ରାଉରକେଲା,(ବି.ବି.ନୁ୍ୟଜ): ଦକ୍ଷିଣ-ପୂର୍ବ ରେଳପଥର ପାନପୋଷ ଷ୍ଟେସନ ନିକଟ ରେଳ ଧାରଣାରୁ ଆଜି ସକାଳେ ରାଉରକେଲା ଜିଆରପି ଥାନା ପୁଲିସ୍ ଦୁଇ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି । ସେଥି ମଧ୍ୟରୁ ଗୋଟିଏ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିଲା । ପୁଲିସ୍ ଶବ ଦୁଇଟିକୁ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗରେ ରଖିଛି । ମୃତ ଯୁବକ ଦ୍ୱୟଙ୍କ ଘର ଜିଲ୍ଲା ବାହାରେ ହୋଇଥିବାରୁ ପରିବାର ଲୋକେ ରାଉରକେଲାରେ ପହଞ୍ଚôବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ କହିଛି । ତେବେ ମୃତୁ୍ୟର ଖିଅ ଖୋଜୁଛି ପୁଲିସ୍ ।
ରେଳବାଇ ପୁଲିସ୍ର ସୂଚନା ଅନୁସାରେ, ଆଜି ସକାଳେ ଦୁଇ ଯୁବକ ରେଳ ଧାରଣା ଉପରେ ବେପରୁଆ ଭାବେ ଚାଲିଚାଲି ଯାଉଥିଲେ । ପ୍ରାୟ ୭ଟା ସମୟରେ ଅହମ୍ମଦାବାଦ-ହାୱଡ଼ା ଏକ୍ସପ୍ରେସ୍ ଟ୍ରେନ୍ ପାନପୋଷ ଷ୍ଟେସନ ଅତିକ୍ରମ କରୁଥିବା ବେଳେ ସେହି ଦୁଇ ଯୁବକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ଜୀବନ ଚାଲି ଯାଇଥିଲା । ଘଟଣା ସମ୍ପର୍କରେ ଟ୍ରେନ୍ ଚାଳକ ଜିଆରପି ଥାନାରେ ସୂଚନା ଦେବା ପରେ ପୁଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚô ଥିଲା । ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ଶରୀର ରେଳ ଧାରଣା କଡ଼ରେ ପଡ଼ିଥିଲା । ଜଣେ ଯୁବକଙ୍କ ପକେଟରୁ ପୁଲିସ୍ ଗୋଟିଏ ମୋବାଇଲ ଜବତ କରି ତଦନ୍ତ କରିବା ପରେ ମୃତ ଦୁଇ ଯୁବକଙ୍କ ପରିଚୟ ମିଳିଥିଲା । ମୃତ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଜଗତସିଂହପୁର ଜିଲ୍ଲା ବାଗଲପୁର ଅଞ୍ଚଳର ସୌମ୍ୟରଞ୍ଜନ ମଲ୍ଲିକ ଓ ଅନ୍ୟ ଜଣେ କେଉଁଝର ଜିଲ୍ଲା ଆନନ୍ଦପୁରର ଅଶୋକ ତ୍ରିପାଠୀ । ସେମାନେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ନଦୀଟୋଲାରେ ଏକ ମେସ୍ରେ ରହୁଥିଲେ । ଦୁହେଁ ଗ୍ଲେଗୀ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାରେ କାମ କରୁଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ନଦୀଟୋଲାରେ ରହୁଥିବା ଦୁଇ ଯୁବକ ପାନପୋଷ ଷ୍ଟେସନ ଆଡ଼କୁ କଣ ପାଇଁ ଆସିଥିଲେ । ଦୁଇ ଯୁବକଙ୍କ ମୃତୁ୍ୟ ପଛରେ କି କାରଣ ରହିଛି ତାହାର ତଦନ୍ତ ଚଳାଇଛି ପୁଲିସ୍ । ଆସନ୍ତାକାଲି ମୃତ ଯୁବକ ଦ୍ୱୟଙ୍କ ପରିବାର ଲୋକେ ଏଠାରେ ପହଞ୍ଚିବା ପରେ ସେମାନେ କେତେ ଦିନ ହେଲା ଏଠାରେ ରହୁଥିଲେ, ଉକ୍ତ କମ୍ପାନୀରେ କେତେ ଦିନ ହେଲା କାମ କରୁଥିଲେ ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରିବ ।


Comments are closed, but trackbacks and pingbacks are open.