
ବାଲିଆପାଳ,(ବି.ବି.ନୁ୍ୟଜ): ରାତି ପାହିଲେ ମଙ୍ଗନ । ୧୯ ତାରିଖରେ ବାହାଘର । ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ମାର୍ଚ୍ଚ ମାସ ୫ ତାରିଖରୁ ସରିଥିଲା ନିର୍ବନ୍ଧ । କମ୍ପାନି ମ୍ୟାନେଜର ଥିବା ପୁଅର ବାହାଘର ପାଇଁ ପରିବାର କଟକଣା କୋହଳକୁ ଅପେକ୍ଷା କରିଥିଲେ । ଶେଷରେ କଟକଣା ଭିତରେ ଆସନ୍ତା ୧୯ ତାରିଖ ବାହାଘର ହେବାର ନିଷ୍ପତ୍ତି ହୋଇଥିଲା । ସୋମବାର ବର ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ବାଲେଶ୍ୱର ଯାଇଥିଲେ । ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ତାଙ୍କ ଜୀବନ । ପୁଅର ମୃତଦେହ ଘରକୁ ଫେରିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମରେ । ମୃତ ଯୁବକ ହେଲେ ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମର ଅଶୋକ କୁମାର ଦାସଙ୍କ ମଧ୍ୟମ ପୁତ୍ର ତପନ ।
ତପନ ଏକ କମ୍ପାନି ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଆସନ୍ତା ୧୯ ତାରିଖରେ ତାଙ୍କର ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ସୋମବାର ବାହାଘର ରିସେପ୍ସନରେ ବନ୍ଧୁବାନ୍ଧବଙ୍କ ପାଇଁ ମାସ୍କ, ଟୋପି କିଣିବା ସାଙ୍ଗକୁ ପାର୍ଲରକୁ ଯାଇ ଫେରିବା ପାଇଁ ତାଙ୍କର ସାଙ୍ଗ ରେମୁ ଗ୍ରାମର ସୁବ୍ରତ ଦାସଙ୍କ ସହ ଏକ ବାଇକ୍ରେ ବାଲେଶ୍ୱର ଯାଇଥିଲେ । ବାଲେଶ୍ୱରରୁ କାମ ସାରି ସୁବ୍ରତ ବାଇକ ଚଳାଇ ଘରକୁ ଫେରୁଥିଲେ । ତପନ ପଛରେ ବସିଥିଲେ । ନିଧପଣ୍ଡା ଛକ ନିକଟରେ ଏକ କାର ହଠାତ୍ ତାଙ୍କ ଗାଡ଼ି ଆଗରେ ବୁଲାଇ ଦେବାରୁ ବାଇକ୍ଟି କାରରେ ବାଡେ଼ଇ ହୋଇଯାଇଥିଲା । ଘଟଣା ସ୍ଥଳର ଉଭୟ ଛିଟିକି ପଡ଼ିଥିଲେ । ସୁବ୍ରତଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ତପନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ନାକ ଦେଇ ରକ୍ତସ୍ରାବ ହୋଇଥିଲା । ଘଟଣା ସ୍ଥଳରେ ତପନଙ୍କ ମୃତୁ୍ୟ ହୋଇଯାଇଥିଲା । ସ୍ଥାନୀୟ ପୁଲିସ ବାଇକ୍, କାର୍ ଜବତ କରିବା ସହ ସୁବ୍ରତ ଓ ତପନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା । ସନ୍ଧ୍ୟାରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।


Comments are closed, but trackbacks and pingbacks are open.