ରାଜଧାନୀରୁ ୨୫ ଲକ୍ଷର ଧଳା ଜହର ଜବତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରେ): ରାଜଧାନୀରେ ଥମୁନି ଧଳା ଜହର(ବ୍ରାଉନ୍ସୁଗର) କାରବାର । ଆଜି ପୁଣି ଧରା ହୋଇଛି ଧଳା ଜହର । ଏଥିରେ ସଂପୃକ୍ତ ଦୁର୍ଦ୍ଧାନ୍ତ ଅପରାଧୀ ମୁନା ସେଠୀକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବା ସହ ତା’ ନିକଟରୁ ୨୫ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର, ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, କାର୍, ୨ଟି ବାଇକ୍, ଟଙ୍କା, ସୁନା ଚେନ୍ ଓ ୩ଟି ମୋବାଇଲ ଫୋନ୍ ଜବତ ହୋଇଛି । ତେବେ ମୁନାକୁ ଏସ୍କର୍ଟ କରି ଆଣି ଆସୁଥିବା ତା’ର ୨ ସହଯୋଗୀ ଖସି ଯିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ମୁନାର ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ମଧୁପୁର । ସେ କଳିଙ୍ଗନଗର କେ-୭ ବସନ୍ତ ସାହୁ ଛକ ନିକଟରେ ରହୁଥିଲା ।
ନୂଆ ନୂଆ ଫର୍ମୁଲାରେ ଧଳା ଜହର ବେପାରୀମାନେ କରାବାର କରୁଛନ୍ତି । ଧଳା ଜହର ବୁହା ହେଉଥିବା କାର୍କୁ ଆଗ ଓ ପଛରେ ଏସ୍କର୍ଟ କରି ନିଶା ମାଫିଆମାନେ ଚାଲାଣ କରୁଛନ୍ତି । ଆଜି ସକାଳ ୯ଟାବେଳେ କଳିଙ୍ଗନଗର କେ-୮ ଅଞ୍ଚଳରେ ଖଣ୍ଡଗିରି ଥାନା ଏସ୍ଆଇ ମାନସ ରଞ୍ଜନ ମଲ୍ଲିକ ଓ ଟିମ୍ ପାଟ୍ରୋଲିଂ କରୁଥିଲେ । ଏକ କାର୍କୁ ଆଗ ଓ ପଛରେ ୨ଟି ବାଇକ୍ ଏସ୍କର୍ଟ କରି ଆଣି ଆସୁଥିବା ତାଙ୍କ ନଜରକୁ ଆସିଥିଲା । ତେଣୁ ପୁଲିସ ଟିମ୍ ସେମାନଙ୍କୁ ପିଛା କରିଥିଲା । ପୁଲିସକୁ ଦେଖି କାର୍ ଓ ବାଇକ୍ ଦ୍ରୁତ ଗତିରେ ଖସି ଯିବାକୁ ଉଦ୍ୟମ କରିଥିଲେ । ଗଳିକନ୍ଦି ରାସ୍ତା ଦେଇ ଯାଉଥିବା ବେଳେ ବଗ ପାର୍କ ନିକଟରେ ପୁଲିସ ଟିମ୍ କାର୍କୁ ଅଟକାଇବାରେ ସକ୍ଷମ ହୋଇଥିଲା । ତେବେ ୨ ବାଇକ୍ ଚାଳକ ବାଇକ୍ ଛାଡ଼ି ଦୌଡ଼ି ପଳାଇଥିବା ବେଳେ କାର୍ ଚାଳକ ଖସି ପାରି ନଥିଲେ । ପୁଲିସ ଟିମ୍ କାର୍ରୁ ଦୁର୍ଦ୍ଧାନ୍ତ ଅପରାଧୀ ମୁନା ସେଠୀ(୩୦)କୁ ଧରିବାରେ ସଫଳ ହୋଇଥିଲେ । କାର୍ ଡ୍ୟାସ୍ ବୋର୍ଡ ବକ୍ସରୁ ଏକ ଜରିରେ ଭର୍ତ୍ତି ହୋଇଥିବା ୨୫୪ ଗ୍ରାମ ବ୍ରାଉନସୁଗର, ଏକ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ମୁନା ପକେଟରୁ ୧୨,୪୨୦ ଟଙ୍କା, ୩ଟି ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ଜବତ ବ୍ରାଉନସୁଗରର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି ।
ଜେରା ବେଳେ ଜଳେଶ୍ୱରରୁ ବ୍ରାଉନସୁଗର ଆଣି ରାଜଧାନୀ ଓ ଉପକଣ୍ଠରେ କାରବାର କରୁଥିଲେ ବୋଲି ମୁନା ସ୍ୱୀକାର କରିଛି । ବିଶେଷକରି ମୁନା ଗ୍ୟାଙ୍ଗ୍ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କୁ ବ୍ରାଉନସୁଗର ଯୋଗାଉଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons