
ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍ ମୁଖ୍ୟ ଅନିଲ ଅମ୍ବାନି ଏବେ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି । ଏଥିସହ ବ୍ୟାଙ୍କଗୁଡ଼ିକର ଋଣ ପରିଶୋଧ କରିବାରେ ମଧ୍ୟ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ଅମ୍ବାନି ଏବେ ଗ୍ରୁପ୍ର ମୁମ୍ବାଇସ୍ଥ ମୁଖ୍ୟ କାର୍ଯ୍ୟାଳୟ ରିଲାଏନ୍ସ ସେଣ୍ଟରକୁ ବିକିବାକୁ ଚାହୁଁଛନ୍ତି । କୌଣସି ସଂସ୍ଥା ଲିଜ୍ରେ ନେବାକୁ ଚାହିଁଲେ ଅମ୍ବାନି ସେଥିପାଇଁ ମଧ୍ୟ ପ୍ରସ୍ତୁତ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ ଶିଳ୍ପପତି ଅମ୍ବାନି ତାଙ୍କ ମୁମ୍ବାଇ କାର୍ଯ୍ୟାଳୟ ବିକ୍ରି/ଲିଜ୍ ପାଇଁ ବର୍ତ୍ତମାନ ବ୍ଲାକ୍ଷ୍ଟୋନ୍ ଭଳି ଅନ୍ତର୍ଜାତୀୟ ବେସରକାରୀ ଇକ୍ୱିଟି ଫାର୍ମ ସହ କଥାବାର୍ତ୍ତା ଚଳାଇଛନ୍ତି । କେତେକ ଆମେରିକା ଭିତ୍ତିକ କମ୍ପାନି ସହ ମଧ୍ୟ ଆଲୋଚନା ଜାରି ରହିଛି । ଅମ୍ବାନି ଯୋଜନା କରିଛନ୍ତି ଯେ ସେ ଦକ୍ଷିଣ ମୁମ୍ବାଇସ୍ଥିତ ବାଲାର୍ଡ ଇଷ୍ଟେଟ୍ କାର୍ଯ୍ୟାଳୟକୁ ସ୍ଥାନାନ୍ତର ହେବେ । ତେଣୁ ସାଣ୍ଟାକ୍ରୁଜ୍ ସ୍ଥିତ ରିଲାଏନ୍ସ ସେଣ୍ଟରକୁ ବିକ୍ରି କିମ୍ବା ଲିଜ୍ରେ ଦେବାକୁ ଚାହୁଁଛନ୍ତି । ୭ ଲକ୍ଷ ବର୍ଗଫୁଟ ପରିମିତ ସ୍ଥାନରେ ଥିବା ରିଲାଏନ୍ସ ସେଣ୍ଟରକୁ ବିକିଲେ ୧,୫୦୦ କୋଟି ୨,୦୦୦ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି ।
ରିଲାଏନ୍ସ ଗ୍ରୁପ୍ ଏହାର ରିଅଲ୍ ଇଷ୍ଟେଟ୍ ସଂସ୍ଥାକୁ ବିକ୍ରି କରି ଏହା ଉପରେ ଥିବା ଋଣଗୁଡ଼ିକୁ ପରିଶୋଧ କରିବାକୁ ଚାହୁଁଛି । ରେଟିଙ୍ଗ୍ ଏଜେନ୍ସିଗୁଡ଼ିକ ରିଲାଏନ୍ସ ଗ୍ରୁପ୍ର ବିଭିନ୍ନ ସହଯୋଗୀ ସଂସ୍ଥାଗୁଡ଼ିକର ରେଟିଙ୍ଗ୍ ଖସାଇଦେବା ଯୋଗୁ ଋଣ ମିଳିବା ମୁସ୍କିଲ ହୋଇପଡ଼ିଛି । ତେଣୁ ଅନିଲ ଅମ୍ବାନି ଏକମାତ୍ର ବିକଳ୍ପ ଭାବେ ସମ୍ପତ୍ତି ବିକ୍ରି କରି ଋଣ ପରିଶୋଧ ପାଇଁ ନିଷ୍ପତ୍ତି ନେଇଥିବା ପ୍ରସଙ୍ଗ ସହ ଜଡ଼ିତ ଜଣେ ବ୍ୟକ୍ତି କହିଛନ୍ତି । ଅମ୍ବାନି ନିଜର ମୁମ୍ବାଇସ୍ଥିତ ସମ୍ପତ୍ତି ବିକିବା ପାଇଁ ପ୍ରପର୍ଟି କନ୍ସଲଟାଣ୍ଟ ଜେଏଲ୍ଏଲ୍କୁ ଦାୟିତ୍ୱ ଦେଇପାରନ୍ତି ବୋଲି ଆଶା କରାଯାଉଛି ।
Comments are closed, but trackbacks and pingbacks are open.