କେନ୍ଦ୍ରାପଡ଼ା: ଦୀର୍ଘ ବ୍ୟବଧାନ ପରେ ପୁଣି ଥରେ ବିଗତ ଦିନର ଗ୍ୟାଙ୍ଗ୍ଷ୍ଟର୍ ଟିଟୋର ସାମ୍ରାଜ୍ୟ ଉପରେ ପଞ୍ଝା ମାରିଛି କ୍ରାଇମ୍ବ୍ରାଞ୍ଚ୍ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଟିମ୍ । ପ୍ରାୟ ୩ ବର୍ଷ ଅନ୍ତରରେ ଟି-ଲିଙ୍କ୍ରେ ସମ୍ପୃକ୍ତ ଥିବା ଅଭିଯୋଗରେ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ୨ ଦାଦା ପୁଅ ଭାଇଙ୍କୁ ଗିରଫ କରି ଏସଟିଏଫ୍ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁହେଁ ହେଲେ ସୟଦ ଜହର ଅଲ୍ଲୀଙ୍କ ପୁଅ ଜାହିଦ ଅଲ୍ଲୀ ଓରଫ ପାପା ଓ ସୟଦ ସଦ୍ଧାମ ଅଲ୍ଲୀ । ଉଭୟ ଟି-ଲିଙ୍କରେ ଏକ ପୁରୁଣା ମାମଲାରେ ସମ୍ପୃକ୍ତ ଥିଲେ ମଧ୍ୟ ଦୀର୍ଘ ଦିନ ହେବ ଏସ୍ଟିଏଫ୍ ଆଖିରେ ଧୂଳି ଦେଇ ଫେରାର ଥିଲେ । ଭୁବନେଶ୍ୱର ଏସ୍ଟିଏଫ୍ର ଇନ୍ସପେକ୍ଟର ଅଶୋକ କୁମାର ଗିରିଙ୍କ ନେତୃତ୍ୱରେ ଏକ ଟିମ୍ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ ସହାୟତାରେ ଗତକାଲି ରାତିରେ ଚଢ଼ଉ କରି ଦୁଇଜଣଙ୍କୁ ଧରିଥିଲା । ସେମାନେ ଦିଲାରପୁରସ୍ଥିତ ନିଜ ଘରେ ଥିବା ବେଳେ ଏସ୍ଟିଏଫ ସେମାନଙ୍କୁ କାବୁ କରି ନେଇଥିଲା । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହୋଇଯିବାରୁ ଉଭୟଙ୍କୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି ।
ଟିଟୋ ପ୍ରାୟ ୩ ବର୍ଷ ଆଗରୁ ଗିରଫ ହୋଇ କେନ୍ଦ୍ରାପଡ଼ା ବାରିମୂଳ ସବ୍ଜେଲକୁ ଯାଇଥିଲା । ୨୦୧୮ ଜୁନ୍ ୩୦ରେ ଟିଟୋ ସହ ତା’ର ଆଉ କିଛି ସହଯୋଗୀଙ୍କୁ କେନ୍ଦ୍ରାପଡ଼ା ଟାଉନ୍ର ଦିଲାରପୁରରୁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଉଠାଇ ନେଇଥିଲା । ଟିଟୋର ଗିରଫଦାରି ପରେ ଏସ୍ଟିଏଫ୍ ତାର ଆର୍ଥିକ ସାମ୍ରାଜ୍ୟ ଉପରେ ଚଢ଼ଉ ଆରମ୍ଭ କରିଥିଲା । ଆର୍ଥିକ ସ୍ତରରେ ଟିଟୋ ସାମ୍ରାଜ୍ୟକୁ ମାଟିରେ ମିଶାଇ ତାକୁ ଦୁର୍ବଳ କରିବାକୁ ଉଦ୍ୟମ କରିଥିଲା । ଟିଟୋ ବିରୋଧରେ କେବଳ କେନ୍ଦ୍ରାପଡ଼ାର ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ଏସ୍ଟିଏଫ୍ରେ ୫ଟି ମାମଲା ଥିଲା । ଏହା ବାଦ୍ କଟକ, ପାରାଦୀପ, ଜଗତସିଂହପୁର ଓ ଖୋର୍ଦ୍ଧାରେ ଏକାଧିକ ମାମଲା ବିଚାରାଧୀନ ରହିଛି । ଏସଟିଏଫ୍ ରୁଜୁ କରିଥିବା ୫ଟି ମାମଲା ମଧ୍ୟରୁ ମାମଲା ନଂ. ୧୦/୧୮ରେ ଟିଟୋ ସହ ତା’ର ସମ୍ପର୍କୀୟ ଓ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଟିଟୋର ସମ୍ପର୍କୀୟ ଓ ସହଯୋଗୀମାନେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ପାଣ୍ଡିରି ମୌଜାରେ ଡରାଇ, ଧମକାଇ ୩୬ ଗୁଣ୍ଠ ଜମି ଅକ୍ତିଆର କରିଥିଲେ । ଏଥିରେ ବିଆଇପିଏଲ୍ର ଗ୍ୟାରେଜ୍ କରିବା ସହ ବାଲି, ମାଟି, ମୋରମ୍, ମେଟାଲ ଆଦି ଗଚ୍ଛିତ ରଖୁଥିଲେ । ଜମି ନ ଦେଲେ ସେମାନେ ହତ୍ୟା ଧମକ ଦେଇଥିଲେ ବୋଲି କୁଜଙ୍ଗ ଥାନା ଫତେପୁରର ଗୋବିନ୍ଦ ଚନ୍ଦ୍ର ମହାନ୍ତି ଏସ୍ଟିଏଫ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏହି ଜମିର ମାଲିକାନା ଗୋବିନ୍ଦଙ୍କ ସହ ଅନ୍ୟ ଅଂଶୀଦାରଙ୍କ ନାଁରେ ଥିଲା । ଏହି ମାମଲାରେ ଏସ୍ଟିଏଫ ଟିଟୋର ଅନ୍ୟ ସମ୍ପର୍କୀୟ ଓ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଦାଦାପୁଅ ଭାଇ ପାପା ଓ ସଦ୍ଧାମ ଖସିଯିବାକୁ ସମର୍ଥ ହୋଇଥିଲେ । ସେମାନେ ପୁଲିସକୁ ଚକମା ଦେଇ ଆସୁଥିବା ବେଳେ ଗତକାଲି ରାତିରେ ଦୁହେଁ ଘରେ ଥିବା ଜାଣି ଟାଉନ୍ ପୁଲିସ ସହାୟତାରେ ଏସ୍ଟିଏଫ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା । ଏସ୍ଟିଏଫ୍ର ଏହି ୪ଜଣିଆ ଟିମ୍ର ଚଢ଼ଉରେ ଟାଉନ ଥାନା ଏସ୍ଆଇ ଅନ୍ତର୍ଯ୍ୟାମୀ ବିଶ୍ୱାଳ ପୁଲିସ ଫୋର୍ସ ସହ ସାମିଲ ଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.