ରାଜଧାନୀରେ ପୁଣି ହତ୍ୟା :ବୃଦ୍ଧଙ୍କ ଗଳା କାଟିଦେଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରେ ଘଟିଛି ପୁଣି ଏକ ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ । ପୂର୍ବ ବିବାଦକୁ କେନ୍ଦ୍ର କରି ରେଳବାଇର ଜଣେ ଅବସରପ୍ରାପ୍ତ କର୍ମଚାରୀ ଟି.ବି ରାଓ(୬୨)ଙ୍କୁ ଏକ ଲଜ୍ ରୁମ୍ ଭିତରେ ଅତି ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଛି ଜଣେ ଯୁବକ । ଏହି ଜଘନ୍ୟ କାଣ୍ଡ ଘଟିଛି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ପୁରୁଣା ଷ୍ଟେସନ୍ ବଜାରରେ ଥିବା ସୁକାନ୍ତି ଡର୍ମିଟୋରିରେ । ପୁଲିସ୍, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରଛି । ସାଇଣ୍ଟିଫିକ୍ ଟିମ୍ ଉକ୍ତ ରୁମ୍ରୁ ଏକ ଛୁରି, ମୋଜା, ରକ୍ତ ନମୂନା, ୧୫ ଶହ ଟଙ୍କା, କଣ୍ଡୋମ ଓ ଅନ୍ୟ କିଛି ଜିନିଷ ଜବତ କରିଛି । ହେଲେ ହତ୍ୟାକାରୀ ବିଷୟରେ କିଛି ଟେର ମିଳିପାରି ନାହିଁ । ଶ୍ରୀ ରାଓଙ୍କ ଘର ଜଟଣୀ ଥାନା ଅଧୀନ ମାଣିଆ ଛକ ଅଞ୍ଚଳରେ ।
ଲଜ୍ ମ୍ୟାନେଜର ବାବନା ମହାଲିକଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ସୋମବାର ଅପରାହ୍ଣ ସାଢେ଼ ୧ଟା ବେଳେ ଶ୍ରୀ ରାଓ ଲଜ୍କୁ ଆସିଥିଲେ । ତାଙ୍କ ସହ ଥିଲେ ୩୦ରୁ ୩୨ ବର୍ଷର ଜଣେ ଯୁବକ । ମ୍ୟାନେଜର ତାଙ୍କୁ ପଚାରିଥିଲେ କେତେ ଦିନ ରହିବ । ସେମାନେ କହିଥିଲେ ଗାଧୁଆପାଧୁଆ ସାରି ପଳାଇଯିବେ । ମ୍ୟାନେଜର କହିଥିଲେ ଏଥିପାଇଁ ୧୫୦ ଟଙ୍କା ଲାଗିବ । ଏଥିରେ ଉଭୟେ ରାଜି ହୋଇଥିଲେ । ରୁମ୍ ଦେଖିବା ପାଇଁ ଉପରମହଲାକୁ ଯାଇଥିଲେ । ଏହି ସମୟରେ ମ୍ୟାନେଜର ତାଙ୍କୁ ଆଧାରକାର୍ଡ ମାଗିଥିଲେ । ଯୁକବ ଜଣକ କହିଥିଲେ ବ୍ୟାଗ୍ ଭିତରେ ଅଛି, ମୁଁ ୧୦ ମିନିଟ୍ ଭିତରେ ଦେଉଛି । ଏହାପରେ ମ୍ୟାନେଜର ତଳମହଲାକୁ ଆସିଥିଲେ । ୧୫ରୁ ୨୦ ମିନିଟ୍ ପରେ ଉକ୍ତ ଯୁବକ ବାହାରକୁ ଯାଉଥିଲେ । ଏହି ସମୟରେ ମ୍ୟାନେଜର ପଚାରିଥିଲେ ଗାଧୁଆ ସରି ଗଲାଣି? ଯୁବକ କହିଥିଲେ, ନାଇଁ ମୁଁ ସାବୁନ ପାଇଁ ଯାଉଛି । ଏହାପରେ ଲଜ୍ ପାଖରେ ଥିବା ହୋଟେଲ୍କୁ ଖାଇବା ପାଇଁ ଯାଇଥିଲେ ମ୍ୟାନେଜର । ଲଜ୍ରେ କୌଣସି କର୍ମଚାରୀ ନଥିଲେ । କିଛି ସମୟ ପରେ ମ୍ୟାନେଜର ଲଜ୍କୁ ଆସି ଆଧାର କାର୍ଡ ମାଗିବାକୁ ଉପରମହଲାକୁ ଯାଇଥିଲେ । ଏହି ସମୟରେ ଦେଖିଥିଲେ ବିବସ୍ତ୍ର ଅବସ୍ଥାରେ ବେକ ଧରି ଛଟପଟ ହେଉଛନ୍ତି ଶ୍ରୀ ରାଓ । ଘର ସାରା ରକ୍ତ ଭାସୁଛି । ପାଖରେ ଏକ ବ୍ୟାଗ୍ ପଡିଛି । ଏହା ଦେଖି ସେ ସଙ୍ଗେ ସଙ୍ଗେ ଲଜ୍ ମାଲିକ ବଡ଼ଗଡ଼ର ବୁଲୁ ବେହେରାଙ୍କୁ ଫୋନ୍ କରିଥିଲେ । ଲଜ୍ ମାଲିକ ପୁଲିସ୍କୁ ଜଣାଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଶ୍ରୀ ରାଓଙ୍କ ମୃତୁ୍ୟ ହୋଇ ସାରିଥିଲା । ଏହା ପରେ ପୁଲିସ୍ ଆରମ୍ଭ କରିଥିଲା ତନାଘନା । ଲଜରେ ସିସିଟିଭ ନାହିଁ । ତେଣୁ ଆଖପାଖରେ ଲାଗିଥିବା ସିସିଟିଭ ଫୁଟେଜ୍ ଯାଞ୍ଚ କରିଥିଲା ପୁଲିସ୍ । ହେଲେ ସେଥିରେ କିଛି ସୁରାକ ମିଳି ନଥିଲା ।
ସାଇଣ୍ଟିଫିକ୍ ଟିମ୍ ଉକ୍ତ ରୁମ୍ରୁ ଏକ ଛୁରି, ମୋଜା, ରକ୍ତ ନମୁନା, ୧୫ ଶହ ଟଙ୍କା, କଣ୍ଡୋମ ଓ ଅନ୍ୟ କିଛି ଜିନିଷପତ୍ର ଜବତ କରିଛନ୍ତି । ସନ୍ଧାନୀ କୁକୁର ମୋଜା ଶୁଙ୍ଘି ଷ୍ଟେସନ୍ର ୫ ନମ୍ବର ପ୍ଲାଟ୍ଫର୍ମରେ ପହିଥିଲା । ସେଠାରେ କୁକୁର ରହି ଯାଇଥିଲା । ଏଥିରୁ ପୁଲିସ୍ ଅନୁମାନ କରୁଛି ହତ୍ୟାକାରୀ ୫ ନମ୍ବର ପ୍ଲାଟ୍ଫର୍ମରୁ ଟ୍ରେନ୍ ଚଢ଼ି କେଉଁ ଆଡେ଼ ଚାଲିଯାଇଛି । ପୁଲିସ୍ ପ୍ଲାଟ୍ଫର୍ମ ନମ୍ବର ୬ ଓ ୫ରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ହତ୍ୟାକାରୀ ଶ୍ରୀ ରାଓଙ୍କୁ ଏମିତି ମାରିବାର କାରଣ କ’ଣ ସେ ବିଷୟରେ ପୁଲିସ୍ କିଛି ସୁରାକ ପାଇନି । ଯଦି ପୂର୍ବ ଶତ୍ରୁତା କି ଟଙ୍କା ଦେଣନେଣ ହତ୍ୟାର କାରଣ, ତେବେ ଉଭୟେ ଲଜ୍କୁ କ’ଣ ପାଇଁ ଯାଇଥିଲେ । ଅନ୍ୟ ପକ୍ଷରେ ଉକ୍ତ ରୁମ୍ରେ ମିଳିଥିବା କଣ୍ଡୋମକୁ ନେଇ ପୁଲିସ୍ ଅଡୁଆରେ ପଡିଛି । ଶ୍ରୀ ରାଓଙ୍କ ହତ୍ୟା ଖବର ଶୁଣି ଘଟଣାସ୍ଥଳରେ ତାଙ୍କର ଜଣେ ବନ୍ଧୁ ପହଞ୍ଚିଥିଲେ । ତାଙ୍କ ଠାରୁ ପୁଲିସ୍ କିଛି ତଥ୍ୟ ପାଇଥିବା ଜଣାପଡିଛି । ଶ୍ରୀ ରାୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ୍ କ୍ୟାପିଟାଲ୍ ହସ୍ପିଟାଲ୍କୁ ପଠାଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons