ରାଜଦ୍ରୋହ ଅଭିଯୋଗରେ ଗିରଫ ସାଲେପୁର ଯୁବକ

Get real time updates directly on you device, subscribe now.

ସାଲେପୁର,(ବି.ବି.ନୁ୍ୟଜ୍): ରାଜଦ୍ରୋହ ଅଭିଯୋଗରେ ଗିରଫ ସାଲେପୁରର ଯୁବକ ସୟଦ ହସନ୍ ଅହମ୍ମଦକୁ ଆଜି ଉତ୍ତରପ୍ରଦେଶ ପୁଲିସ ୪ଦିନିଆ ଟ୍ରାନ୍ଜିଟ୍ ରିମାଣ୍ଡରେ ନେଇଛି । ପୁଲିସ୍ ପକ୍ଷରୁ ସୟଦକୁ ୫ଦିନିଆ ରିମାଣ୍ଡରେ ନେବାକୁ ସାଲେପୁର ଜୁଡିସିଆଲ୍ ମାଜିଷ୍ଟେ୍ରଟ୍ ଫାଷ୍ଟ କ୍ଲାସ୍ କୋର୍ଟ (ଜେଏମ୍ଏଫ୍ସି)ରେ ଆବେଦନ କରାଯାଇଥିଲା । କିନ୍ତୁ ଅଦାଲତ ୪ଦିନିଆ ରିମାଣ୍ଡ୍ରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ଶୁକ୍ରବାର ସକାଳେ ଅଭିଯୁକ୍ତ ସୟଦକୁ ୟୁପି ପୁଲିସ୍ ପକ୍ଷରୁ ଟ୍ରାନ୍ଜିଟ୍ ରିମାଣ୍ଡରେ ନେବାଲାଗି କଟକ ଚିଫ୍ ଜୁଡିସିଆଲ ମାଜିଷ୍ଟେ୍ରଟ୍ (ସିଜିଏମ୍)ଙ୍କ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ମାନ୍ୟବର ସିଜେଏମ୍ ଏହି ମାମଲାକୁ ସାଲେପୁର ଜୁଡିସିଆଲ୍ ମାଜିଷ୍ଟେ୍ରଟ୍ ଫାଷ୍ଟ କ୍ଲାସ୍ କୋର୍ଟ (ଜେଏମ୍ଏଫ୍ସି)କୁ ପଠାଇ ଦେଇଥିଲେ । ୟୁପି ପୁଲିସ ସଂପୃକ୍ତ ଯୁବକକୁ ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ହାଜର ପରେ ସେଠାରୁ ଟ୍ରାନ୍ଜିଟ୍ ରିମାଣ୍ଡରେ ନେବାକୁ ଅନୁମତି ମିଳିଥିଲା । ସାଲେପୁର ଥାନା ଅଧୀନ କୁସମ୍ୱୀ ଗ୍ରାମର ସୟଦ ହସନ୍ ଅହମ୍ମଦ ସୋସିଆଲ ମିଡିଆରେ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା କୁଲଦୀପ୍ ପାଞ୍ଚାଲଙ୍କୁ ହତ୍ୟା ଧମକ ଦେବା ସହ ଦେଶର ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଲେଖି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିଲେ । ଧର୍ମକୁ ଆକ୍ଷେପ କରି ବିଭିନ୍ନ ପ୍ରକାର କଟୁ ମନ୍ତବ୍ୟ ଲେଖି ଭାଇରାଲ୍ କରୁଥିବା ନେଇ ଶ୍ରୀ ପାଞ୍ଚାଲ ବାଗପତ୍ ଜିଲ୍ଲାର ସିଙ୍ଘାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉତ୍ତରପ୍ରଦେଶ ପୁଲିସ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରି ହସନ୍ ଅହମ୍ମଦଙ୍କ ମୋବାଇଲ୍ ଟ୍ରାକିଂ କରି ଗତକାଲି ସାଲେପୁର ପୁଲିସ ସହାୟତାରେ କୁସମ୍ୱୀ ଗ୍ରାମରୁ ତାଙ୍କୁ ଗିରଫ କରିଥିଲେ । ଆଜି ତାଙ୍କୁ କୋର୍ଟକୁ ପଠାଯାଇଥିଲା । ଉତ୍ତରପ୍ରଦେଶ ପୁଲିସ ଏସ୍ଆଇ ସୁରଜମଲ୍ ସିଂ ଓ ହାବିଲଦାର କୁଲଦୀପା ସାଲେପୁର ଜେଏମ୍ଏଫ୍ସି ଗୁରୁଚରଣ ଜେନାମଣିଙ୍କ ନିକଟରେ ତାଙ୍କୁ ହାଜର କରାଇ ୫ଦିନ ଟ୍ରାନଜିଟ୍ ରିମାଣ୍ଡ ପାଇଁ ଆବେଦନ କରିଥିଲେ । କୋର୍ଟ ୪ଦିନ ପାଇଁ ଅର୍ଥାତ୍ ଚଳିତ ମାସ ୮ତାରିଖ ପର୍ଯ୍ୟନ୍ତ ଟ୍ରାନ୍ଜିଟ୍ ରିମାଣ୍ଡ୍ ଅନୁମତି ପ୍ରଦାନ କରିଥିବାବେଳେ ସେହି ଦିନ ୧ଟାରେ ବାଗପତ୍ ଚିଫ୍ ଜୁଡିସିଆଲ୍ ମାଜିଷ୍ଟେ୍ରଟ୍ଙ୍କ ଅଦାଲତରେ ଅହମ୍ମଦକୁ ହାଜର କରିବାକୁ ଅନୁମତି ପ୍ରଦାନ କରିଥିଲେ । ମାମଲାକୁ ଅତିରିକ୍ତ ସରକାରୀ ଆଇନଜୀବୀ ଲୋପାମୁଦ୍ରା ବରାଳ ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons