କୋକସରା,(ବି.ବି.ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧୀନ ୨୬ ନମ୍ବର ଜାତୀୟ ରାଜପଥ ସିଉନୀ ଗାଁ ବିଦ୍ୟାଳୟ ସାମ୍ନା ବୁଲାଣିରେ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଛି । ହେଲେ ଦୁର୍ଘଟଣାରେ କେହି ଯାତ୍ରୀ ଆହତ ହୋଇ ନ ଥିବା ଜଣାପଡ଼ିଛି । ଭୁବନେଶ୍ୱରରୁ ଉମରକୋଟ-ରାଇଘର ଅଭିମୁଖେ ଆସୁଥିବା ଶ୍ରୀ ରଘୁନାଥ ନାମକ ଏକ ଘରୋଇ ବସ୍(ଓଡି ୦୨-ଏସ୍ -୨୯୪୮) ଶୁକ୍ରବାର ଭୋର୍ ୪.୩୦ ସମୟରେ ସିଉନୀ ଗାଁ ବିଦ୍ୟାଳୟ ନିକଟସ୍ଥ ବୁଲାଣିରେ ରାସ୍ତା ତଳକୁ ଖସି ଯାଇଥିଲା । ଯାତ୍ରୀମାନେ ସୁରକ୍ଷିତ ଥିବାବେଳେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ଏହି ରାସ୍ତା ଦେଇ ଯାତ୍ରୀବାହୀ ବସ୍ଗୁଡ଼ିକ ଦ୍ରୁତଗତିରେ ଦୈନିକ ଯାତାୟତ କରୁଥିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣାଗ୍ରସ୍ତ ହେବା ସହ ଧନଜୀବନ ହାନି ହେଉଛି । ପରିବହନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏଭଳି ବାରମ୍ବାର ଦୁର୍ଘଟଣାମାନ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଆମପାଣି ମହିଳା ଥାନା ଅଧିକାରୀ ପୁଷ୍ପାଲୀ ନେଗୀଙ୍କୁ ପଚାରିବାରୁ ସେ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସ୍ର ସମସ୍ତ ଯାତ୍ରୀ ସୁରକ୍ଷିତ । ସେମାନଙ୍କୁ ଅନ୍ୟ ବସ୍ରେ ପଠାଇ ଦିଆଯାଇଛି ।


Comments are closed, but trackbacks and pingbacks are open.