ନୂଆଦିଲ୍ଲୀ: ଚାହିଦା ହ୍ରାସ ଯୋଗୁ ଭାରତୀୟ ରିଅଲ ଇଷ୍ଟେଟ୍ ଏବେ ପାଣ୍ଠି ସଂକଟ ଜନିତ ସମସ୍ୟାର ସମ୍ମୁଖୀନ ହେଉଛି । ଅଣବ୍ୟାଙ୍କିଙ୍ଗ୍ ଫାଇନାନ୍ସ କମ୍ପାନିଗୁଡ଼ିକରେ ଲିକ୍ୱିଡିଟି ସମସ୍ୟା ଯୋଗୁ ରିଅଲ ଇଷ୍ଟେଟ୍ ଏଭଳି ସମସ୍ୟାରେ ଛନ୍ଦି ହୋଇପଡ଼ିଛି । ବିଶେଷକରି ଆଇଏଲ୍ଆଣ୍ଡ୍ଏଫ୍ଏସ୍ ଦ୍ୱାରା ୨୦୧୮ ଅଗଷ୍ଟରେ ଋଣ ଖିଲାପ କରାଯିବା ପରଠାରୁ ସମସ୍ୟା କ୍ରମେ ଘନେଇବାରେ ଲାଗିଛି । ଏହାପରେ ହାଉସିଂ କମ୍ପାନି ଡିଏଚ୍ଏଫ୍ଏଲ୍ ମଧ୍ୟ ସମାନ ପରିସ୍ଥିତିର ଶିକାର ହୋଇଥିଲା । ରିଅଲ ଇଷ୍ଟେଟ୍ କ୍ଷେତ୍ର ପାଇଁ ଆଇଏଲ୍ଆଣ୍ଡ୍ଏଫ୍ଏସ୍ ଏବଂ ଡିଏଚ୍ଏଫ୍ଏଲ୍ ଦୁଇଟି ପ୍ରମୁଖ ପାଣ୍ଠିର ସୂତ୍ର ବୋଲି କୁହାଯାଉଛି ।
ସୂତ୍ର ମୁତାବକ ଗତ ଦଶନ୍ଧି ହେବ ଭାରତୀୟ ରିଅଲ ଇଷ୍ଟେଟ୍ ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଛି । ଏବେ ବାସଗୃହ ଚାହିଦା ହ୍ରାସ ପାଇଥିବା ବେଳେ ପାଣ୍ଠି ଯୋଗାଣ ମଧ୍ୟ କମିଯାଇଛି । ଚଳିତବର୍ଷ ଜୁନ୍ରେ କ୍ରେଡିଟ୍ ରେଟିଂ ଏଜେନ୍ସି ଆଇସିଆରଏ ପିରାମଲ କ୍ୟାପିଟାଲ ଆଣ୍ଡ ହାଉସିଂ ଫାଇନାନ୍ସ ଏବଂ ଏଡେଲ୍ୱାଇସ୍ କ୍ୟାପିଟାଲର ରେଟିଙ୍ଗ୍କୁ ଖସାଇ ଦେଇଥିଲା । ସେମାନଙ୍କ ଋଣ ଖାତା ଖିଲାପ ପରିସ୍ଥିତିର ସାମ୍ନା କରିବା ଆଶଙ୍କା କରି ଆଇସିଆରଏ ଏହି ରେଟିଙ୍ଗ୍ ଖସାଇ ଦେଇଥିଲା ।
ପିରାମଲ କ୍ୟାପିଟାଲ ଆଣ୍ଡ ହାଉସିଂ ଫାଇନାନ୍ସର ମୋଟ ଋଣ ଖାତା ୫୬,୦୦୦ କୋଟି ଟଙ୍କା ହୋଇଥିବା ବେଳେ ଏଥିରୁ ରିଅଲ୍ଟି କ୍ଷେତ୍ରକୁ ୪୦,୦୦୦ କୋଟି ଟଙ୍କା ଦିଆଯାଇଛି । ଅଜୟ ପିରାମଲଙ୍କ ଅଧିକୃତ ଏହି ସଂସ୍ଥାର ନିଜସ୍ୱ ରିଅଲ୍ଟି ସଂସ୍ଥା ମଧ୍ୟ ରହିଛି । କେନ୍ଦ୍ରୀୟ ମୁମ୍ବାଇରେ ବିଭିନ୍ନ ବୃହତ୍ ପ୍ରକଳ୍ପରେ ଏହା ମୋଟା ଅଙ୍କର ନିବେଶ କରିଛି । ତେଣୁ ଚାହିଦା ହ୍ରାସ ପାଇଥିବାରୁ ଏହା ବଡ଼ ସମସ୍ୟାରେ ପଡ଼ିବ ବୋଲି କୁହାଯାଉଛି ।
ବାଙ୍ଗା ଅଫ୍ ଇଣ୍ଡିଆବୁଲ୍ସ ଦର୍ଶାଇଛି ଯେ ସମସ୍ୟା ଯେମିତି ଦେଖାଯାଉଛି, ତାହାଠାରୁ ବଡ଼ ଏହି କ୍ଷେତ୍ରକୁ ଘେରିଛି । ଲିକ୍ୱିଡିଟି ସଂକଟ ଏହି ସମସ୍ୟା ନୁହେଁ । ବରଂ ଏହା ଏକ ଚାହିଦା ଜନିତ ସମସ୍ୟା । ଚାହିଦା ହ୍ରାସ ଘଟିଲେ କେବଳ ରିଅଲ୍ ଇଷ୍ଟେଟ୍ କାହିଁକି ସବୁ କ୍ଷେତ୍ର ପ୍ରଭାବିତ ହୋଇଥାଏ । ଯଦି ବର୍ତ୍ତମାନ ଏହି ସମସ୍ୟାର ପ୍ରତିକାର କରାନଯାଏ, ତେବେ ଏହା ଦେବାଳିଆ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି ।
Comments are closed, but trackbacks and pingbacks are open.