ମୁମ୍ବାଇ: ମୁମ୍ବାଇର ବରିଷ୍ଠ ପୁଲିସ ନିରୀକ୍ଷକ ପ୍ରଦୀପ ଶର୍ମା । ସହରରେ ଏନ୍କାଉଣ୍ଟର ସ୍ପେସାଲିଷ୍ଟ ଭାବେ ବେଶ୍ ଜଣାଶୁଣା । ନିଜ ୩୫ ବର୍ଷ କ୍ୟାରିୟରରେ ସେ ୧୦୦ରୁ ଅଧିକ ଅପରାଧୀଙ୍କର ଏନ୍କାଉଣ୍ଟର କରିଛନ୍ତି । ତେବେ ଏହି ପୁଲିସ ଅଧିକାରୀ ଜଣକ ଏବେ ରାଜନୀତି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ରାଜନୀତି ପାଇଁ ସେ ଇସ୍ତଫା ମଧ୍ୟ ଦେଇସାରିଥିବା ଜଣାପଡ଼ିଛି ।
ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ପ୍ରାର୍ଥୀ ହୋଇ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ କେଉଁ ଦଳର ଟିକେଟ୍ରେ ସେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ, ତାହା ସ୍ପଷ୍ଟ ହୋଇନାହିଁ । ତେବେ ଅନେ୍ଧରି ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି । ଏନ୍କାଉଣ୍ଟର ସ୍ପେସାଲିଷ୍ଟ ଶର୍ମା ୨୦୨୦ ମେ ମାସରେ ଅବସର ନେଇଥାନ୍ତେ । କିନ୍ତୁ ତା’ ପୂର୍ବରୁ ସେ ଜୁଲାଇ ୪ ତାରିଖରେ ଅବସର ଗ୍ରହଣ କରିଛନ୍ତି । ଡିଜିପିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି ।
ପୂର୍ବରୁ ୨୦୧୪ରେ ଶର୍ମା ପାର୍ଟି ଟିକେଟ୍ ପାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । ଏଥର ଟିକେଟ୍ ପାଇବା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଶର୍ମା ଧୁଳିଆ ଗ୍ରାମର ବାସିନ୍ଦା । ସ୍ନାତକ ଶେଷ କରିବା ପରେ ସେ ଏମ୍ପିଏସ୍ସି ପରୀକ୍ଷାରେ ଅବତୀର୍ଣ୍ଣ ହୋଇ ସବ୍-ଇନ୍ସପେକ୍ଟର ହୋଇଥିଲେ । ଶର୍ମା ନିଜ ୧୯୮୩ ବ୍ୟାଚ୍ ସାଥୀ ବିଜୟ ସଲାସ୍କାର, ପ୍ରଫୁଲ୍ଲ ଭୋସଲେ, ରବୀନ୍ଦ୍ର ଆଙ୍ଗ୍ରେ, ଅରୁଣ ବହୁଦେ, ଅସଲାମ ମୋମିନ୍ ଏବଂ ରାଜୁ ପିଲାଇଙ୍କ ସହ ମିଶି ଏକ ଶକ୍ତିଶାଳୀ ଟିମ୍ ଗଠନ କରିଥିଲେ । ମୁମ୍ବାଇ ସହରକୁ ଅପରାଧମୁକ୍ତ କରିବାକୁ ସେ ବଦ୍ଧପରିକର ହୋଇଥିଲେ । ସେମାନଙ୍କୁ ପୂର୍ବତନ ଡିଜିପି ଅରବିନ୍ଦ ଇନ୍ମାଦାର ତାଲିମ ଦେଇଥିଲେ ।
Comments are closed, but trackbacks and pingbacks are open.