ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜଧାନୀରେ ଘଟିଛି ଅଘଟଣ । ନବନିର୍ମିତ ଏକ ପାଣିଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ମଧ୍ୟାହ୍ନରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ପ୍ରାଚୀବିହାରରେ ଏହି ଅଘଟଣ ଘଟିଛି । ମୃତ ୩ ଶ୍ରମିକ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଖେଜୁରୀର ସମିରନ୍ ମୋନିଆନ୍, ଭିଗୁରାମ ମଣ୍ଡଳ ଓ ନନ୍ଦିଗ୍ରାମର ବାସୁଦେବ ମଣ୍ଡଳ । ମଞ୍ଚେଶ୍ୱର ଥାନା ପୁଲିସ ୩ଟି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ମୃତଦେହଗୁଡ଼ିକୁ କ୍ୟାପିଟାଲ ହସ୍ପିଟାଲ ପଠାଇ ତଦନ୍ତ ଚଳାଇଛି ।
ପୁଲିସ ସୂଚନା ଅନୁଯାୟୀ, ପାଣ୍ଡରା ପ୍ରାଚୀବିହାରରେ ଜଣେ ବ୍ୟକ୍ତିଙ୍କ ବିଲ୍ଡିଂ ନିର୍ମାଣ ଚାଲିଛି । ପଶ୍ଚିମବଙ୍ଗର ଜଣେ ଠିକାଦାର ୭ ଜଣ ଶ୍ରମିକଙ୍କୁ ସେଠାରେ ନିୟୋଜିତ କରିଥିଲେ । ଆଜି ୩ ଶ୍ରମିକ ଅନ୍ୟ କାମରେ ନିୟୋଜିତ ଥିବାବେଳେ ପାଣିଟାଙ୍କି କାମରେ ୪ ଜଣ ଥିଲେ । ଜଣେ ନିକଟସ୍ଥ ବଜାରକୁ ଚୁଟି କାଟିବାକୁ ଯାଇଥିଲେ । ଦୁଇ ଶ୍ରମିକ ପାଣି ଟାଙ୍କି ଛାତର ସେଣ୍ଟ୍ରିଂ ଖୋଲୁଥିଲେ । ଅନ୍ୟ ଜଣେ ରୋଷେଇ କରୁଥିଲେ । ତେବେ ପ୍ରଥମେ ଟାଙ୍କି ଭିତରେ ପଶିଥିବା ଶ୍ରମିକ ଜଣଙ୍କ ଶାବଳରେ ସେଣ୍ଟରିଂ ଖୋଲିବା ବେଳେ ତାଙ୍କ ଉପରେ ଫଲସ୍ ଭୁଶୁଡ଼ି ପଡ଼ିଥିଲା । ଫଳରେ ସେ ପ୍ରାୟ ୧୨ଫୁଟ ଗଭୀର ପାଣିଟାଙ୍କି ଭିତରେ ଖସିପଡ଼ିଥିଲେ । ସେଠାରେ ଶ୍ୱାସରୁଦ୍ଧ ହୋଇ ଚିକ୍ରାର କରିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଶ୍ରମିକ ଟାଙ୍କି ଭିତରକୁ ପଶି ଯାଇଥିଲେ । ସେ ମଧ୍ୟ ଶ୍ୱାସରୁଦ୍ଧ ହୋଇ ଟଳି ପଡ଼ିଥିଲେ । ଦୁଇଜଣଙ୍କ ପାଟି ଶୁଣି ରୋଷେଇ କରୁଥିବା ଶ୍ରମିକ ମଧ୍ୟ ସେଠାକୁ ଦୌଡ଼ି ଯାଇଥିଲେ । ଦୁଇଜଣଙ୍କୁ ଉଦ୍ଧାର କରିବାକୁ ଯାଇ ସେ ପାଣି ଟାଙ୍କି ଭିତରେ ପଶିଥିଲେ । ତାଙ୍କର ମଧ୍ୟ ସମ ଅବସ୍ଥା ହୋଇଥିଲା । ଟାଙ୍କି ଭିତରେ ୩ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ । କିଛି ସମୟ ପରେ ବଜାରରୁ ପ୍ରଶାନ୍ତ ପାତ୍ର ଫେରି ୩ ଶ୍ରମିକଙ୍କୁ ନ ପାଇ ଖୋଜାଖୋଜି କରିଥିଲେ । ପାଣିଟାଙ୍କି ଉପରେ ୩ ଜଣଙ୍କ ଚପଲ ଥୁଆ ହୋଇଥିବା ଓ ଜଣେ ଶ୍ରମିକଙ୍କ ହାତ ଟାଙ୍କି ଉପରେ ଦେଖି ସେ ସେଠାକୁ ଦୌଡ଼ି ଯାଇଥିଲେ । ୩ ଜଣ ଟାଙ୍କି ଭିତରେ ପଡ଼ି ରହିଥିବା ଦେଖି ପ୍ରଶାନ୍ତ ଆଖପାଖରେ କାମ କରୁଥିବା ଶ୍ରମିକଙ୍କୁ ଡାକିଥିଲେ । ଖବରପାଇ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ଦମ୍କଳ ବାହିନୀକୁ ଖବର ଦେଇଥିଲେ । ଦମ୍କଳ ବାହିନୀ ପହଞ୍ଚି ୩ ଶ୍ରମିକଙ୍କ ମୃତ ଦେହକୁ ଟାଙ୍କି ଭିତରୁ ଉଦ୍ଧାର କରିଥିଲା ।
ତେବେ ଘଟଣାସ୍ଥଳରେ ଠିକାଦାର କିମ୍ବା ଘର ମାଲିକଙ୍କ ଦେଖା ମିଳି ନଥିଲା । ଘର ମାଲିକ ଶ୍ରୀକାନ୍ତ ମହାନ୍ତି ବୋଲି ଶ୍ରମିକଙ୍କ ଠାରୁ ପୁଲିସ ଜାଣିବାକୁ ପାଇଛି । ମୃତକଙ୍କ ମଧ୍ୟରୁ ଜଣଙ୍କ ପାଖରେ ଘର ମାଲିକଙ୍କ ନମ୍ବର ଥିଲା । ତେଣୁ ପୁଲିସ ଘର ମାଲିକଙ୍କ ବିଷୟରେ ପତ୍ତା ପାଇନାହିଁ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘର ମାଲିକ ପହଞ୍ଚି ନଥିବା ପୁଲିସ କହିଛି । ଘର ମାଲିକ କିମ୍ବା ମୃତକଙ୍କ ପରିବାର ଲୋକେ ପହଞ୍ଚିବା ପରେ ଆସନ୍ତାକାଲି ୩ ଶ୍ରମିକଙ୍କ ଶବ ବ୍ୟବଚ୍ଛେଦ କରାଯିବ । ବିନା ସୁରକ୍ଷା ବ୍ୟବସ୍ଥାରେ ଶ୍ରମିକମାନଙ୍କୁ ଏଭଳି ନିୟୋଜିତ କରିବା ଫଳରେ ଅକାଳରେ ୩ ନିରୀହ ଶ୍ରମିକଙ୍କ ଜୀବନ ଗଲା ବୋଲି ଆଲୋଚନା ହେଉଛି ।
ରିପୋର୍ଟ ମାଗିଲେ ଶ୍ରମମନ୍ତ୍ରୀ
ପାଣି ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର ଏକ ସବିଶେଷ ରିପୋର୍ଟ ଜିଲ୍ଲା ଶ୍ରମ କମିଶନର(ଡିଏଲ୍ସି)ଙ୍କୁ ମାଗିଛନ୍ତି । ନିର୍ମାଣ କାମ ଚାଲିଥିବା ବେଳେ ପଶ୍ଚିମବଙ୍ଗର ଠିକାଦାର ଶ୍ରମିକଙ୍କ ସୁରକ୍ଷାକୁ ନେଇ କୌଣସି ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଠିକାଦାର ଓ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ତେଣୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ମନ୍ତ୍ରୀ ଶ୍ରୀ ସିଂହ ଡିଏଲ୍ସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed, but trackbacks and pingbacks are open.