ଧାମନଗର,(ବି.ବି.ନୁ୍ୟଜ୍): ରିଲିଫ ସାମଗ୍ରୀ ଆଣି ଘରକୁ ଫେରିଲା ବେଳେ ଦୁର୍ଘଟଣା ଘଟିଲା । ଫଳରେ ୨ ଜଣ ବୃଦ୍ଧାଙ୍କ ଜୀବନ ଯାଇଛି । ମୃତ ବୃଦ୍ଧା ଦୁହେଁ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ପ୍ରଧାନୀ ପଞ୍ଚାୟତ ଶଇଲ ଗ୍ରାମର ହାଡିଆଣୀ ବେଉଆ (୭୫) ଓ ହେମଲତା ନାୟକ (୬୫) । ଏଥିସହିତ ୩ ଜଣ ଗୁରୁତର ହୋଇଛନ୍ତି । ଧାମନଗର ବ୍ଲକ ପଧାନୀ ପଞ୍ଚାୟତ ଶଇଲ ଗ୍ରାମର ୨ ଜଣ ମହିଳା ଓ ୩ ଜଣ ପୁରୁଷ ହିତାଧିକାରୀ କରୋନା ପାଇଁ କେନ୍ଦ୍ର ସରକାରଙ୍କ ରିଲିଫ ଯୋଗାଣ ସାମଗ୍ରୀ ଆଣିବାକୁ ପ୍ରଧାନୀ ଛକକୁ ଅଟୋ ଯୋଗେ ଯାଇଥିଲେ । ପ୍ରାୟ ସାତ କ୍ୱିଣ୍ଟାଲ ଚାଉଳ ଧରି ୫ ଜଣ ଯାକ ହିତାଧିକାରୀ ଘରକୁ ଫେରୁଥିଲେ । ମଧ୍ୟାହ୍ନ ପ୍ରାୟ ସାଢେ଼ ୧୨ଟା ବେଳେ ଅର୍ଜୁନପୁର ପଞ୍ଚାୟତ ବାଲିପାଟଣା ନିକଟସ୍ଥ କୋଚିଳା ନଦୀ ପୋଲ ଉପରକୁ ଉଠିବା ବେଳକୁ ଅଟୋଟି ଓଲଟି ପଡ଼ିଥିଲା । ଫଳରେ ଅଟୋ ଡାଲାରେ ବସିଥିବା ହାଡିଆଣୀ ବେଉଆ (୭୫)ଙ୍କର ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା । କଟକ ନେବା ବାଟରେ ହେମଲତା ନାୟକ (୬୫)ଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ମନୋରମା ପାତ୍ର, ହିମାଞ୍ଚଳ ମହାନ୍ତି ଓ ସୁଶାନ୍ତ ମହାନ୍ତି ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଧୁଷୁରୀ ପୁଲିସ ଉଦ୍ଧାର କାର୍ଯ୍ୟ କରିଥିଲା । ଅଟୋ ଡ୍ରାଇଭର ଫେରାର ହୋଇଯାଇଛି ।


Comments are closed, but trackbacks and pingbacks are open.