ରାସ୍ତା ନହେଲା ନାହିଁ, ପ୍ରଶାସନ ଡଙ୍ଗା ଯୋଗାଉ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ମାତ୍ର ଦି ଦିନର ବର୍ଷା । ସହରର ଅଧିକାଂଶ ଅଞ୍ଚଳରେ ଏଭଳି ଅବସ୍ଥା । ଯୁଆଡେ ଦେଖିଲେ ଖାଲି ପାଣି ଆଉ ପାଣି । ଅଧିକାଂଶ ଜନବସତି ଜଳମଗ୍ନ । ଯିବାକୁ ରାସ୍ତା ନାହିଁ । ଯେଉଁ ମାଟି ରାସ୍ତା ଖଣ୍ଡିଏ ଖଣ୍ଡିଏ ଥିଲା, ତାହା ଉପରେ ଏବେ ପାଣିର ସୁଅ ଛୁଟୁଛି । ଘରୁ ବାହାରିବା ମୁସ୍କିଲ । ସାମାନ୍ୟ ବର୍ଷାରେ ଯଦି ଏଭଳି ଅବସ୍ଥା, ତା’ହେଲେ ଅଧିକ ହେଲେ କ’ଣ ନହେବ । ତଥାପି ପୌର ପ୍ରଶାସନର ନିଦ ଭାଙ୍ଗୁନି । ଦୁର୍ଗମ ଅଞ୍ଚଳଠାରୁ ଦୟନୀୟ ହୋଇପଡିଛି ସହରରେ ରହୁଥିବା ମଣିଷମାନଙ୍କ ଜୀବନ । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ଗ୍ଲୋକାଲ୍ ହସ୍ପିଟାଲ୍ ନିକଟ ଅଞ୍ଚଳରେ । ଚାରିପଟେ ପାଣି, ମଝିରେ ଘର । ବାହାରକୁ ବାହାରିବାର ବାଟ ନାହିଁ । ଲୋକେ କହିଛନ୍ତି ପୌର ପ୍ରଶାସନ ରାସ୍ତା ନକଲା ନାହିଁ, ବର୍ଷା ଚାରିମାସ ପାଇଁ ଖଣ୍ଡେ ଖଣ୍ଡେ ଡଙ୍ଗା ଯୋଗାଉ । ଏହାଦ୍ୱାରା ସେମାନେ ଅନ୍ତତଃ ଘରୁ ପକ୍କା ରାସ୍ତା ପର୍ଯ୍ୟନ୍ତ ପାଣି ପାରିହେବେ ।
ଲଘୁଚାପଜନିତ ଦୁଇଦିନର କିଛିଟା ବର୍ଷା ପରେ ନାକରେ କାନ୍ଦୁଛନ୍ତି ଗ୍ଲୋକାଲ୍ ହସ୍ପିଟାଲ୍ ଅଞ୍ଚଳବାସୀ । ଗୋଟିଏ ପଟେ ନାଳ, ଅନ୍ୟପଟେ ଡ୍ରେନେଜ ଅଭାବ । ଏହି କାରଣରୁ ସାମାନ୍ୟ ବର୍ଷା ହେଲେ ଫୁଲି ଉଠୁଛି ନାଳ । ଜନବସତି ଭିତରକୁ ମାଡିଯାଉଛି ପାଣି । ବର୍ଷା ହେଲେ ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ । ଅନ୍ତତଃ ଉଚ୍ଚା ରାସ୍ତାଟିଏ ଥିଲେ, ଲୋକେ ମୁଖ୍ୟରାସ୍ତାରୁ ଘରେ ପହଞ୍ଚିପାରନ୍ତେ । ଏଥିପାଇଁ ଅନେକଥର ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ପୌର ପରିଷଦ ପକ୍ଷରୁ ରାସ୍ତା ତିଆରି ପାଇଁ ସର୍ଭେ କରାଯାଇଥିଲା । ସହରରେ ୫୮ଟି ନୂଆ ରାସ୍ତା ପାଇଁ ଡକାଯାଇଥିଲା ଟେଣ୍ଡର । ଏ ଭିତରେ ଟେଣ୍ଡର ଉଠିସାରିଛି । ଚୟନ ହୋଇସାରିଛନ୍ତି ଠିକାଦାର । କିନ୍ତୁ କାମ ଆରମ୍ଭ ହେବାର ନାଁ ଧରୁନି । ଫଳରେ ନୂଆ କରି ଗଢି ଉଠିଥିବା ଅନେକ ଅଞ୍ଚଳର ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ସହରରେ ରହି ଦୁର୍ଗମ ଅଞ୍ଚଳଠାରୁ ଦୁର୍ବିଷହ ଜୀବନ ଜିଉଁଛନ୍ତି । କ୍ଷୋଭର ସହ କହିଛନ୍ତି, ପ୍ରଶାସନ ନିଜ ଆଖିରେ ସେମାନଙ୍କ ଦୁର୍ଦ୍ଧଶା ଦେଖୁ । ଯଦି ରାସ୍ତା ନିର୍ମାଣ ହୋଇନପାରୁଛି ତା’ହେଲେ ସେମାନଙ୍କୁ ଗୋଟିଏ ଗୋଟିଏ ହୁଲି ଡଙ୍ଗା ଯୋଗାଇ ଦିଆଯାଉ । ଏ ସଂପର୍କରେ ଆମେ ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ କହିଛନ୍ତି, ବିଭିନ୍ନ କାରଣରୁ ସବୁ ରାସ୍ତା କାମ ହୋଇପାରୁନି । କିନ୍ତୁ ଯେଉଁଠି ଅତ୍ୟନ୍ତ ଜରୁରୀ ରହିଛି, ସେଠାରେ କାମ କରିବା ଦିଗରେ ପଦକ୍ଷେପ ନେବା ଲାଗି ବିଭାଗୀୟ ଜେଇ ଏବଂ ଅଧିକାରୀମାନଙ୍କୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons