ମୁମ୍ବାଇ:ସାଂସଦ, ବିଧାୟକ କିମ୍ବା ମହାନଗର ନିଗମ ଭଳି ସ୍ଥାନୀୟ ପ୍ରଶାସନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡରେ ସ୍ଥାନିତ ହୋଇପାରିବେ ନାହିଁ । ଖାଲି ସେତିକି ନୁହେଁ କୌଣସି ବ୍ୟାଙ୍କର ସେଣ୍ଟ୍ରାଲ ଅଡିଟର ଭାବେ କାର୍ଯ୍ୟ କରୁଥିବା ଚାର୍ଟାର୍ଡ ଆକାଉଣ୍ଟାନ୍ସି ଫାର୍ମର ପାର୍ଟନର ବି ସଂପୃକ୍ତ ବ୍ୟାଙ୍କର ବୋର୍ଡରେ ରହିପାରିବ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ଏକ ନୂଆ ସର୍କୁଲାର ଜାରି କରାଯାଇ ଏହା କୁହାଯାଇଛି ।
କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବୋର୍ଡ ସଦସ୍ୟ ହେବା ପାଇଁ ପ୍ରାର୍ଥୀଙ୍କର କ’ଣ ଯୋଗ୍ୟତା ରହିବା ଦରକାର ସେ ନେଇ ଆର୍ବିଆଇ ଏକ ଫିଟ୍ ଆଣ୍ଡ୍ ପ୍ରପର୍ ନର୍ମ ଜାରି କରିଛି । ଏହା ଅନୁସାରେ କୌଣସି ପ୍ରତିଯୋଗୀ ବ୍ୟାଙ୍କ, ଆର୍ବିଆଇ ଅବା କୌଣସି ଆର୍ଥିକ ପ୍ରତିଷ୍ଠାନ, ବୀମା କମ୍ପାନି ତଥା ଅଣ ଆର୍ଥିକ ସଂସ୍ଥାର ବୋର୍ଡ ସଦସ୍ୟ ଥିବା ବ୍ୟକ୍ତି ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡରେ ସ୍ଥାନ ପାଇପାରିବେ ନାହିଁ । ଅନ୍ୟ କୌଣସି ବାଣିଜ୍ୟିକ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ସମବାୟ ବ୍ୟାଙ୍କ ତଥା ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ବୋର୍ଡରେ ସେ ସଦସ୍ୟ ନ ଥିବେ ।
ଖାଲି ସେତିକି ନୁହେଁ ନିଯୁକ୍ତି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ତଥା ଋଣ ପ୍ରଦାନ, ନିବେଶ, ଲିଜିଂ ଏବଂ ଅନ୍ୟାନ୍ୟ ପାରା ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିବିଶେଷ ବି କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିର୍ଦ୍ଦେଶକ ପଦରେ ରହିପାରିବେ ନାହିଁ ।
କୌଣସି କମ୍ପାନିରେ ପରିଚାଳନାଗତ ନିୟନ୍ତ୍ରଣ କ୍ଷମତା ରଖୁଥିବା ନିବେଶକ ବି ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବୋର୍ଡ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇପାରିବେ ନାହିଁ । ଯଦି ତାଙ୍କ ନିକଟରେ ପରିଚାଳନାଗତ ନିୟନ୍ତ୍ରଣ କ୍ଷମତା ନ ଥିବ ତା’ହେଲେ ସେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡରେ ନିର୍ଦ୍ଦେଶକ ରହିପାରିବେ ।
ଜଣେ ବ୍ୟକ୍ତି ଯଦି ବିଗତ ଦିନରେ କୌଣସି ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ତଥା ବୀମା କମ୍ପାନି ବୋର୍ଡରେ ୬ ବର୍ଷ ଧରି ନିର୍ଦ୍ଦେଶକ ରହିଥିବେ ତାଙ୍କୁ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡରେ ନିଯୁକ୍ତି କିମ୍ବା ପୁନଃ ନିଯୁକ୍ତି ଦିଆଯାଇପାରିବ ନାହିଁ । ପ୍ରାର୍ଥୀ ଷ୍ଟକ୍ ବ୍ରୋକିଂ ବ୍ୟବସାୟରେ ଲିପ୍ତ ନ ଥିବା ଦରକାର ବୋଲି ଆର୍ବିଆଇ ପ୍ରକାଶ କରିଛି ।
ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବା ଦରକାର । ପ୍ରାର୍ଥୀଙ୍କ ବୟସ ୩୫ରୁ ୬୭ ବର୍ଷ ମଧ୍ୟରେ ହୋଇଥିବା ଦରକାର ବୋଲି ଆର୍ବିଆଇ ପକ୍ଷରୁ ପ୍ରକାଶ । ମନୋନୀତ ନିର୍ଦ୍ଦେଶକ ଅଫିସ୍ରେ ୩ ବର୍ଷ ରହିବେ । ପୁନଃ ନିର୍ବାଚିତ ହେବା ପରେ ମୋଟ ଅବଧି ୬ ବର୍ଷ ରହିବ । ଖିଲାପକାରୀ କମ୍ପାନିଗୁଡ଼ିକ ସହ ଜଡ଼ିତ ଥିବା ପ୍ରାର୍ଥୀଙ୍କୁ ବି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡରେ ସ୍ଥାନ ମିଳିବ ନାହିଁ ।
କେନ୍ଦ୍ର ପକ୍ଷରୁ ନିଯୁକ୍ତି ପାଇଥିବା ନୋମିନି ବୋର୍ଡର ମନୋନୟନ ଏବଂ ବେତନ କମିଟି(ଏନ୍ଆର୍ସି)ର ସଦସ୍ୟ ରହିବେ ନାହିଁ । ସଂଶୋଧିତ ଆଇନ କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଆଗକୁ ଘରୋଇ ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନି(ଏନ୍ବିଏଫ୍ସି)ଗୁଡିକ ପାଇଁ ବି ଭିନ୍ନ ନିୟମ ଆସିପାରେ ।
Comments are closed, but trackbacks and pingbacks are open.