ରୁପା ଇଟା ରଖି ନିଅଁ ପକାଇଲେ ମୋଦି

Get real time updates directly on you device, subscribe now.

ଅଯୋଧ୍ୟା: ଜୀବନର ପ୍ରତିଟି ମୋଡ଼ରେ ଭଗବାନ ରାମ ପ୍ରେରଣା ଦେଇଥାନ୍ତି । ସବୁ ଯୁଗରେ ରାମ । ଭାରତର ବିଶ୍ୱାସରେ ରାମ । ଆଦର୍ଶରେ ରାମ ଏବଂ ଦିବ୍ୟତାରେ ବି ରାମ । ପୁଣି ଦର୍ଶନରେ ମଧ୍ୟ ରାମ । ଯେଉଁ ରାମ ମଧ୍ୟଯୁଗରେ ତୁଳସୀ, କବୀର ଏବଂ ନାନକଙ୍କ ଜରିଆରେ ଭାରତକୁ ଶକ୍ତି ଦେଉଥିଲେ, ସେଇ ରାମ ପୁଣି ବାପୁଙ୍କ ସମୟରେ ଅହିଂସା ରୂପରେ ଉଜ୍ଜୀବିତ ରହିଥିଲେ । ଭଗବାନ ବୁଦ୍ଧ ବି ରାମଙ୍କ ସହ ଜଡ଼ିତ ଥିଲେ । ଶହ ଶହ ବର୍ଷ ଧରି ଅଯୋଧ୍ୟା ନଗରୀ ଜୈନ ଧର୍ମର ବିଶ୍ୱାସର କେନ୍ଦ୍ର ରହିଆସିଛି । ରାମ ସବୁଠି ଅଛନ୍ତି, ରାମ ସଭିଁଙ୍କର ।
ଉତ୍ତର ପ୍ରଦେଶର ଧାର୍ମିକ ନଗରୀ ଅଯୋଧ୍ୟାରେ ବୁଧବାର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କର ମନ୍ଦିର ନିର୍ମାଣ ଶୁଭାରମ୍ଭ ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଭଗବାନ ରାମ ଏବଂ ମାତା ସୀତାଙ୍କ ଜୟଜୟକାର କରି ଭାଷଣ ଆରମ୍ଭ କରିଥିଲେ । କହିଥିଲେ, ‘ଏଠାକୁ ଆସିବା ସ୍ୱାଭାବିକ ଥିଲା । ରାମ କାଜ କିହ୍ନେ ବିନୁ ମୋହି କହାଁ ବିଶ୍ରାମ ।’ ଭାରତ ଆଜି ଭଗବାନ ରାମଙ୍କ ସାନ୍ନିଧ୍ୟରେ ସରଯୁ ନଦୀ କୂଳରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ରଚିଛି । ସୋମନାଥରୁ କାଶୀ ବିଶ୍ୱନାଥ, ବୋଧଗୟାରୁ ସାରନାଥ ପର୍ଯ୍ୟନ୍ତ, ଅମୃତସରରୁ ପାଟନା ସାହିବ ଏବଂ ଲାକ୍ଷାଦ୍ୱୀପରୁ ଲେହ ପର୍ଯ୍ୟନ୍ତ ଆଜି ପୂରା ଭାରତ ରାମମୟ ହୋଇଯାଇଛି । ରାମ ମନ୍ଦିର ଭାରତୀୟ ସଂସ୍କୃତିର ଆଧୁନିକ ପ୍ରତୀକ ହେବ ବୋଲି ମୋଦି କହିଛନ୍ତି ।
