାଇନାଲ ମ୍ୟାଚ୍ ।
ଆଜି ଚୌକା ଓ ଛକା ବର୍ଷା କରି ରୋହିତ-ରାହୁଲ ଯୋଡ଼ି ଭାଙ୍ଗିଥିଲେ ୧୭ ବର୍ଷର ପୁରୁଣା ରେକର୍ଡ । ଭ୍ରମଣକାରୀ ବୋଲରଙ୍କୁ ଉଭୟ ନିର୍ଧୂମ ପ୍ରହାର କରିବା ସହ ଗଢ଼ିଥିଲେ ୨୨୭ ରନ୍ର ବିଶାଳ ଭାଗିଦାରୀ । ପ୍ରଥମେ ରୋହିତ ଓ ପରେ ରାହୁଲ ହାସଲ କରିଥିଲେ ଶତକ । ଶତକ ପୂରଣ କରିବା ପରେ ରୋହିତ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ୧୫୯ ରନ୍ର ଇନିଂସରେ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ୧୭ ଚୌକା ଓ ୫ଟି ବିଶାଳ ଛକା । ରୋହିତ ଓ ରାହୁଲଙ୍କ ଏହି ଦୃଢ଼ ଭାଗିଦାରୀ ଯୋଗୁ ଆଜି ଭାରତ ୫ ୱିକେଟ୍ ହରାଇ କରିଥିଲା ୩୮୭ ରନ୍ । ବିଶାଳ ଲକ୍ଷ୍ୟର ପିଛା କରି ୱେଷ୍ଟଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶେଷରେ ୪୩.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୦ ରନ୍ କରିପାରିଥିଲା ।
୨୦୦୨ରେ ରାଜକୋର୍ଟରେ ଖେଳାଯାଇଥିବା ଦିନିକିଆରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଓପନିଂ କରିଥିଲେ ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହ୍ୱାଗ । ଓପନିଂ ଯୋଡ଼ିଙ୍କ ମଧ୍ୟରେ ଗଢ଼ି ଉଠିଥିଲା ୧୯୬ ରନ୍ର ଭାଗିଦାରୀ । ଦୀର୍ଘ ୧୭ ବର୍ଷ ପରେ ପୁଣି ସେହି ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହି ରେକର୍ଡ ଭାଙ୍ଗିଛନ୍ତି ରୋହିତ-ରାହୁଲ ଯୋଡ଼ି ।
ଓପନିଂ ଯୋଡ଼ିରେ ୨୨୭ ରନ୍ର ଭାଗିଦାରୀ ଗଢ଼ି ଉଠିବା ପରେ ପ୍ରଥମ ୱିକେଟ୍ ଭାବେ ରାହୁଲ (୧୦୨ ରନ୍) ଆଉଟ୍ ହୋଇଥିଲେ । ସେ ୮ଟି ଚୌକା ଓ ୩ଟି ଛକା ମାରିଥିଲେ । ପରବର୍ତ୍ତୀ ସମୟରେ ଯୁବତାରକା ଶ୍ରେୟାଶ ଆୟର ଓ ରିଷଭ ପନ୍ତ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ଶ୍ରେୟାଶ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୫୩ ରନ୍ ଏବଂ ପନ୍ତ ମାତ୍ର ୧୬ ବଲ୍ ସାମ୍ନା କରି ୩ଟି ଚୌକା ଓ ୪ଟି ଛକା ସହାୟତାରେ ୩୯ ରନ୍ ସଂଗ୍ରହ କରିଥିଲେ । ଏହିପରି ଭାରତ ଇନିଂସରେ ମୋଟ୍ ୧୬ଟି ଛକା ଏବଂ ୩୪ଟି ଚୌକା ଦେଖିବାକୁ ମିଳିଥିଲା ।
ଜବାବରେ ଆରମ୍ଭରୁ ୱେଷ୍ଟଇଣ୍ଡିଜ ଚାପର ବସବର୍ତ୍ତୀ ହୋଇ ମାତ୍ର ୧୦୦ ରନ୍ରେ ୩ଟି ୱିକେଟ୍ ହରାଇ ବସିଥିଲା । ପୁଣି ୨୯.୨ ଓଭରରୁ ପୁଣି ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ୩୩ତମ ଓଭରରେ କୁଲଦୀପ ଯାଦବ ଘାତକ ବୋଲିଂ କରି ହ୍ୟାଟ୍ରିକ୍ ୱିକେଟ୍ ହାସଲ କରିଥିଲେ । ଓଭରର ଶେଷ ୩ ବଲ୍ରେ ସାଇ ହୋପ, ଜାସନ ହୋଲ୍ଡର ଓ ଅଜଲାରି ଯୋଶେପଙ୍କୁ ସେ ଆଉଟ୍ କରିଥିଲେ । ମହମ୍ମଦ ସାମି ଓ କୁଲଦୀପ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ପାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons