ଦାରିଙ୍ଗବାଡ଼ି, (ବି.ବି.ନୁ୍ୟଜ୍): ଥମୁନି ଜନନୀ ଯନ୍ତ୍ରଣା । କେତେବେଳେ ରାସ୍ତା ନଥିବା ଯୋଗୁଁ ଗର୍ଭବତୀ ଜଙ୍ଗଲରେ ପ୍ରସବ କରୁଛି । ଆଉ କେତେବେଳେ ଗାଡ଼ି ଭିତରେ, ଡାକ୍ତରଖାନା ବାରଣ୍ଡାରେ ପ୍ରସବ ହେଉଥିବା ଅଭିଯୋଗ ହୋଇଛି । ଏବେ ଡାକ୍ତରଖାନାରେ ଡାକ୍ତର ନଥିବା ଜଣେ କର୍ମଚାରୀଙ୍କଠାରୁ ଶୁଣି ଗର୍ଭବତୀ ଘରକୁ ଫେରିବା ସମୟରେ ଅଧା ବାଟରେ ପ୍ରସବ ହୋଇଥିବା ଅଭିଯୋଗ ହୋଇଛି । ପ୍ରସବ ପରେ ନବଜାତକ ଶିଶୁର ମୃତୁ୍ୟ ହୋଇଛି ।
ପର୍ତ୍ତମହା ପଞ୍ଚାୟତ ଅନ୍ତର୍ଗତ ପାଡେଲମାଲା ଗ୍ରାମର ସୁଜାତା ପ୍ରଧାନଙ୍କ ସ୍ୱାମୀ ଯୋସେଫ ପ୍ରଧାନ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କ ଗର୍ଭ ଯନ୍ତ୍ରଣା ହେବାରେ ସେ ୨୫ କିଲୋମିଟର ଅଟୋ ଯୋଗେ ଦାରିଙ୍ଗବାଡ଼ି ଡାକ୍ତରଖାନାରେ ପହଞ୍ଚିିଥିଲେ । ହେଲେ ଡାକ୍ତର ନଥିବା କହି ଗର୍ଭବତୀ ମହିଳା ସୁଜାତାଙ୍କୁ ଫେରାଇ ଦେଇଥିଲେ ଜଣେ କର୍ମଚାରୀ । ବାଲିଗୁଡ଼ା ଡାକ୍ତରଖାନା ନେଇ ଯିବାକୁ କୁଆଡେ଼ ଉକ୍ତ କର୍ମଚାରୀ ପରାମର୍ଶ ଦେଇଥିଲେ । ଟଙ୍କା ଅଭାବରୁ ଦାରିଙ୍ଗବାଡ଼ିରୁ ବାଲିଗୁଡ଼ା ଡାକ୍ତରଖାନା ନେବାକୁ ସକ୍ଷମ ନଥିଲେ । ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଅଟୋ ଯୋଗେ ନିଜ ଘର ପାଡେଲମାଲା ଗ୍ରାମକୁ ଯାଉଥିବା ସମୟରେ ପର୍ତ୍ତମାହା ସ୍ଥିତ ସାରୁମାହା ନିକଟରେ ସୁଜାତା ଏକ ଶିଶୁ ଜନ୍ମ ଦେଇଥିଲେ । ହେଲେ ଶିଶୁଟି ଜନ୍ମ ହେବା ପରେ ମୃତୁ୍ୟ ହୋଇଥିଲା । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦାରିଙ୍ଗବାଡ଼ି ମେଡିକାଲ ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ । ଡାକ୍ତର ଅନୁପସ୍ଥିତ ଯୋଗୁଁ ଗର୍ଭବତୀ ଫେରିଯିବା ଅଭିଯୋଗକୁ ଅସ୍ୱୀକାର କରି ସେ କହିଛନ୍ତି ଯେ ଜରୁରି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ସବୁ ସମୟରେ ଡାକ୍ତର ରହୁଛନ୍ତି । ତେବେ ପ୍ରସବ ନିମନ୍ତେ ଆସିଥିବା ମହିଳା ଡାକ୍ତରଙ୍କୁ ସାକ୍ଷାତ କରିବା କଥା । କୌଣସି କର୍ମଚାରୀ ଯଦି ମିଛ କଥା କହି ଫେରାଇ ଦେଇଥିବେ ତାହାର ତଦନ୍ତ କରି କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.