ଅଯୋଧ୍ୟାରେ ଆଜି ଇତିହାସ ସୃଷ୍ଟି ହୋଇଛି । ଏହି ଭବ୍ୟ ସହରରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପଡ଼ିଛି । ୫୦୦ ବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି । ମନ୍ତେ୍ରାଚ୍ଚାରଣ, ଭଜନ-କୀର୍ତ୍ତନ ଓ ପୂଜାର୍ଚ୍ଚନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜାରେ ସାମିଲ ହୋଇ ରୁପା ଇଟାରେ ମନ୍ଦିର ନିଅଁ ପକାଇଛନ୍ତି । କେବଳ ଅଯୋଧ୍ୟା କାହିଁକି, ପୂରା ଭାରତବର୍ଷରେ ଇତିହାସ ସୃଷ୍ଟି ହୋଇଛି । ଭୂମିପୂଜା ଅବସରରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।
ମୋଦି ପ୍ରଥମେ ଅଯୋଧ୍ୟାରେ ପହଞ୍ଚିବା ପରେ ହନୁମାନଗଡ଼ି ଦେଇ ରାମ ଜନ୍ମଭୂମିରେ ପହଞ୍ଚି ରାମଲଲାଙ୍କର ଦର୍ଶନ କରିଥିଲେ । ସେଠାରେ ରାମଲଲାଙ୍କୁ ସାଷ୍ଟାମ ପ୍ରଣିପାତ କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମନ୍ଦିରର ଭୂମି ପୂଜନ ସ୍ଥଳରେ ପହଞ୍ଚିଥିଲେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ରାମଲଲାଙ୍କର ଦର୍ଶନ କରିଛନ୍ତି । ପୂର୍ବରୁ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଏବଂ ଅଟଳ ବିହାରୀ ବାଜପେୟୀ ଅଯୋଧ୍ୟା ଆସିଥିଲେ । କିନ୍ତୁ ରାମଲଲାଙ୍କ ଦର୍ଶନ କରିପାରି ନ ଥିଲେ ।
ମୋଦି କହିଛନ୍ତି, ଆଜି ଏହି ଜୟଜୟକାର କେବଳ ସୀତାରାମଙ୍କ ନଗରୀ ଅଯୋଧ୍ୟାରେ ଶୁଣାଯାଉ ନାହିଁ । ବରଂ ଏହା ପୂରା ବିଶ୍ୱରେ ଗୁଞ୍ଜରିତ ହେଉଛି । ସମସ୍ତ ଦେଶବାସୀ ଏବଂ ବିଶ୍ୱର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଭାରତ ଭକ୍ତ, ରାମଭକ୍ତଙ୍କୁ ଆଜି ଏଭଳି ଦିନରେ କୋଟି କୋଟି ବଧେଇ । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୋତେ ଏଠାକୁ ଆମନ୍ତ୍ରଣ କରି ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଅବସର ପ୍ରଦାନ କରିଛି । ଏହା ମୋ ପାଇଁ ସୌଭାଗ୍ୟର ବିଷୟ । ମୁଁ ଏଥିପାଇଁ ଟ୍ରଷ୍ଟକୁ ହୃଦୟରୁ ଧନ୍ୟବାଦ ଜଣାଉଛି ।
ପୂରା ଦେଶ ଆଜି ରୋମାଞ୍ଚିତ । ପ୍ରତ୍ୟେକ ମନ ଦୀପମୟ । ଆଜି ପୂରା ଦେଶ ଭାବୁକ । ଶହ ଶହ ବର୍ଷର ପ୍ରତୀକ୍ଷାର ଆଜି ଅବସାନ ଘଟିଛି । ଆଜି ଏଭଳି ଏକ ଦିନକୁ ଦେଖି କୋଟି କୋଟି ଭାରତୀୟ ନିଜକୁ ବିଶ୍ୱାସ କରିପାରୁ ନାହାନ୍ତି । ବର୍ଷ ବର୍ଷ ଧରି ତମ୍ୱୁ ତଳେ ରହିଆସୁଥିବା ଆମ ରାମଲଲାଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ ହେବ । ଅନେକ ବର୍ଷର ଉତ୍ଥାନ ପତନ ପରେ ଆଜି ରାମ ଜନ୍ମଭୂମି ମୁକ୍ତ ହୋଇଛି ।
ଭାରତର ସ୍ୱାଧୀନତା ପାଇଁ ଅନେକ ପିଢ଼ି ବଳିଦାନ ଦେଇଥିଲେ । ଏମିତି କୌଣସି ସ୍ଥାନ ନ ଥିଲା, ଯେଉଁଠାରେ ଲୋକମାନେ ସ୍ୱାଧୀନତା ପାଇଁ ବଳିଦାନ ଦେଇ ନ ଥିବେ । ଅଗଷ୍ଟ ୧୫ ସେହି ବଳିଦାନର ପ୍ରତୀକ । ଠିକ ସେହିଭଳି ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ଶହ ବର୍ଷ ଧରି ଅନେକ ପିଢ଼ି ଅଖଣ୍ଡ ଏବଂ ଅବିରଳ ଏକନିÂ ପ୍ରୟାସ କରିଥିଲେ । ଆଜିର ଦିନ ସେହି ତପସ୍ୟା, ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ । ଆମର ଶାଶ୍ୱତ ଆତ୍ମା ଓ ରାଷ୍ଟ୍ରୀୟ ଭାବନାର ଏହା ପ୍ରତୀକ । ଏହି ମନ୍ଦିର କୋଟି କୋଟି ଲୋକଙ୍କର ସାମୂହିକ ସଂକଳ୍ପ ଶକ୍ତିର ପ୍ରତୀକ । ଆଗାମୀ ପିଢ଼ିଗୁଡ଼ିକୁ ଏହି ମନ୍ଦିର ଆସ୍ଥା, ଶ୍ରଦ୍ଧା ଏବଂ ସଂକଳ୍ପର ପ୍ରେରଣା ଦେଇଚାଲିବ । ଅନନ୍ତକାଳ ପର୍ଯ୍ୟନ୍ତ ଏହା ମାନବତାର ପ୍ରେରଣା ସାଜିବ । ରାମ ମନ୍ଦିର ନିର୍ମାଣ ପରେ ଅଯୋଧ୍ୟାର ଭବ୍ୟତା କେବଳ ବଢ଼ିବ ନାହିଁ, ଏହି କ୍ଷେତ୍ରର ପୂରା ଅର୍ଥତନ୍ତ୍ର ବଦଳିଯିବ ।
ମୋଦି କହିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଆନେ୍ଦାଳନରେ ଅର୍ପଣ ଏବଂ ତର୍ପଣ ଦୁଇଟିଯାକ ଥିଲା । ସଂଘର୍ଷ ବି ଥିଲା । ଯେଉଁମାନଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷ ଯୋଗୁ ଆଜି ଏହା ସଫଳ ହୋଇପାରିଛି, ମୁଁ ସେମାନଙ୍କୁ ପ୍ରଣାମ ଜଣାଉଛି । ୧୩୦ କୋଟି ଦେଶବାସୀଙ୍କ ତରଫରୁ ମଥାନତ କରୁଛି । ଭଗବାନଙ୍କ ରାମଙ୍କ ଠାରେ ଅଦ୍ଭୁତ ଶକ୍ତି ଥିଲା । ପ୍ରାସାଦ ନଷ୍ଟ ହୋଇଗଲା, ଅନେକ କିଛି ଧ୍ୱଂସ ହୋଇଗଲା । କିନ୍ତୁ ଅସ୍ତିତ୍ୱ ପୂର୍ବବତ ଅତୁଟ ରହିଥିଲା । ଭଗବାନ ରାମ ଆଜି ବି ଆମ ମନରେ ଅଛନ୍ତି ।
ଶ୍ରୀରାମଙ୍କ ଗୁଣଗାନ କରି ମୋଦି କହିଛନ୍ତି, ଶ୍ରୀରାମ ସୂର୍ଯ୍ୟଙ୍କ ଭଳି ତେଜୀୟାନ ଥିଲେ । କ୍ଷମାରେ ପୃଥିବୀ ଭଳି ଥିଲେ ଏବଂ ବୃଦ୍ଧିରେ ବୃହସ୍ପତି ଭଳି ଥିଲେ । ଯଶରେ ସେ ଇନ୍ଦ୍ରଙ୍କ ଭଳି ଥିଲେ ଏବଂ ସତ୍ୟକୁ ନେଇ ସବୁବେଳେ ଅଚଳ ରହୁଥିଲେ । ଶ୍ରୀରାମ ସମ୍ପୂର୍ଣ୍ଣ ଥିଲେ ଏବଂ ହଜାର ହଜାର ବର୍ଷ ଧରି ଭାରତ ପାଇଁ ପ୍ରକାଶ ସ୍ତମ୍ଭ ରହିଥିଲେ । ଶ୍ରୀରାମ ନିଜ ଜ୍ଞାନ ବଳରେ ବିଶ୍ୱାସ ହାସଲ କରିଥିଲେ । ବିଶ୍ୱର ସର୍ବାଧିକ ମୁସଲିମ ଲୋକ ଇଣ୍ଡୋନେସିଆରେ ଅଛନ୍ତି । ସେଠାରେ ସ୍ୱର୍ଣ୍ଣିମ ରାମାୟଣ, ଯୋଗେଶ୍ୱର ରାମାୟଣ ଆଦି ରହିଛି । ରାମ ଆଜି ବି ସେଠାରେ ପୂଜନୀୟ, ବନ୍ଦନୀୟ । କାମ୍ୱୋଡିଆ, ଲାଓ ମାଲେସିଆ ଭଳି ଦେଶରେ ମଧ୍ୟ ଅନେକ ପ୍ରକାର ରାମାୟଣ ରହିଛି । ଇରାନ ଏବଂ ଚୀନରେ ରାମଙ୍କ ପ୍ରସଙ୍ଗ ତଥା ରାମକଥାର ବିବରଣୀ ଦେଖିବାକୁ ମିଳେ । ଶ୍ରୀଲଙ୍କାରେ ରାମାୟଣ କଥା ଜାନକୀ ହରଣ ନାମରେ ଶୁଣାଯାଇଥାଏ । ନେପାଳ ସହ ବି ରାମକଥା ଯୋଡ଼ି ହୋଇରହିଛି । ରାମ ସମସ୍ତଙ୍କର, ରାମ ସମସ୍ତଙ୍କଠାରେ ରହିଛନ୍ତି ।
ବୁଧବାର ଅଯୋଧ୍ୟାରେ ମୋଦି ପହଞ୍ଚିବା କ୍ଷଣି ପୂଜା ଆରମ୍ଭ ହୋଇଥିଲା । ୨୦୦୦ ପବିତ୍ର ସ୍ଥାନରୁ ଅଣାଯାଇଥିବା ମାଟି ଏବଂ ୧୦୦ରୁ ଅଧିକ ନଦୀରୁ ଆସିଥିବା ପାଣି ଏଠାରେ ରଖାଯାଇଥିଲା । ୧୯୮୯ରେ ସାରା ବିଶ୍ୱରୁ ୨ ଲକ୍ଷ ୭୫ ହଜାର ଇଟା ରାମ ଜନ୍ମଭୂମିକୁ ଆସିଥିଲା । ତନ୍ମଧ୍ୟରୁ ୯ ଇଟା ବା ଶିଳାକୁ ପୂଜା ପାଇଁ ରଖାଯାଇଥିଲା । ପୂଜା ପରେ ମୋଦିଙ୍କୁ ସଂକଳ୍ପ ଦିଆଯାଇଥିଲା । ଏହି ପୂଜା ବିଧି କାଞ୍ଚିପୁରମ ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀ ଜୀ ମହାରାଜ ବତାଇଥିଲେ । ଏଥିସହ ନାଗନାଗୁଣୀ ଯୋଡ଼ା, ରୁପା ଇଟା ଏବଂ ପାବନ ଜଳ ରଖାଯାଇଥିଲା । ୩୨ ସେକେଣ୍ଡର ଶୁଭ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୂର୍ଣ୍ଣାହୁତି କରାଯାଇଥିଲା, ଯାହା ‘କରିଷ୍ୟାମି’ ଶବ୍ଦ ଉଚ୍ଚାରଣ ପରେ ପୂରା ହୋଇଥିଲା । ପୂଜାବିଧି ୪୦ ମିନିଟ୍ ଧରି ଚାଲିଥିଲା । ଭୂମିପୂଜା ପୂର୍ବରୁ ପ୍ରଧାନମନ୍ତ୍ରୀ ପବିତ୍ର ପାରିଜାତ ବୃକ୍ଷରୋପଣ କରିଥିଲେ । ଏହି ସମୟରେ ତାଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ଭୂମିପୂଜାକୁ ସ୍ମରଣୀୟ କରିବା ପାଇଁ ମୋଦି ଏକ ଡାକ ଟିକଟ ଓ ମନ୍ଦିରର ପ୍ରତିକୃତି ଉନ୍ମୋଚନ କରିଥିଲେ ।
ଉଲ୍ଲେଖଯୋଗ୍ୟ, ରାମ ମନ୍ଦିର ନିର୍ମାଣର ଭୂମିପୂଜା ପାଇଁ ଅଗଷ୍ଟ ୩ରୁ ଅଯୋଧ୍ୟା ଉତ୍ସବମୁଖରିତ ହୋଇଉଠିଥିଲା । ଅଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଥିଲା । ସାରା ସହରକୁ ରଙ୍ଗିନ ଆଲୋକମାଳା, ଦୀପ, ଫୁଲରେ ସଜାଯାଇଥିଲା । ଗଳି ଗଳିରେ ରାମ ନାମ ଭଜନ ଓ ସଂକୀର୍ତ୍ତନ କରାଯାଇଥିଲା । ସ୍ଥାନେ ସ୍ଥାନେ ଶଙ୍ଖନାଦ ଶୁଣିବାକୁ ମିଳିଥିଲା । ଅଯୋଧ୍ୟା ନଗରୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ତ୍ରେତୟା ଯୁଗ ଭଳି ଅଯୋଧ୍ୟାରେ ସାଜସଜ୍ଜା କରାଯାଇଛି । ସହରରେ ୧ ଲକ୍ଷରୁ ଅଧିକ ଦୀପ ଜଳାଯାଇଥିଲା । ରଙ୍ଗୋଲି, ଥ୍ରୀ-ଡି ଚିତ୍ର, ଫୁଲ, ରଙ୍ଗିନ ଆଲୋକରେ ଝଲସି ଉଠିଛି ଧାର୍ମିକ ନଗରୀ ।
ଭୂମିପୂଜା ଉତ୍ସବରେ ଅତିଥି ଭାବେ ଯୋଗଦେଇଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍ଏସ୍ଏସ୍)ର ମୁଖ୍ୟ ମୋହନ ଭାଗବତ କହିଥିଲେ, ଆମେ ସମସ୍ତେ ମିଶି ଏକ ପରିବର୍ତ୍ତନ ଆଣିପାରିଛୁ । ଏଥିନିମନ୍ତେ ୨୦-୩୦ ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଛି ଯାହାର ଫଳ ଆଜି ମିଳିଛି । ଆଜି ସାରା ଦେଶରେ ଆନନ୍ଦ ଉତ୍ସବର ଲହରି ଖେଳିଯାଇଛି । ଶହ ଶହ ବର୍ଷ ଧରି ରହିଥିବା ପ୍ରତୀକ୍ଷାର ଅନ୍ତ ହୋଇଛି । ଦେଶରେ ଆତ୍ମବିଶ୍ୱାସର ଅଭାବର ଦେଖାଯାଉଥିବା ବେଳେ ଏହା ପୁଣିଥରେ ପ୍ରତିÂା ହୋଇପାରିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ରାମ ମନ୍ଦିର ନିର୍ମାଣ ନିମନ୍ତେ ଅନେକ ଲୋକ ବଳିଦାନ ଦେଇଛନ୍ତି । କରୋନା କାରଣରୁ ସେମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇପାରିଲେନି । ସେମାନଙ୍କ ମଧ୍ୟରୁ ଲାଲକୃଷ୍ଣ ଆଡଭାନୀ ଅନ୍ୟତମ ବୋଲି ମୋହନ ଭାଗବତ ପ୍ରକାଶ କରିଥିଲେ ।
ଅଯୋଧ୍ୟାରେ ରାମମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ୟୁପି ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହା ତାଙ୍କ ପାଇଁ ଭାବପୂର୍ଣ୍ଣ ଏବଂ ଗୌରବପୂର୍ଣ୍ଣ ମୁହୂର୍ତ୍ତ ବୋଲି ଯୋଗୀ ପ୍ରକାଶ କରିଥିଲେ । ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଭାବେ ଗତ ୩ ବର୍ଷ ଧରି ସେ ଏହି କାର୍ଯ୍ୟକୁ ଅତି ନିକଟରୁ ଅନୁଭବ କରିଥିଲେ । ଏଭଳି ଶୁଭ କାର୍ଯ୍ୟକୁ ବିଳମ୍ବ ନ କରି ଯଥାଶୀଘ୍ର ଆରମ୍ଭ କରିବା ଉଦେ୍ଧଶ୍ୟରେ କରୋନା କଟକଣା ସତ୍ତେ୍ୱ ସୀମିତ ଅତିଥିଙ୍କ ମଧ୍ୟରେ କାର୍ଯ୍ୟକ୍ରମ ସୁରୁଖୁରୁରେ ଶେଷ ହୋଇଥିବା ଯୋଗୀ ପ୍ରକାଶ କରିଥିଲେ । ୧୩୫ କୋଟି ଭାରତୀୟଙ୍କ ସଂକଳ୍ପ ପୂରଣ ହୋଇଛି ବୋଲି ସେ କହିଥିଲେ ।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବିଶ୍ୱବ୍ୟାପୀ ହିନ୍ଦୁମାନଙ୍କର ବିଶ୍ୱାସର ପ୍ରତୀକ । ଆଜି ପ୍ରଧାନମନ୍ତ୍ରୀ ମୋଦି ଏବଂ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିର ପାଇଁ ଭୂମି ପୂଜା କରି କୋଟି କୋଟି ଲୋକଙ୍କ ଆସ୍ଥାକୁ ସମ୍ମାନ ଦେବାର କାମ କରିଛନ୍ତି । ଏଥିପାଇଁ ମୁଁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଟ୍ୱିଟ କରି କହିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି କହିଛନ୍ତି, ରାମ ମନ୍ଦିର ନିର୍ମାଣ ଶୁଭାରମ୍ଭ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନ୍ୟାୟପ୍ରକ୍ରିୟା ଅନୁରୂପ ତଥା ଜନସାଧାରଣଙ୍କ ଉତ୍ସାହ ଓ ସାମାଜିକ ସୌହାର୍ଦ୍ଧ୍ୟ ଯୋଗୁ ହେଉଛି । ମନ୍ଦିର ପରିସର, ରାମରାଜ୍ୟର ଆଦର୍ଶ ଉପରେ ଆଧାରିତ ଆଧୁନିକ ଭାରତର ପ୍ରତୀକ ହେବ ବୋଲି ମୋର ବିଶ୍ୱାସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons