
ରେଢ଼ାଖୋଲ,(ବି.ବି.ନୁ୍ୟଜ): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ଚିକିତ୍ସାଧୀନ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ଏସ୍ଡିଏମ୍ଓ ଡା. ବିପିନ ବିହାରୀ ସାହୁ ଆଜି ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ୫,୫୦୦ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ବାନ୍ଧି ହୋଇ ଯାଇଛନ୍ତି । ଡା. ସାହୁଙ୍କୁ ଗିରଫ କରାଯାଇଛି । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବ୍ରାହ୍ମଣୀପାଲିର ବସନ୍ତ ପ୍ରଧାନ (୬୦) ଗତ ୨୪ ତାରିଖ ହାଇଡ୍ରୋସିଲ୍ ଅପରେସନ ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏନେଇ ତାଙ୍କ ଭଣଜା ସ୍ଥାନୀୟ ଏଲ୍ଆଇସି କଲୋନିର ସୌମ୍ୟରଞ୍ଜନ ପ୍ରଧାନ ଏସ୍ଡିଏମ୍ଓଙ୍କ ସହିତ କଥାବାର୍ତ୍ତା ହେବା ପରେ ତାଙ୍କ ଅପରେସନ ମଧ୍ୟ ହୋଇଥିଲା । ହେଲେ ଅପରେସନ୍ ପାଇଁ ଏସ୍ଡିଏମ୍ଓ ୫,୫୦୦ ଟଙ୍କା ଦେବାକୁ ଦାବି କରିଥିଲେ । ଏନେଇ ସୌମ୍ୟ ସମ୍ୱଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ । ଆଜି ବସନ୍ତଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯିବାକୁ ଥିବାବେଳେ ଭିଜିଲାନ୍ସ ଅଧିକାରୀ ଚଢ଼ଉ କରି ପ୍ରଲେପ ଦିଆ ଟଙ୍କା ସହିତ ଏସ୍ଡିଏମ୍ଓଙ୍କୁ କାବୁ କରିଥିଲେ ।
Comments are closed, but trackbacks and pingbacks are open.