ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୁଣି ଏକ ନକଲି ତେଲ, ଘିଅ କାରଖାନାରେ ଚଢ଼ଉ କରିଛି କମିଶନରେଟ୍ ପୁଲିସ୍ର ସ୍ପେଶାଲ୍ ସ୍କ୍ୱାଡ୍ । ଚଢ଼ଉ ସମୟରେ ପ୍ରାୟ ଏକ ହଜାର ଲିଟର ତେଲ ଜବତ ହୋଇଛି । ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳର ଲଲାଟ ଆଚାର୍ଯ୍ୟ, ବିକ୍ରମ ଆଚାର୍ଯ୍ୟ, ଯଯାତି ଆଚାର୍ଯ୍ୟ ଓ ଯୁଜପୁରର ବୈକୁଣ୍ଠ ମଲ୍ଲିକ । ପୁଲିସ୍ ସେଠାରୁ ବହୁ ପରିମାଣର ବାଲାଜୀ ଓ କ୍ରିଷ୍ଣା ବ୍ରାଣ୍ଡର ବୋତଲ ଜବତ କରିଛି । ଏହି ଘଟଣାରେ ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯଯାତି ଏହି କାରଖାନା ଚଳାଉଥିଲେ । ସେ ଜଣେ ପୂଜକ ।

ପୁଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ଲକ୍ଷ୍ମୀସାଗର ଷ୍ଟେଜ୍-୨ରେ ଏକ ସରକାରୀ ଜାଗାରେ ସ୍ଥାନୀୟ ଅଞ୍ଚଳର ଜଣେ ନେତାଙ୍କ ଘର । ଯଯାତି ଉକ୍ତ ଘର ଭଡ଼ାରେ ନେଇଥିଲେ । ଏହି ଅଞ୍ଚଳରେ ଥିବା ଆଖଣ୍ଡଳମଣି ମନ୍ଦିରରେ ଯଯାତି ପୂଜକ । ସ୍ଥାନୀୟ ଲୋକେ ତାଙ୍କୁ ଭଲ ଭାବେ ଜାଣନ୍ତି । ଏହାର ଫାଇଦା ନେଇ ଯଯାତି ନକଲି ତେଲ ଓ ଘିଅ ବେପାର କରୁଥିଲେ । ରିଫାଇନ୍ ତେଲରେ ବିଭିନ୍ନ ପ୍ରକାର ଜିନିଷ ଅପମିଶ୍ରଣ କରି ଘିଅ ତିଆରି କରନ୍ତି ଯଯାତି । ଏଥିରେ ତାଙ୍କୁ ଦୁଇ ଭାଇ ବିକ୍ରମ ଓ ଲଲାଟ ସହଯୋଗ କରନ୍ତି । ବୈକୁଣ୍ଠ ସେଠାରେ ମଜୁରିଆ ଭଳି କାମ କରନ୍ତି । ଲଲାଟ ଓ ବିକ୍ରମ ବିଭିନ୍ନ ସ୍ଥାନରେ ୩ଟି ପୂଜା ସାମଗ୍ରୀ ଦୋକାନ ଦେଇଛନ୍ତି । ତା’ଛଡା ଅନେକ ପୂଜା ଦୋକାନକୁ ଏମାନେ ଘିଅ, ରାଶି ତେଲ ଓ ଜଡା ତେଲ ବିକ୍ରି କରନ୍ତି ।
୯ ଶହ ଗ୍ରାମ୍ ରାଶି ତେଲକୁ ଏମାନେ ୯୦ ଟଙ୍କା, ୯ ଶହ ଗ୍ରାମ୍ ଜଡ଼ା ତେଲକୁ ୯୦ ଓ ୯ ଶହ ଗ୍ରାମ୍ ଘିଅକୁ ୧୫୦ ଟଙ୍କାରେ ବିକ୍ରି କରନ୍ତି । ରାଶି ଓ ଜଡା ତେଲ ପାଇଁ ଏମାନେ ବାଲାଜୀ ବ୍ରାଣ୍ଡର ଡବା ବ୍ୟବହାର କରନ୍ତି । ତା’ଛଡା ଘିଅ ପାଇଁ ବ୍ୟବହାର କରନ୍ତି କ୍ରିଷ୍ଣା ବ୍ରାଣ୍ଡର ଡବା । ପ୍ରାଇସ୍ ଷ୍ଟିକର ଠାରୁ ଆରମ୍ଭ କରି ଡବା ପର୍ଯ୍ୟନ୍ତ ସବୁ ଉକ୍ତ ଘରେ ମହଜୁଦ ରହିଛି । ଦିନକୁ ଦୁଇ ଥର ଏମାନେ ଉକ୍ତ ରୁମ୍କୁ ଯାଉଥିଲେ । ସେଠାରେ କିଛି ସମୟ କାମ କରି ଫେରି ଆସୁଥିଲେ । ଅଧିକ ତିଆରି କରୁଥିଲେ ଘିଅ । ହେଲେ ଧରାପଡୁ ନଥିଲେ । ଗଣେଶ ପୂଜା ପାଇଁ ବଜାରରେ ଘିଅର ଚାହିଦା ରହିଥିଲା । ସେଥିପାଇଁ ଏମାନେ ବିପୁଳ ପରିମାଣରେ ନକଲି ଘିଅ ତିଆରି କରି ବଜାରକୁ ଛାଡ଼ିଛନ୍ତି । ତେବେ ଗତ ୧ ତାରିଖ ରାତିରେ ସ୍ପେଶାଲ୍ ସ୍କ୍ୱାଡ୍କୁ ଏହି ନକଲି କାରଖାନା ବିଷୟରେ ଖବର ମିଳିଥିଲା । ତା’ପରେ ମଙ୍ଗଳବାର ସେଠାରେ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିବା ସହ ହଜାରେରୁ ଅଧିକ ଲିଟର ରିଫାଇନ୍ ତେଲ ଓ ଅନ୍ୟ ଜିନିଷପତ୍ର ଜବତ କରିଛି ।
Comments are closed, but trackbacks and pingbacks are open.