ବାଳକାଟୀ,(ବି.ବି.ବ୍ୟୁରୋ): ରାଜଧାନୀରେ ଡବଲ୍ ଏନ୍କାଉଣ୍ଟର । କମିଶନରେଟ୍ ପୁଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଟଙ୍କପାଣି ରୋଡ୍-ବାଳକାଟୀ ରାସ୍ତାରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୁଲିସର ପାଲଟା ଗୁଳି ଚାଳନାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ପଥରପେଣ୍ଠର ପୋଡ଼ା ଓରଫ ଅରୁଣ କୁମାର ମଲ୍ଲିକ (୪୨) ଓ କଟକ ଜିଲ୍ଲା ଆଠଗଡ଼ ଅରଣପାଟଣାର ବିକି ଓରଫ ବିବେକାନନ୍ଦ ନାୟକ (୨୨) ଆହତ ହୋଇଛନ୍ତି । ଦୁଇଜଣଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଡ଼ାର ଡାହାଣ ଜଙ୍ଘରେ ଗୁଳି ବାଜିଥିବା ବେଳେ ବିବେକର ବାମ ଗୋଡ଼ ଜଙ୍ଘରେ ଗୁଳି ବାଜିଛି । ପୁଲିସ ଘଟଣାସ୍ଥଳରୁ ଏକ କାର୍, ଗୋଟିଏ ବନ୍ଧୁକ, ଗୁଳି ଓ କିଛି ମାରଣାସ୍ତ୍ର ଜବତ କରିଛି । ତେବେ ଆହତ ଅପରାଧୀଙ୍କ ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।
ପୁଲିସ କମିଶନର ଡ. ସତ୍ୟଜିତ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଗତ କିଛିଦିନ ଧରି ରାଜଧାନୀରେ ଘନଘନ ଲୁଟ୍ପାଟ କମିଶନରେଟ୍ ପୁଲିସର ନିଦ ହଜାଇ ଦେଇଥିଲା । ବିଶେଷ କରି ଗତ ୩୦ ତାରିଖରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ହାଣି ଲୁଟ୍ପାଟ, ପାଣ୍ଡରା ଛକରେ ଏକ ପୁରୁଣା କାର୍ ସୋ’ ରୁମରେ ବ୍ୟବସାୟୀ ଓ ଗ୍ରାହକଙ୍କୁ ହାଣି ଡକାୟତି, ସକାଳେ ବନ୍ଧୁକ ଦେଖାଇ ଦୁଇ ଦୁଇଟି ଲୁଟ୍ପାଟରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ଏପରିକି ସୁରକ୍ଷା ଦାବିରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଥିଲେ । ତେଣୁ କମିଶନରେଟ୍ ପୁଲିସ ପୂରା ଆକ୍ସନ୍ ମୁଡ୍କୁ ଚାଲି ଆସିଥିଲା । ସହର ଭିତର ଠାରୁ ଆରମ୍ଭ କରି ଉପକଣ୍ଠରେ ଚଳାଇଥିଲା ବ୍ଲକିଂ ଚେକିଂ । ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତନାଘନା ଚଳାଇଥିଲା କମିଶନରେଟ୍ ପୁଲିସ । ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍ ଏସବୁ ଅପରାଧ ଘଟାଉଥିବା ପୁଲିସ ଜାଣିବାକୁ ପାଇଥିଲା । ଏହି ଗ୍ୟାଙ୍ଗ୍ ବାଲିଅନ୍ତା ଥାନା ଅନ୍ତର୍ଗତ ସାଟେଲାଇଟ୍ ସିଟି ନିକଟରେ ଆଡ୍ଡା ଜମାଇଥିବା ଖବରପାଇ ସ୍ପେଶାଲ୍ ସ୍କ୍ୱାଡ୍ ଗୁରୁବାର ରାତିରେ ସେଠାରେ ଚଢ଼ଉ କରିଥିଲା । ହେଲେ ପୁଲିସ ଚଢ଼ଉ ପୂର୍ବରୁ ଅପରାଧୀମାନେ ସେଠାରୁ ଖସି ଯାଇଥିଲେ ।
ଗତକାଲି ରାତି ପ୍ରାୟ ୩ଟାରେ ଟଙ୍କପାଣି ରୋଡ୍ ଓ ବାଳକାଟୀ ରାସ୍ତାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଏକ କାର୍ରେ ବସି ସେମାନଙ୍କ ଅନ୍ୟ ୩ ସହଯୋଗୀଙ୍କୁ ଅପେକ୍ଷା କରିଥିଲେ । ଏକ ବଡ଼ଧରଣର ଡକାୟତି ପାଇଁ ସେମାନେ ଯୋଜନା କରୁଥିବା ସ୍ପେଶାଲ ସ୍କ୍ୱାଡ୍ ଜାଣିବାକୁ ପାଇଥିଲା । ତେଣୁ ସ୍ପେଶାଲ୍ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥି, ଏସିପି ଅନୁପ କାନୁନ୍ଗୋ, ସହିଦନଗର ଥାନା ଆଇଆଇସି, ମଞ୍ଚେଶ୍ୱର ଥାନା ଆଇଆଇସି, ଖଣ୍ଡଗିରି ଥାନା ଆଇଆଇସି ଅଧିକ ସଂଖ୍ୟକ ପୁଲିସ ସହ ସେଠାରେ ଚଢ଼ଉ କରିଥିଲେ । ପୁଲିସକୁ ଦେଖି ଅପରାଧୀମାନେ ସେମାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ । କମିଶନରେଟ୍ ପୁଲିସ ଅପରାଧୀଙ୍କ ଉପରକୁ ପାଲଟା ଗୁଳିମାଡ଼ କରିଥିଲା । ଏଥିରେ ଦୁଇ ଅପରାଧୀ ପୋଡ଼ା ଓ ବିବେକ ଆହତ ହୋଇଥିିଲେ । ପୁଲିସ ସେଠାରୁ ଏକ କାର୍ (ଓଡି୦୭ଏ-୯୩୪୨) ଜବତ କରି ସେଥିରୁ ଗୋଟିଏ ବନ୍ଧୁକ, ଗୁଳି, ଖୋକା ଓ କିଛି ମାରଣାସ୍ତ୍ର ଜବତ କରିଥିଲା । ଆହତ ପୋଡ଼ା ଓ ବିବେକକୁ ପୁଲିସ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରୁ ଦୁଇ ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି ।
ଗତ ୩୦ ତାରିଖ ରାତିରେ ଏହି ଦୁଇ ଅପରାଧୀ ରସୁଲଗଡ଼ ତୃପ୍ତି ହୋଟେଲ୍ ମାଲିକ ବୁଲୁ ସାମନ୍ତରାୟଙ୍କୁ ହାଣି ଲୁଟ୍ପାଟ ସମେତ ପୁରୁଣା କାର୍ ବ୍ୟବସାୟୀ ଓ ଗ୍ରାହକଙ୍କୁ ହାଣି ଡକାୟତି ଓ ବାଲିଅନ୍ତା ଥାନା ନଖରାରେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଲୁଟ୍ ଘଟଣାରେ ସଂପୃକ୍ତ ଥିବା କମିଶନର ଡ. ସତ୍ୟଜିତ ମହାନ୍ତି କହିଛନ୍ତି । ଏଥିସହ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗ୍ ଲୁଟ୍ପାଟ ଓ ଡକାୟତିରେ ସଂପୃକ୍ତ ଥିଲେ । ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ମଧ୍ୟ ସଂଗୀନ ଅପରାଧିକ ମାମଲା ଥିବା କମିଶନର ଶ୍ରୀ ମହାନ୍ତି କହିଛନ୍ତି । ଏନେଇ ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଗ୍ୟାଙ୍ଗ୍ରେ ଆଉ ୫/୭ ଜଣ ସଦସ୍ୟ ଅଛନ୍ତି । ତେଣୁ ଧରା ପଡ଼ିଥିବା ଦୁଇ ଅପରାଧୀଙ୍କ ଠାରୁ ତଥ୍ୟ ବାହାର କରିବାକୁ ସେମାନଙ୍କୁ ରିମାଣ୍ଡ୍ରେ ଅଣାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.