ରାଜ୍ୟ ଗୋଷ୍ଠୀ ଟେବୁଲ୍ ଟେନିସ୍ :ମିକ୍ସଡ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ

Get real time updates directly on you device, subscribe now.

କଟକ,(ବି.ବି.ବ୍ୟୁରୋ): ଜବାହରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମ୍ ଠାରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ଗୌରବ ମିଳିଛି । ମିକ୍ସ ଡବଲ୍ସରେ ଜି.ସାଥିୟାଁ ଏବଂ ଅର୍ଚ୍ଚନା କାମଥ୍ଙ୍କ ଯୋଡି ଚାମ୍ପିଅନ୍ ହୋଇଛନ୍ତି । ଫାଇନାଲରେ ଏହି ଯୋଡି ସିଙ୍ଗାପୁରର ପାଙ୍ଗ୍ ୟୁ ଏନ୍ କୋଏନ୍ ଏବଂ ଗୋଇ ରୁଇଙ୍କୁ ପରାସ୍ତ କରିଛନ୍ତି । ଫାଇନାଲ ମ୍ୟାଚରେ ଯେଉଁଭଳି ସଂଘର୍ଷ ଆଶା କରାଯାଉଥିଲା ସେମିତି କିଛି ଦେଖିବାକୁ ମିଳିଲାନାହିଁ । ସାଥିୟାଁ ଓ ଅର୍ଚ୍ଚନା ଚମ+ାର ଖେଳ ପ୍ରଦର୍ଶନ କରି ଫାଇନାଲକୁ ଏକତରଫା କରିଦେଇଥିଲେ । ଯାହାଫଳରେ ଏହି ଭାରତୀୟ ଯୋଡି ସିଧାସଳଖ ସେଟ୍ ୧୧-୧, ୧୧-୭ ଓ ୧୧-୪ରେ ପ୍ରତିପକ୍ଷକୁ ମାତ୍ ଦେଇ ବିଜେତା ହୋଇଥିଲେ । ମିକ୍ସଡ଼ ଡବଲ୍ସରେ ଅନ୍ୟ ଭାରତୀୟ ଖେଳାଳି ମାନେ ସେମିଫାଇନାଲ ପର୍ଯ୍ୟାୟରୁ ବାଦ୍ ପଡିଯାଇଥିଲେ । ଶୁଭ୍ରାଂଶୁ ଗ୍ରୋଭର୍ ଓ ଦିବ୍ୟା ଦେଶପାଣ୍ଡେ, ମାନବ ବିକାଶ ଠାକ୍କର ଓ ସୁତୀର୍ଥା ମୁଖାର୍ଜୀ, ଶରତ କମଲ୍ ଓ ଶ୍ରୀୟା ଆକୁଲାଙ୍କ ଯୋଡି ପରାସ୍ତ ହୋଇଥିଲେ ।
ମହିଳା ଡବଲ୍ସରେ ଭାରତର ତିନି ଯୋଡି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ପୂଜା ସହସ୍ରବୁଦେ୍ଧ ଓ କୀର୍ତ୍ତିକା ସିହ୍ନା ରୟ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆର ମେଲିସା ଟାପର୍ ଓ ମିଚେଲ୍ ବ୍ରୋମଲିଙ୍କୁ ୩-୧ ସେଟ୍ରେ ହରାଇଛନ୍ତି । ସେମିରେ ଏହି ଯୋଡି ସିଙ୍ଗାପୁରର ରୁଇ ଗୋଇ ଏବଂ ଜିନ୍ ରୁ ୱଙ୍ଗ୍କୁ ଭେଟିବ । ଆଉ ଏକ କ୍ୱାର୍ଟରରେ ଭାରତୀୟ ଯୋଡି ମୌସୁମୀ ପଲ୍ ଓ ଶ୍ରୀଜା ଆକୁଲା ସିଙ୍ଗାପୁରର ୱାନ୍ ଲିଙ୍ଗ୍ ଓ ଜସି ଲିନ୍ଙ୍କୁ ୩-୧ ସେଟ୍ରେ ମାତ୍ ଦେଇ ଆଗକୁ ବଢିଛନ୍ତି । ସେହିପରି ସୁତୀର୍ଥା ଓ ଆହ୍ୟିକା ମୁଖାର୍ଜୀ ୩-୦ ସେଟ୍ରେ ମାଲେସିଆର ହୋ ହିଙ୍ଗ୍ ଓ ଜିନ୍ ଟି’ଙ୍କୁ ମାତ୍ ଦେଇଛନ୍ତି । ସେମିଫାଇନାଲ ମୁକାବିଲାରେ ଭାରତର ଦୁଇ ବିଜୟୀ ଯୋଡି ମୌସୁମୀ ପଲ୍, ଶ୍ରୀଜା ଆକୁଲା ଏବଂ ସୁତୀର୍ଥା ମୁଖାର୍ଜୀ ଓ ଆହ୍ୟିକା ମୁଖାର୍ଜୀଙ୍କ ମଧ୍ୟରେ ମୁକାବିଲା ହେବ । ତେଣୁ ମହିଳା ଡବଲ୍ସରେ ଭାରତର ଏକ ପଦକ ନିଶ୍ଚିତ ବୋଲି କୁହାଯାଇପାରେ । ପୁରୁଷ ଡବଲ୍ସରେ ଦୁଇ ଭାରତୀୟ ଯୋଡି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଶରତ କମଲ୍ ଓ ଜି.ସାଥିୟାଁଙ୍କ ଯୋଡି କ୍ୱାର୍ଟରଫାଇନାଲ ମ୍ୟାଚରେ ଇଂଲଣ୍ଡ ଓ ସିଙ୍ଗାପୁରର ମିଳିତ ଟିମ୍ ଡେଭିଡ୍ ମ୍ୟାକ୍ ବେଥ୍ ଏବଂ ଲୁକାସ୍ ଟାନ୍ଙ୍କୁ ୩-୦ ସେଟ୍ରେ ହରାଇଥିଲେ । ଅନ୍ୟପକ୍ଷରେ ଆନ୍ଥୋନି ଅମଲରାଜ ଏବଂ ମାନବ ଠାକ୍କରଙ୍କ ଯୋଡି ଅଷ୍ଟ୍ରେଲିଆର ହେମିଂ ହୁ ଓ ଡିଲନ୍ ଚାମ୍ବର୍ସଙ୍କୁ ୩-୧ ରେ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେମି ମୁକାବିଲରେ ଭାରତର ଏହି ଦୁଇ ବିଜୟୀ ଯୋଡି ସିଙ୍ଗାପୁର ଓ ଇଂଲଣ୍ଡ ଦଳର ପ୍ରତିଯୋଗୀଙ୍କୁ ଭେଟିବେ ।
ମହିଳା ସିଙ୍ଗିଲ୍ସର ସେମିଫାଇନାଲ୍ ଲାଇନ୍ଅପ୍ ହୋଇଛି । ଶ୍ରୀଜା ଆକୁଲା , ଆହ୍ୟିକା ମୁଖାର୍ଜୀ ଓ ମଧୁରିକା ପାଟକରଙ୍କ ସମେତ ଇଂଲଣ୍ଡର ଟିନ୍ ଟିନ୍ ହୋ’ ସେମିରେ ପ୍ରବେଶ କରିଛନ୍ତି । କ୍ୱାର୍ଟର ରାଉଣ୍ଡରେ ଆହ୍ୟିକା ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ ମୌସୁମୀ ପଲ୍ଙ୍କୁ ୪-୩ ସେଟ୍ରେ, ମଧୁରିକା ପ୍ରତିପକ୍ଷ କୀର୍ତ୍ତିକା ସିହ୍ନା ରୟଙ୍କୁ ୪-୧ ସେଟ୍ରେ ଏବଂ ଶ୍ରୀଜା ଆକୁଲା ୪-୨ ସେଟ୍ରେ ସୁତୀର୍ଥୀ ମୁଖାର୍ଜୀଙ୍କୁ ମାତ୍ ଦେଇଥିଲେ । ପୁରୁଷ ସିଙ୍ଗିଲ୍ସରେ ଜି.ସାଥିୟାନ୍ ନାଇଜେରିଆର ଅବିଉଦ୍ଦିନ ବୋଦେଙ୍କୁ ୪-୦ରେ, ହରମିତ୍ ଦେଶାଇ ୪-୦ ରେ ସୁସ୍ମିତ ଶ୍ରୀରାମଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଶରତ କମଲ୍ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି । କ୍ୱାର୍ଟର ମ୍ୟାଚରେ ଶରତ ସିଙ୍ଗାପୁର ପ୍ରତିଦ୍ୱନ୍ଦ୍ୱୀ କିଅନ୍ ଏନ୍ ୟୁ’ଙ୍କ ଠାରୁ ୪-୦ରେ ହାରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons