ଚିତ୍ରକୋଣ୍ଡା,(ବି.ବି.ନୁ୍ୟଜ୍): ଦେଶ ସ୍ୱାଧୀନ ହେବାର ୭୪ ବର୍ଷ ପରେ ବି ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନି । ଏଥିଯୋଗୁ ଲୋକେ ସବୁଦିନ ବଡ ଅସୁବିଧାରେ ପଡୁଛନ୍ତି । ସେହିପରି, ଗାଁରେ ନଳକୂଅଟିଏ ନଥିବାରୁ ବିଶୁଦ୍ଧ ପାଣି ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି । ବିକଳ୍ପ ନଥିବାରୁ ଝରଣାର ଦୂଷିତ ପାଣି ପିଉଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନାଗଲୁର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏପରିସ୍ଥଳେ, ଗାଁକୁ ରାସ୍ତା ଓ ପାଣି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି ।
ଗ୍ରାମବାସୀ କହିଛନ୍ତି, ଗାଁରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଗାଁ ଲୋକଙ୍କ ମୁଖ୍ୟ ସମସ୍ୟା ହେଲା ରାସ୍ତା ଓ ପାନୀୟ ଜଳ । ସ୍ୱାଧୀନତାର ୭୪ ବର୍ଷ ପରେ ବି ଗାଁକୁ ସବୁଦିନିଆ ରାସ୍ତାଟିଏ ହୋଇପାରିନି । ଲୋକେ ପାଦଚଲା ରାସ୍ତା ଉପରେ ନିର୍ଭର କରୁଛନ୍ତି । ଯିବା ଆସିବାରେ ଅସୁବିଧା ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି । ପପଲୁରଠାରୁ ନାଗଲୁର ପର୍ଯ୍ୟନ୍ତ ଠିକାଦାର ରାସ୍ତା ପାଇଁ ମାଟି ନପକାଇ ପାଦଚଲା ରାସ୍ତାରେ ମେଟାଲ ପକାଇ ଛାଡ଼ି ଦେଇଛନ୍ତି । ବର୍ତ୍ତମାନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଅଣଓସାରିଆ ରାସ୍ତାରେ ଯାତାୟାତ ବେଳେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହି ସମସ୍ୟା ଯୋଗୁ ଲୋକେ ସ୍ୱାସ୍ଥ୍ୟସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଅନେକ ସମୟରେ ଭାରରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡୁଛି । ରାସ୍ତା ନଥିବାରୁ ଗାଁକୁ ନଳକୂଅ ଗାଡିÿ ମଧ୍ୟ ଆସିପାରୁନି । ଫଳରେ ଗାଁରେ ନଳକୂଅ ଖୋଳାଯାଇ ପାରୁନି । ଗାଁରେ ପାଣି ସମସ୍ୟା ଦୂର କରିବାକୁ ଦୀର୍ଘ ବର୍ଷ ତଳେ ଏକ କୂଅ ଖୋଳା ଯାଇଥିଲା । କୂଅରେ ପଡି ଏକ ଗାଈ ମରିଯିବା ପରେ ଏହାର ପାଣିକୁ ଲୋକେ ବ୍ୟବହାର କରୁନାହାନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ଏହି କୂଅଟି ମଧ୍ୟ ପୋତି ହୋଇଯାଇଛି । ବିକଳ୍ପ ବ୍ୟବସ୍ଥା ନଥିବାରୁ ମହିଳାମାନେ ଗାଁ ନିକଟ ଝରଣାକୁ ଯାଇ ପାଣି ଆଣୁଛନ୍ତି । ଝରଣା ପାଣି ଉଭୟ ପିଇବା ଓ ଘରର ଅନ୍ୟାନ୍ୟ ଯାବତୀୟ କାର୍ଯ୍ୟରେ ବ୍ୟବହାର ହେଉଛି । ଦୂଷିତ ପାଣି ପିଇ ଅନେକ ସମୟରେ ଲୋକେ ବିଭିନ୍ନ ସଂକ୍ରାମକ ରୋଗରେ ପଡି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଏହା ସତ୍ତେ୍ୱ ପ୍ରଶାସନର ଦୃଷ୍ଟି ନପଡିବା ପରିତାପର ବିଷୟ ହୋଇଛି । ପାଣି ଓ ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଗାଁକୁ ପକ୍କା ରାସ୍ତା ଓ ପାନୀୟ ଜଳ ବ୍ୟବସ୍ଥା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।


Comments are closed, but trackbacks and pingbacks are open.