ରାଜଧାନୀ ଏକ୍ସପ୍ରେସ୍ରେ ଫେରୁଛନ୍ତି ଜଗା-କାଳିଆ

Get real time updates directly on you device, subscribe now.

ନୂଆଦିଲ୍ଲୀ/କଟକ,(ବି.ବି.ନୁ୍ୟଜ୍): ଦୀର୍ଘ ୨ ବର୍ଷ ୨ ମାସ ରାଜଧାନୀ ଦିଲ୍ଲୀର ଏମ୍ସରେ ରହି ସଫଳ ଚିକିତ୍ସା ପରେ ଜଗା-କାଳିଆ ଶୁକ୍ରବାର ରାଜଧାନୀ ଏକ୍ସପ୍ରେସ୍ରେ ଓଡ଼ିଶା ଫେରିଯାଇଛନ୍ତି । ଏମ୍ସରୁ ଯିବା ସମୟରେ ଉଭୟ ଶିଶୁ ଓ ସେମାନଙ୍କ ପିତାମାତାଙ୍କୁ ଭାବବିହ୍ୱଳ ବିଦାୟ ଦିଆଯାଇଥିଲା । ଏମ୍ସକୁ ଆସିଥିଲେ ଯୋଡ଼ା ମୁଣ୍ଡ ହୋଇ, କିନ୍ତୁ ଫେରିବା ବେଳକୁ ଉଭୟ ଶିଶୁଙ୍କୁ ସଫଳତାର ସହ ପୃଥକ କରାଯାଇଥିଲା । ଉଭୟ ଶିଶୁଙ୍କ ମୁହଁରେ ମଧ୍ୟ ଆନନ୍ଦର ଝଲକ ଦେଖିବାକୁ ମିଳିଥିଲା ।
ଶନିବାର ସେମାନେ କଟକର ଏସ୍ସିବି ମେଡିକାଲ କଲେଜରେ ପହଞ୍ଚିବା ପରେ ସେଠାରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ । ସେମାନଙ୍କ ଚିକିତ୍ସା ଉପରେ ପ୍ରାରମ୍ଭିକ ନଜର ରଖିବା ପାଇଁ ଏମ୍ସରୁ ତିନି ଜଣ ଡାକ୍ତର ଓ ନର୍ସଙ୍କ ଦଳ ମଧ୍ୟ ସେଠାକୁ ଯାଇଛନ୍ତି । ଏହି ତିନି ଜଣ ଡାକ୍ତର ହେଲେ ଦୀପକ ଗୁପ୍ତା, ଗିରିଜା ରଥ ଓ କିରଣ କୁମାର । ଉଭୟ ଶିଶୁଙ୍କୁ ନେବା ପାଇଁ ଏସ୍ସିବି ମେଡିକାଲ କଲେଜର ଦୁଇ ଜଣ ଡାକ୍ତର ମଧ୍ୟ ଏମ୍ସ ଆସିଥିଲେ । ସେମାନେ ଏଠାରେ ଡାକ୍ତର ଦୀପକ ଗୁପ୍ତାଙ୍କ ସହ ଉଭୟ ଶିଶୁଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ ।

ଅନ୍ୟପକ୍ଷରେ ଏସ୍ସିବିରେ ଜଗା-କାଳିଆଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ ଆଜି ଏସ୍ସିବି ଆସିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦ୍ଧା । ଜଗା-କାଳିଆ ରହିବାକୁ ଥିବା ସ୍ୱତନ୍ତ୍ର ରୁମ୍ ବୁଲି ଦେଖିଥିଲେ । ଏଥିସହିତ ଚିକିତ୍ସା କରିବାକୁ ଥିବା ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହ ମଧ୍ୟ ଆଲୋଚନା କରିଥିଲେ ।
ଓଡ଼ିଶା ଫେରିବାର ଠିକ୍ ପୂର୍ବରୁ ଏମ୍ସରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଯୋଗ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଜଗା-କାଳିଆ ଜୁଲାଇ ୧୪, ୨୦୧୭ରେ ଭର୍ତ୍ତିହେବା ପରଠାରୁ ଏ ପର୍ଯ୍ୟନ୍ତ ଘଟିଥିବା ଚିକିତ୍ସା ସମ୍ବନ୍ଧରେ ସବିଶେଷ ବିବରଣୀ ଦିଆଯାଇଥିଲା । ଭର୍ତ୍ତି ବେଳେ ଉଭୟ ଶିଶୁ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିଲେ । ବିଭିନ୍ନ ପରୀକ୍ଷା ପରେ ପ୍ରଥମ ଅପରେସନ ୨୦୧୭ ଅଗଷ୍ଟ ୨୫ରେ ହୋଇଥିଲା । ଏଥିପାଇଁ ହୋଇଥିବା ସର୍ଜରୀ ୨୪ ଘଣ୍ଟା ଲାଗିଥିଲା । ଦ୍ୱିତୀୟ ସର୍ଜରୀ ୨୫ ଅକ୍ଟୋବର ୨୦୧୭ରେ କରାଯାଇଥିଲା ।

ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଉଭୟ ଶିଶୁଙ୍କୁ ତାଙ୍କ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଖୁବ୍ ଶୀଘ୍ର ସାଧାରଣ ଜୀବନଯାପନ କରିବେ । ସେ ଦର୍ଶାଇଥିଲେ ଯେ ଏହା ବିଶ୍ୱର ଏକ ବିରଳ ଅପରେସନ ଥିଲା ଏବଂ ଯେଉଁ ଡାକ୍ତରମାନେ ଏଥିରେ ସମ୍ପୃକ୍ତ ଥିଲେ ସେ ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ହର୍ଷବର୍ଦ୍ଧନ ମଧ୍ୟ କହିଥିଲେ, ଏମ୍ସ ପକ୍ଷରୁ ଉଭୟ ଶିଶୁଙ୍କ ପାଇଁ ସମସ୍ତ ସହଯୋଗ କରାଯାଇଥିଲା । ସେ ମଧ୍ୟ ଓଡ଼ଡିଶା ସରକାରଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଥିଲେ । ହର୍ଷବର୍ଦ୍ଧନ କହିଥିଲେ, ଆଗକୁ ଓଡ଼ିଶାର ଏସ୍ସିବି ମେଡିକାଲ କଲେଜରେ ସେମାନଙ୍କ ଚିକିତ୍ସା କରାଯିବ ଏବଂ ଏଥିସକାଶେ କେନ୍ଦ୍ର ସରକାର ସମସ୍ତ ସୁବିଧା ଯୋଗାଇ ଦେବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons