କୋରୁକୋଣ୍ଡା, (ବି.ବି.ନୁ୍ୟଜ): ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଏହାର ପ୍ରତିବାଦ କରି ଗ୍ରାମବାସୀ ଆଜି କାଦୁଅ ପଚପଚ୍ ରାସ୍ତାରେ ଧାନତଳି ରୋଇ ପ୍ରଶାସନକୁ ବିରୋଧ କରିଛନ୍ତି । ତୁରନ୍ତ ରାସ୍ତା ନିର୍ମାଣ କରା ନଗଲେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତ ଗାଙ୍ଗଲାଗୁଡା ଗାଁରେ ଏଭଳି ଦେଖିବାକୁ ମିଳିଛି ।
ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଦୀର୍ଘ ୧୫ବର୍ଷ ହେଲା ସେମାନଙ୍କ ଗାଁ ରାସ୍ତାକୁ ମରାମତି କରାଯାଇ ନାହିଁ । ରାସ୍ତାର ଗୋଟିଏ ପାଶ୍ୱର୍ରେ ଜଳସେଚନ ବିଭାଗର କେନାଲ ରହିଛି । ତେଣୁ ଲୋକଙ୍କ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସମାଧାନ ପାଇଁ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ । ଡିଆରଡିଏ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ଜଳସେଚନ ବିଭାଗକୁ କହିବାକୁ କୁହାଯାଉଛି । ଜଳସେଚନ ବିଭାଗ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କହିବା ପାଇଁ କହୁଛି । ଉଭୟ ବିଭାଗ ମଧ୍ୟରେ ଗାଁର ବିକାଶ ପେଷି ହୋଇଯାଇଛି ବୋଲି ଗ୍ରାମବାସୀ କହିଛନ୍ତି । ବ୍ଲକ ସଦର ମହକୁମାରୁ ମାତ୍ର ୫କିମି ଦୂରରେ ଥିବା ଏହା ଗାଁରେ ୩ଶହରୁ ଅଧିକ ଲୋକ ବସବାସ କରୁଛନ୍ତି । ରାସ୍ତା ନଥିବାରୁ ଗର୍ଭବତୀ ଓ ରୋଗୀଙ୍କୁ ନେବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆମ୍ବୁଲାନ୍ସ ଚାଳକ ମଧ୍ୟ ଗାଁକୁ ଆସିବାକୁ ରାଜି ହେଉ ନାହାନ୍ତି । ଫଳରେ ଖଟିଆରେ ବୋହି ରୋଗୀଙ୍କୁ ନେବାକୁ ପଡୁଛି । ଗାଁର କୁନି କୁନି ଛାତ୍ରଛାତ୍ରୀ ମଧ୍ୟ ଅସୁବିଧା ଭୋଗ କରୁଛନ୍ତି । ରାସ୍ତା ଠିକ ନଥିବାରୁ ଲୋକଙ୍କୁ ୬କିମି ବୁଲି ଯିବାକୁ ପଡୁଛି । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ କାଦୁଅ ରାସ୍ତାରେ ଧାନତଳି ରୋଇ ପ୍ରତିବାଦ କରିଥିବା କହିଛନ୍ତି ।
Comments are closed, but trackbacks and pingbacks are open.