ରେଲଓ୍ବେ କାମ ଦେବାକୁ କହି ୫୦ ଲକ୍ଷ ଟଙ୍କାର ଠକେଇ: ଜଣେ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର : ରେଲଓ୍ବେ କାମ ଦେବାକୁ କହି ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଚନ୍ଦ୍ରଶେଖର ପୁଲିସ୍‌ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପ୍ରଶାନ୍ତ ବାଗ । ସେ ନିଜକୁ ରେଳ ବିଭାଗର ଡେପୁଟି ଚିଫ୍‌ ଇଞ୍ଜିନିୟର (କନଷ୍ଟ୍ରକ୍ସନ୍‌) ବୋଲି ପରିଚୟ ଦେଇ ଉକ୍ତ ଟଙ୍କା ଠକିଥିଲେ । ଏନେଇ ୨୦୧୯ ଫେବ୍ରୁଆରୀରେ ଅଭିଯୋଗ ହୋଇଥିଲା । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ପ୍ରଶାନ୍ତଙ୍କୁ ଗତକାଲି ଗିରଫ କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।
ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ନୟାପଲ୍ଲୀ ଆଇଆର୍‌ସି ଭିଲେଜ୍‌ ପ୍ଲଟ୍‌ ନମ୍ବର- ୧୪୫୭/୧ରେ ରହୁଛନ୍ତି ଠିକାଦାର ଚିତ୍ରସେନ୍‌ ବାଗ୍‌ । ୨୦୧୭ ଅଗଷ୍ଟ ମାସରେ ଚିତ୍ରସେନଙ୍କ ସହ ତାଙ୍କ ପୁରୁଣା ସାଙ୍ଗ ପ୍ରଭାତ ବାଗ୍‌ ଦେଖା ହୋଇଥିଲା । ପ୍ରଭାତ ଚିତ୍ରସେନଙ୍କୁ କହିଥିଲେ, ତାଙ୍କ ସାନ ଭାଇ ପ୍ରଶାନ୍ତ ପୂର୍ବତଟ ରେଳ ବିଭାଗର ଡେପୁଟି ଚିଫ୍‌ ଇଞ୍ଜିନିୟର ଅଛନ୍ତି । ଚନ୍ଦ୍ରଶେଖରପୁର ରେଳ ସଦନରେ ତାଙ୍କ ଅଫିସ୍‌ । ତାଙ୍କୁ କହି ମୁଁ ତୋତେ କିଛି କାମ ଦେବି । ଏହା ଶୁଣି ଚିତ୍ରସେନ କାମ ପାଇଁ ରାଜି ହୋଇଥିଲେ । ପ୍ରଭାତଙ୍କ ସହ ଚିତ୍ରସେନ ରେଳସଦନ ଯାଇ ପ୍ରଶାନ୍ତଙ୍କ ସହ କାମ ବାବଦରେ ଆଲୋଚନା କରିଥିଲେ । ପ୍ରଶାନ୍ତ ସେତେବେଳେ କହିଥିଲେ ଯେ, ରେଳ ବିଭାଗର ୧୦ କୋଟିର କାମ ମୁଁ କରାଇ ଦେବି ।
ସେଥିପାଇଁ ୫୦ ଲକ୍ଷ ଟଙ୍କ ଦେବାକୁ ପଡ଼ିବ । ଉକ୍ତ ଟଙ୍କା ବରିଷ୍ଠ ଅଧିକାରୀଙ୍କୁ ଦେବାକୁ ପଡ଼ିବ । ଏଥିରେ ରାଜି ହୋଇ ଚିତ୍ରସେନ ୨୦୧୭ ଅକ୍ଟୋବରରେ ପ୍ରଶାନ୍ତଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ନେବାର ଦୁଇ ମାସ ମଧ୍ୟରେ କାମ ମିଳିବ ବୋଲି କହିଥିଲେ ପ୍ରଶାନ୍ତ । ହେଲେ କାମ ଦେଇ ନ ପାରି ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ । କାମ ନ ପାଇ ନିରାଶ ହେବା ପରେ ୨୦୧୯ ଫେବ୍ରୁଆରୀ ମାସରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ ଚିତ୍ରସେନ । ଏନେଇ ପୁଲିସ୍‌ ମାମଲା ରୁଜୁ କରିଥିଲା । ହେଲେ କିଛି କାର୍ୟ୍ୟାନୁଷ୍ଠାନ ନେଉ ନ ଥିଲା । ଏନେଇ ଚିତ୍ରସେନ୍‌ ଡିସିପି ଅନୁପ ସାହୁଙ୍କୁ ଭେଟି ଘଟଣାର ବିଷୟରେ ଜଣାଇବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ପ୍ରଶାନ୍ତଙ୍କୁ ଗିରଫ କରିଛି । ତେବେ ଏହି ଘଟଣାରେ ରେଳ ବିଭାଗର ଅନ୍ୟ କେଉଁମାନେ ସାମିଲ୍‌ ଅଛନ୍ତି ସେ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି ଚନ୍ଦ୍ରଶେଖପୁର ଥାନା ପୁଲିସ୍‌ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons