ରମାଦେବୀରେ ଉଦ୍ଘାଟିତ ହେଲା ଦକ୍ଷତା ବିକାଶ କେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମା’ ରମାଦେବୀଙ୍କ ପୁଣ୍ୟତିଥି ଅବସରରେ ସୋମବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଦକ୍ଷତା ବିକାଶ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୯୦ ଲକ୍ଷ ଟଙ୍କାରେ ପ୍ରତିଷ୍ଠା କରାଯାଇଥିବା ଏହି କାର୍ଯ୍ୟକ୍ରମ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ସହ ମିଳିତ ଭାବେ ଚାଲିବ । ଚଳିତ ବର୍ଷ ୭ଟି ପାଠ୍ୟକ୍ରମରେ ୪୨୦ ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ମେଡିକାଲ୍ ଲ୍ୟାବ୍ ଟେକ୍ନୋଲୋଜି, ଡିଜିଟାଲ୍ ଇଲେକ୍ଟ୍ରୋନିକ୍, ୟୁନିଟ୍ ଗେମିଂ ଆଣ୍ଡ ଆନିମେଶନ, କମ୍ପ୍ୟୁଟର ଆକାଉଣ୍ଟାନ୍ସି, ରିଟେଲ୍ ଆଣ୍ଡ ହସ୍ପିଟାଲିଟି, ଫ୍ୟାଶନ ଡିଜାଇନିଂ, ହେରିଟେଜ୍ ଆଣ୍ଡ ଇକୋ-ଟୁରିଜିମ୍ ପାଠ୍ୟକ୍ରମରେ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ।
ଏହି ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ, ରମାଦେବୀ ବିଶ୍ୱବିଦ୍ୟାଳୟର ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ୟ ବିଶ୍ୱବିଦ୍ୟାଳୟକୁ ଦିଗଦର୍ଶନ ଯୋଗାଇବ । ବିଶ୍ୱବିଦ୍ୟାଳୟର ଉଭୟ ଶିକ୍ଷକ ଓ ଅଣଶିକ୍ଷକମାନେ ସେମାନଙ୍କ ଦକ୍ଷତା ବୃଦ୍ଧି କରି ଅଧିକରୁ ଅଧିକ ଛାତ୍ରୀଙ୍କୁ ଦକ୍ଷ କରିବା ଆବଶ୍ୟକ । ବର୍ତ୍ତମାନ ସମୟରେ ମାନବ ସମ୍ବଳ ବିକାଶ ଦକ୍ଷତା ବିନା ଚିନ୍ତା କରାଯାଇପାରିବ ନାହିଁ । ଦକ୍ଷତାର ଗୁଣାତ୍ମକ ବିକାଶ ଜରୁରି ବୋଲି ମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅନ୍ୟ ମହିଳା ମହାବିଦ୍ୟାଳୟକୁ ସମ୍ପ୍ରସାରିତ କରିବା ପାଇଁ ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର ଓଡ଼ିଶାର ଦକ୍ଷତା ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର କହିଲେ, ଛାତ୍ରୀମାନଙ୍କ ଦକ୍ଷତା ବିକାଶ ପାଇଁ ସର୍ବଦା ଚେଷ୍ଟା କରାଯାଉଛି । ଏହି ଦକ୍ଷତା କାର୍ଯ୍ୟକ୍ରମ ସେମାନଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ହେବ । କେବଳ ଛାତ୍ରୀ ନୁହନ୍ତି ବିଶ୍ୱବିଦ୍ୟାଳୟ ବାହାରର ଛାତ୍ରୀ ଓ ମହିଳାମାନେ ଏହି କାର୍ଯ୍ୟକ୍ରମର ସୁଯୋଗ ଭବିଷ୍ୟତରେ ନେଇପାରିବେ । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ସରିତା ସୂପକାର ଓ କୁଳସଚିବ ଇତିଶ୍ରୀ ଦାସ ଯୋଗଦେଇଥିଲେ । ସଂଯୋଜକ ରାଜକୁମାର ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟପକ୍ଷରେ ମା’ ରମାଦେବୀଙ୍କ ୩୪ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଆଜି ରମାଦେବୀ ସ୍ମାରକୀ ବକ୍ତୃତାମାଳା ଆରମ୍ଭ ହୋଇଛି । ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ରଜତ କୁମାର ରଥ ଯୋଗଦେଇ ବକ୍ତୃତା ପ୍ରଦାନ କରିଥିଲେ । କୁଳପତି ପଦ୍ମଜା ମିଶ୍ର, କୁଳସଚିବ ଇତିଶ୍ରୀ ଦାସ, ଡ. ସରିତା ସୂପକାର ବକ୍ତବ୍ୟ ପ୍ରଦାନ କରିଥିଲେ । ଲୋକସମ୍ପର୍କ ଅଧିକାରୀ ଡ. ମାନସ ବେହେରା ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons