ବୁର୍ଲା, (ବି.ବି.ନୁ୍ୟଜ୍):ଧନୁଯାତ୍ରା ବେଳେ ରାମଦୋଳିରୁ ସେଲଫି ନେବା ବେଳେ ପଡ଼ି ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ଏଥିରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତ ଯୁବକ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ମୃତକ ହେଲେ ବୈରାଗୀମୁଣ୍ଡା ଗାଁର ଜଗା ବାରିକ (୨୩) । ଜଗା ଓ ତାଙ୍କ ସାଙ୍ଗ ମାଧବ ଛତ୍ରିଆ ମଙ୍ଗଳବାର ଯାତ୍ରା ଦେଖିବାକୁ ଆସିଥିଲେ । ରାମଦୋଳିରୁ ସେଲ୍ଫି ନେବାବେଳେ ଖସିପଡ଼ିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଜଗାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ନିଆଯାଇଥିଲା । ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ବୁର୍ଲା ମେଡିକାଲ ଫାଣ୍ଡି ପୁଲିସ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୯ଟା ବେଳେ ଜଗା ଓ ମାଧବ ରାମଦୋଳିରୁ ପଡ଼ି ଗୁରୁତର ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିିିତ୍ସା ପାଇଁ ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନା ନେଇଥିଲେ । ଦୁର୍ଘଟଣାରେ ଜଗାଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା । ଜଗାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବରଗଡ଼ ଓ ପରେ ବୁର୍ଲା ନିଆଯାଇଥିଲା । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ସାଢେ଼ ୪ଟା ବେଳେ ଜଗାଙ୍କ ମୃତୁ୍ୟ ଘଟିଛି । ଏନେଇ ଗତକାଲି ଦୁର୍ଘଟଣା ପରେ ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ସେଲ୍ଫି ନେଉଥିବା କଥାକୁ ମୃତ ଜଗାଙ୍କ କାକା ଖଣ୍ଡନ କରିଛନ୍ତି । ଉଭୟଙ୍କ ପାଖରେ କୌଣସି ମୋବାଇଲ ନଥିବା ସେ କହିଛନ୍ତି । ରାମପୁର ପୁଲିସ୍ ନିଜ ଆଡ଼ୁ ଏନେଇ ମାମଲା ରୁଜୁ କରିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ରାମପୁର ପୁଲିସ ତଦନ୍ତ ଜାରି ରଖିଛି ।


Comments are closed, but trackbacks and pingbacks are open.