ରାଜପଥରେ ଗୋଡ଼ାଇ ଖୁଣ୍ଟୁଣିରୁ କାବୁ କଲା ପୁଲିସ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଜାତୀୟ ରାଜପଥରେ ଗୋଟିଏ ପୁଲିସ ଗାଡ଼ିକୁ ଆଉ ଦୁଇଟି ପୁଲିସ ଗାଡ଼ି ପିଛାକରୁଥାଆନ୍ତି । ପୁରା ଫିଲ୍ମ ଷ୍ଟାଇଲରେ ଗୋଡ଼ାନେଇଗଲା ପୁଲିସ୍ ଗାଡ଼ି । ତାହା ପୁଣି ଥାନା କ୍ୟାମ୍ପସ୍ରୁ । ଘଟଣା କୌଣସି ଗାଁ କି ଅପହଞ୍ଚ ଇଲାକାର ନୁହଁ । ସହରବାସୀଙ୍କ ସୁରକ୍ଷାର ପ୍ରାଣକେନ୍ଦ୍ର,ଢେଙ୍କାନାଳ ଟାଉନ୍ ଥାନାରେ ବୁଧବାର ଏପରି ଘଟଣା ଦେଖିବାକୁ ମିଳିଛି ।
ଜଣେ ଯୁବକ ଟାଉନ୍ ଥାନାରେ ନିୟୋଜିତ ହଳଦିଆ ରଙ୍ଗର ବତୀ ଲାଗିଥିବା ବୋଲରୋ ଧରି ଆଜି ଛୁ ମାରିଥିଲା । ଜାଣିବା ପରେ ପୁଲିସ୍ର ଦୁଇ ଦୁଇଟି ଗାଡ଼ି ରାଜପଥରେ ଗୋଡ଼ାଇ କଟକ ଜିଲ୍ଲା ଖୁଣ୍ଟୁଣି ଅଞ୍ଚଳରୁ ଗାଡ଼ି ସହ ଯୁବକକୁ କାବୁ କରଥିଲେ । ଏଭଳି ଅଭାବନୀୟ ଘଟଣା ଯେତିକି ଚର୍ଚ୍ଚା ସୃଷ୍ଟି କରିଛି ତାଠାରୁ ଅଧିକ ପୁଲିସ୍ର ସୁରକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛି । ତେବେ ଅଭିଯୁକ୍ତ ଯୁବକ ପାଗଳ ପ୍ରାୟ ଆଚରଣ କରୁଛି, ତାର ମାନସିକ ସ୍ଥିତି ଠିକ୍ ନାହିଁ କହି ପୁଲିସ୍ ପ୍ରସଙ୍ଗକୁ ହାଲ୍କା କରିଛି ।
ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟା । ଢେଙ୍କାନାଳ ଟାଉନ୍ ଥାନାର ହଳଦିଆ ବତୀ ଲାଗିଥିବା ବୋଲେରୋ (ଓଡି୦୫ଏପି ୨୭୧୬) ଥାନା କ୍ୟାମ୍ପସ୍ରେ ଠିଆ ହୋଇଥିଲା । ପୁଲିସ୍ ଡ୍ରାଇଭର କୌଣସି କାମ ପାଇଁ ଥାନା ଭିତରକୁ ଯାଇଥିଲେ । ହେଲେ ବୋଲେରୋ ଚାବି ସାଥୀରେ ନେବାକୁ ଭୁଲି ଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ବାଇଁଶିଆ ଗ୍ରାମର ଧର୍ମେନ୍ଦ୍ର ସ୍ୱାଇଁ (୩୦) ଗାଡ଼ି ଧରି କଟକ ଅଭିମୁଖେ ଖସିିଯାଇଥିଲେ । ଏହି ଘଟଣା ଥାନାର କର୍ମଚାରୀମାନେ ଦେଖି ତୁରନ୍ତ ହାଇୱେ ପାଟ୍ରୋଲିଂ ଭ୍ୟାନ୍ ଓ ପିସିଆର୍ ଭ୍ୟାନ୍ରେ ପିଛା କରିଥିଲେ । ପୁଲିସ୍ ଗାଡ଼ି ଯେତିକି ବେଗରେ ଯାଉଥିଲା ଚୋରି ଗାଡ଼ି ତାଠାରୁ ଢେର ଅଧିକ ଗତିରେ ଯାଉଥିଲା । ରାଜପଥରେ ଫିଲ୍ମ ଷ୍ଟାଇଲରେ ପୁଲିସ୍ ଗାଡ଼ିକୁ ଆଉ ଦୁଇଟି ପୁଲିସ୍ ଗାଡ଼ି ଗୋଡ଼ାଇବା ଦେଖି ପଥଚାରୀ ମଧ୍ୟ ହତ୍ବାକ ହୋଇଯାଇଥିଲେ । ପୁଲିସ୍ ଗୋଡ଼ାଇ ଗୋଡ଼ାଇ ଖୁଣ୍ଟୁଣୀ ନିକଟସ୍ଥ ଏକ ମନ୍ଦିର ସମ୍ମୁଖରେ ଚୋରି ଗାଡ଼ିକୁ ଅଟକାଇବାରେ ସକ୍ଷମ ହେବା ସହ ଅଭିଯୁକ୍ତକୁ କାବୁ କରିଥିଲା । ପରେ ଗାଡ଼ି ସହ ଧର୍ମେନ୍ଦ୍ରକୁ ଥାନାକୁ ଅଣାଯାଇଥିଲା ।
ତିନିଦିନ ତଳେ ଏକ ଅପରାଧ ମାମଲାରେ ଧର୍ମେନ୍ଦ୍ରଙ୍କୁ ଟାଉନ୍ ଥାନା ପୁଲିସ୍ ଆଣି ଅଟକ ରଖିଥିଲା । ପୁଲିସ୍ ତାକୁ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲା । ତାର ମାନସିକ ସ୍ଥିତି ଠିକ୍ ନାହିଁ ବୋଲି ଚିକିତ୍ସା ପରେ ଜଣାପଡ଼ିଥିଲା । କିନ୍ତୁ ତାକୁ ସଠିକ୍ ଢଙ୍ଗରେ ପୁଲିସ୍ ନିଜ ହେପାଜତରେ ରଖି ନଥିବାରୁ ଏପରି ଘଟିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସଦର ଏସ୍ଡିପିଓ ବିକାଶ ବେଉରା କହିଛନ୍ତି, ଧର୍ମେନ୍ଦ୍ର ଗତ କିଛିଦିନ ହେଲା ପାଗଳ ପ୍ରାୟ ହୋଇ ଗାଁ ଗଣ୍ଡାରେ ଘୂରି ବୁଲୁଥିଲା । ଔଷଧ ଖାଇଲେ ମାନସିକ ସ୍ଥିତି ଠିକ୍ ରହୁଛି, ନଖାଇଲେ ମାନସିକ ସ୍ଥିତି ବିଗିଡ଼ି ଯାଉଛି । ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଛି । ଗତ ତିନିଦିନ ତଳେ ନିଜ ଗାଁରେ ଏକ ନୂଆ ବୁଲେଟ୍୍କୁ ଚୋରି କରି ଆଣି ଜାଳି ଦେଇଛି । ଏଥିସହ କାହା ସାଇକେଲ୍ ଭାଙ୍ଗିବା, କାହା ଘରଦ୍ୱାରେ ପଶି ନଷ୍ଟ କରିବା ଏବଂ ଗାଈ ଷଣ୍ଢ ଆଦିଙ୍କ ସହ ଲାଗୁଛି । ତାର ପାଗଳାମିରେ ଅତିÂ ହୋଇ ତାଙ୍କପନôୀ ଗତ କିଛି ଦିନ ହେଲା ନିଜ ବାପଘରେ ରହୁଛନ୍ତି । ଏକ ଅପରାଧିକ ମାମଲାରେ ତଦନ୍ତ କରିବାକୁ ଟାଉନ୍ ଥାନା ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିଲା । ସେ ମାନସିକ ବିକାରଗ୍ରସ୍ତ ଥିବାରୁ ଥାନାରୁ ଗାଡ଼ି ଚୋରି ଉଦ୍ୟମ ଭଳି କାଣ୍ଡ କରିଛି । ଏଣୁ ଏ ସମ୍ପର୍କରେ ମାମଲା ରୁଜୁ ହୋଇନି । ଧର୍ମେନ୍ଦ୍ରକୁ ଆମେ ସ୍ନାୟୁ ଓ ମାନସିକ ରୋଗ ବିଶେଷଜ୍ଞ ପାଖରେ ପ୍ରାଥମିକ ଚିକିତ୍ସା କରିଛୁ । ସେ କେମିତି ଚିକିତ୍ସାଧୀନ ରହିବ ତାର ବ୍ୟବସ୍ଥା କରିବୁ ବୋଲି ଏସ୍ଡିପିଓ କହିଛନ୍ତି ।
ପୁଲିସ ଯୁବକର ମାନସିକ ଅସୁସ୍ଥତା ଦର୍ଶାଇ ନିଜର ଢିଲାପଣ ଉପରେ ପରଦା ଢାଙ୍କିବାକୁ ଉଦ୍ୟମ କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଧର୍ମେନ୍ଦ୍ରର ମାନସିକ ସ୍ଥିତି ଠିକ୍ ନଥିବା ବେଳେ ତାଙ୍କୁ ଅଟକ ରଖି ପୁଲିସ କି’ ତଦନ୍ତ ଚଳାଇଥିଲା? ଗାଡ଼ି ନେଇ ଦ୍ରୁତ ଗତିରେ ଯାଉଥିଲା ବେଳେ କୌଣସି ଦୁର୍ଘଟଣା ଘଟିଥିଲେ କାହାକୁ ଦାୟୀ କରାଯାଇଥାନ୍ତା? ଢେଙ୍କାନାଳ ଟାଉନ୍ ଥାନା ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲାଣି । ସହରରେ ଏବେ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଗାଡ଼ିଚୋରି, ହାଟବଜାରରୁ ମୋବାଇଲ୍ ଚୋରି, ଛିନତାଇ ଆଦି ଦୈନନ୍ଦିନ ଘଟଣାରେ ପରିଣତ ହୋଇଗଲାଣି । ଆଜି ଖୋଦ୍ ଥାନା ପରିସରରୁ ବୋଲେରୋ ଚୋରି ହେବା ଘଟଣା ପୁଲିସ୍ ସୁରକ୍ଷା ବ୍ୟବସ୍ଥା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons