ରାଜଶ୍ରୀଙ୍କୁ ବିଷ୍ଣୁ ସମର୍ଥକଙ୍କ ବିରୋଧ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନ୍ୟୁଜ୍): ‘ବିଧାୟକ ବିଷ୍ଣୁ ଦାସଙ୍କ ବିନା ଏଠି ପତ୍ର ବି ହଲିପାରିବ ନାହିଁ । ତିର୍ତ୍ତୋଲରେ ଯେକୌଣସି କାର୍ଯ୍ୟକ୍ରମ ହେବ ବିଧାୟକଙ୍କୁ ଜଣାଇ ସାଂସଦ ଆସନ୍ତୁ । ନଚେତ୍ ସାଂସଦଙ୍କ ଗସ୍ତକୁ ବିରୋଧ କରାଯିବ ।’- ଆଜି ଖୋଲାଖୋଲି ଏକଥା କହିଛନ୍ତି ତିର୍ତ୍ତୋଲ ବିଜେଡିର କର୍ମୀମାନେ ।
ସେମାନଙ୍କ କହିବା କଥା, ବିଧାୟକ ହେଉଛନ୍ତି ଏଠି ଦଳର ସର୍ବେସର୍ବା । ଏହି ପରମ୍ପରା ନିଜେ ପୂର୍ବତନ ବିଧାୟିକା ହିଁ ଆରମ୍ଭ କରିଛନ୍ତି । ଅତୀତରେ ତିର୍ତ୍ତୋଲ କଲେଜର କିଛି କାର୍ଯ୍ୟକ୍ରମରେ ବିଧାୟିକାଙ୍କ ବିରୋଧ ଯୋଗୁଁ ତତ୍କାଳୀନ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ ଦାସ ଅତିଥି ଭାବେ ଯୋଗଦେବା ସମ୍ଭବ ହୋଇନଥିଲା । ଏବେ ସେହି ନୀତିକୁ ତିର୍ତ୍ତୋଲ ବିଜେଡି ପାଳନ କରୁଛି । ବିଧାୟକ ବିଷ୍ଣୁ ଦାସଙ୍କ ଅଗୋଚରରେ ସାଂସଦ ଡା. ରାଜଶ୍ରୀ ମଲ୍ଲିକଙ୍କ ଆଜିର ତିର୍ତ୍ତୋଲ କାର୍ଯ୍ୟକ୍ରମକୁ ବିରୋଧ କରାଯିବା ଅବସରରେ ଦଳୀୟ କର୍ମୀମାନେ ଏଭଳି ରଣ ହୁଙ୍କାର ଦିଆଯାଇଛି ।
ଅତର୍କିତ ଭାବେ ଆଜି ମଧ୍ୟାହ୍ନରେ ତିର୍ତ୍ତୋଲର କନକପୁର ପଞ୍ଚାୟତରେ ଆୟୋଜନ କରାଯାଇଥିବା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଯୋଗ ଦେଉଥିବା ଖବର ପ୍ରଚାର ହୋଇଥିଲା । ଏଣେ ଏଭଳି କାର୍ଯ୍ୟକ୍ରମ ବିଷୟରେ ଦଳର ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ବସନ୍ତ ମହାପାତ୍ର ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କୁ ଅବଗତ କରାଯାଇ ନଥିଲା । କର୍ମୀ ମହଲରେ ଏହି ଖବର ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ତୁରନ୍ତ ବିଷ୍ଣୁଙ୍କ ସମର୍ଥକଙ୍କ ସମେତ ଦଳୀୟ ନେତୃବୃନ୍ଦମାନେ ଏକଜୁଟ୍ ହୋଇ ଶାରଳା ରୋଡ୍ଠାରେ ଅପେକ୍ଷାରତ ଥିବା ସାଂସଦ ରାଜଶ୍ରୀଙ୍କ ହାତ ଗଣତି ଶୁଭେଚ୍ଛୁଙ୍କ ସହ ମୁହାଁମୁହିଁ ହୋଇପଡ଼ିଥିଲେ । ଏହି ସମୟରେ ସାଂସଦ ଓ ତାଙ୍କ ସ୍ୱାମୀ ଆଶୁତୋଷ ମଲ୍ଲିକ କନକପୁର କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ସେଠାରେ ପହଞ୍ଚିଥିଲେ । ସାଂସଦଙ୍କୁ ଦେଖିବା ମାତ୍ରେ ବିଷ୍ଣୁଙ୍କ ସମର୍ଥକମାନେ ସେ ଦିଗକୁ ଛୁଟି ଯାଇ ପ୍ରଶ୍ନବାଣ ଆରମ୍ଭ କରି ଦେଇଥିଲେ । ବିଶେଷକରି କାହିଁକି ବିଧାୟକଙ୍କୁ କାର୍ଯ୍ୟକ୍ରମ ବିଷୟରେ ଅବଗତ ନକରାଯାଇ ଏଠାକୁ ସାଂସଦ ଆସିଛନ୍ତି ବୋଲି କର୍ମୀମାନେ ଯୁକ୍ତି କରିବା ଆରମ୍ଭ କରିଥିଲେ । ଏହି କଥାକୁ କେନ୍ଦ୍ର କରି ସେଠାରେ କିଛି ସମୟ ପାଇଁ କଥା କଟାକଟି ଚାଲିଥିଲା । ବିଧାୟକଙ୍କ ସ୍ୱାସ୍ଥାବସ୍ଥା ଠିକ୍ ନଥିବା ପ୍ରସଙ୍ଗ ଉଠିବା ମାତ୍ରେ ବିଜେଡି କର୍ମୀମାନେ ବେଶୀ ମାତ୍ରାରେ ତାତି ଉଠିଥିଲେ । ସାଂସଦ ଗୋ-ବ୍ୟାକ୍ ଧ୍ୱନି ଦେଇ ଶାରଳା ରୋଡ୍ ରାସ୍ତା ଉପରେ ଶୋଇ ଯାଇଥିଲେ । ଫଳରେ ଭିଡ଼ ଓ ଉତ୍ତେଜନା ଭିତରୁ ସାଂସଦ ମୁକୁଳି ପାରିନଥିଲେ । ଗାଡ଼ି ନଯାଇ ପାରିବାରୁ ବାଧ୍ୟ ହୋଇ ସାଂସଦ ଡା. ମଲ୍ଲିକ ଚାଲିବା ଆରମ୍ଭ କରିଥିଲେ । ତଥାପି ଉତ୍ତ୍ୟକ୍ତ ଦଳୀୟ କର୍ମୀମାନେ ତାଙ୍କ ପଛରେ ଗୋଡ଼ାଇ ଲଗାତାର ଭାବେ ପ୍ରଶ୍ନ କରି ଚାଲିଥିଲେ ।
କର୍ମୀଙ୍କ ଅଭିଯୋଗ, ରାସ୍ତାରେ ଶୋଇବା ଅବସ୍ଥାରେ ସାଂସଦ ସେମାନଙ୍କୁ ଡେଇଁକି ଚାଲି ଯାଇଥିଲେ । କନକପୁର ରାସ୍ତାରେ ଚାଲିବା ଭିତରେ ସାଂସଦ କିଛି ଦୂରରୁ ଏକ ବାଇକ୍ରେ ବସି ପଳାଇ ଯାଇଥିଲେ । ଏଣେ କିନ୍ତୁ ସାଂସଦଙ୍କ ସ୍ୱାମୀ ଆଶୁତୋଷ ମଲ୍ଲିକ ଉତ୍ତ୍ୟକ୍ତ କର୍ମୀଙ୍କ ଭିତରେ ଫସି ରହିଥିଲେ । ଚୁପ୍ଚାପ୍ ଗାଡ଼ିରେ ବସିବା ଛଡ଼ା ତାଙ୍କର ଅନ୍ୟ କିଛି ଉପାୟ ନଥିଲା । ଘଟଣାସ୍ଥଳରେ ତିର୍ତ୍ତୋଲ ପୁଲିସ ଥାଇ ସୁଦ୍ଧା ଶାସକ ଦଳ ଭିତରେ ଚାଲିଥିବା ଲଢେଇକୁ ଦେଖି ନିରବ ରହିବାକୁ ବାଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ପୁଲିସର ପରାମର୍ଶ ଓ ବିଧାୟକ ବିଷ୍ଣୁଙ୍କ ନିର୍ଦ୍ଦେଶରେ ଉତ୍ତ୍ୟକ୍ତ କର୍ମୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ, ଫଳରେ କର୍ମୀଙ୍କ ଗହଣରେ ଏକ ପ୍ରକାର ଅଟକ ଥିବା ଆଶୁତୋଷ ମଲ୍ଲିକ ମୁକୁଳିବାକୁ ସକ୍ଷମ ହୋଇଥିବା ଖବର ମିଳିଛି । ପ୍ରଚଣ୍ଡ ବିରୋଧଭାସ ଭିତରେ ସାଂସଦଙ୍କ ହାତଗଣତି ସମର୍ଥକମାନେ ନିରୁପାୟ ହୋଇପଡ଼ିଥିଲେ । ଅପରପକ୍ଷେ କର୍ମୀଙ୍କ ରୋଷର ଶିକାର ହେବା ପରେ କନକପୁର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାଂସଦ ଯୋଗ ଦେଇଥିଲେ ସୁଦ୍ଧା ସେଠାରେ କମ୍ ଲୋକଙ୍କ ଉପସ୍ଥିତ ଥିବା କୁହାଯାଉଛି । ତେବେ କଂଗ୍ରେସ ଲୋକଙ୍କୁ ଧରି ସାଂସଦ କନକପୁର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ଲକ ବିଜେଡି ସଭାପତି ବସନ୍ତ ମହାପାତ୍ରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଆଜିର ଏହି ଘଟଣା ପରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବିଜେଡି ରାଜନୀତି ସରଗରମ ହୋଇପଡ଼ିଛି । ବିଧାୟକ ଭାବେ ବିଷ୍ଣୁଙ୍କ ଦବ୍ଦବା ବଢିଥିବା ବେଳେ ସାଂସଦଙ୍କ ସମର୍ଥକ ଓ ସଙ୍ଗଠନ ଛିଡ଼ୁଥିବା ବାରି ହୋଇପଡ଼ିଛି । ଏହାସହ ସେକାଳ ପଖାଳ ଆଉ ନାହିଁ କହି ଦଳୀୟ ସାଂସଦ ହେଲେ ବି ପୂର୍ବଭଳି ଓଲମ ବିଲମ କାମ କଲେ କିମ୍ବା କର୍ମୀଙ୍କୁ ଅଣଦେଖା କଲେ ବିରୋଧ କରାଯିବ ବୋଲି ପୂର୍ବତନ ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଅଶୋକ ରାଉତ, ଯୁବ ବିଜେଡି ନେତା ବିମଳ ମହାପାତ୍ର, ଛାତ୍ର ନେତା ଦେବୀ ପ୍ରସାଦ ମହାପାତ୍ର, ରବିନ୍ଦ୍ର ସେଠୀ, ସୁରେନ୍ଦ୍ର ମହାନ୍ତି, ଭାସ୍କର ନାୟକ, ପ୍ରଫୁଲ୍ଲ ମହାନ୍ତି, ହିରଣ୍ୟ ଖୁଣ୍ଟିଆ, ଫିରୋଜ ସ୍ୱାଇଁ, ଧ୍ରୁବ ଖଟୁଆ, ପ୍ରସିତ୍ ଦେବଦର୍ଶୀ ରାଉତ, ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଶ୍ରୀ ମହାପାତ୍ର ପ୍ରମୁଖ ସତର୍କ କରାଇ ଦେଇଛନ୍ତି । ଏ ସଂପର୍କରେ ସାଂସଦ ଡା. ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ଏକ ମିଟିଂରେ ରହିଛି, ପରେ କଥା ହେବି ବୋଲି ସେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons