ଗୁଣପୁର,(ବି.ବି.ନ୍ୟୁଜ୍): ରେଳ ବଜେଟ୍ରେ କେନ୍ଦ୍ର ସରକାର ଆଜି ଓଡ଼ିଶାକୁ ୬ ହଜାର କୋଟିର ଅନୁଦାନ ଘୋଷଣା କରିଛନ୍ତି । ଏଥିରେ ଅନେକ ନୂଆ ପ୍ରକଳ୍ପ ସମେତ ଅସମ୍ପୂର୍ଣ୍ଣ ରେଳପଥକୁ ସମ୍ପୂର୍ଣ କରିବା ଲାଗି ପଦକ୍ଷେପ ନିଆଯାଇଛି । କେତେକ ସ୍ଥାନରେ ଫ୍ଲାଇଓଭର, ଡବଲ୍ ଲାଇନ ପାଇଁ ମଧ୍ୟ ଅନୁଦାନ ଦିଆଯାଇଛି । ଏହି ବଜେଟରେ ଓଡ଼ିଶାର ୧୦ଟି ସ୍ଥାନରେ ଫ୍ଲାଇଓଭର ନିର୍ମାଣ ଲାଗି ସର୍ଭେ କରିବାକୁ ଅନୁଦାନ ଦିଆଯାଇଛି । କୋରାପୁଟ-ସିଙ୍ଗାପୁର ରୋଡ୍ର ଡବଲ୍ ଲାଇନ ପାଇଁ ୨୦୫ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି । ଏହାପୂର୍ବରୁ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୨୦୧୭-୧୮ରେ ୨୨୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । ସେହିପରି ୨୦୧୮-୧୯ରେ ୧୧୦ କୋଟି ଏବଂ ୨୦୧୯-୨୦ ମଧ୍ୟବର୍ଣ୍ଟୀକାଳୀନ ବଜେଟରେ ୨୦୫ କୋଟି ଟଙ୍କାର ଅନୁଦାନ ଦେଇଥିଲେ ।
ରାଜ୍ୟର ସର୍ବପୁରାତନ ରେଳପଥ ଭାବେ ଜଣାଶୁଣା ଗୁଣପୁର-ନୌପଡା-ଥେରୁବାଲି ରେଳପଥ ପାଇଁ ମାତ୍ର ୧୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ପୂର୍ବରୁ ନ୍ୟାରୋଗଜ୍ ରେଳପଥ ରହିଥିବା ଗୁଣପୁର-ନୌପଡ଼ା ରେଳପଥ ଏବେ ବ୍ରଡଗଜ ହୋଇସାରିଛି । କିନ୍ତୁ ଏହାର ସେତେଟା ବିକାଶ ହୋଇପାରିନି । ଗୁଣପୁରରୁ ପାରଳାଖେମୁଣ୍ଡି ମଧ୍ୟରେ ଥିବା ଷ୍ଟେସନଗୁଡ଼ିକରେ ନାହିଁନଥିବା ଅସୁବିଧା ଲାଗି ରହିଛି । ପ୍ଲାଟଫର୍ମଗୁଡ଼ିକର ଉଚ୍ଚତା ବଢାଯିବା ନିହାତି ଦରକାର । ଗୁଣପୁର ଓ ପାରଳାଖେମୁଣ୍ଡି ଭଳି ଷ୍ଟେସନରେ ଫ୍ଲାଇଓଭର ନାହିଁ । ଉଭୟ ଷ୍ଟେସନରେ ମାତ୍ର ଦୁଇଟି ପ୍ଲାଟଫର୍ମ ଥିବାବେଳେ ଏକାଧିକ ଟ୍ରେନ ଆସୁଛି । ଦୁଇଟି ଟ୍ରେନ ଦୁଇଟି ଟ୍ରାକରେ ରହିଲେ ଲୋକେ ଚଢିବା ଏବଂ ଓହ୍ଲାଇବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଷ୍ଟେସନଗୁଡ଼ିକରେ ପିଇବା ପାଣି ନାହିଁ କି ବିଜୁଳି ଆଲୁଅ ସୁବିଧା ନାହିଁ । ଟିକଟ କାଉଣ୍ଟରଗୁଡିକ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ଚାଲୁନି ।
ଗୁଣପୁରରୁ ନୌପଡ଼ା ଯାଏଁ ବିଦ୍ୟୁତ୍କରଣ ଲାଗି ଟେଣ୍ଡର ସରିଥିଲେ ମଧ୍ୟ କାର୍ଯ୍ୟାରମ୍ଭ ହୋଇନି । ଟ୍ରେନଗୁଡିକର ସଫେଇ ଲାଗି ଏଠାରେ ସୁବିଧା ନାହିଁ । ଗୁଣପୁର-ଥେରୁବାଲି ମଧ୍ୟରେ ୭୯.୧୫ କିମି ନୂଆ ରେଳପଥ ନିର୍ମାଣ ପାଇଁ ବହୁ ପୂର୍ବରୁ ସର୍ଭେ ସରିଛି । ଏହି ରେଳପଥ ହେଲେ ଅନେକ ଲାଭ ମିଳିବ । କୋରାପୁଟ-ଭୁବନେଶ୍ୱର ମଧ୍ୟରେ ଦୂରତା କମିବା ସହ ଦ୍ୱିତୀୟ ରେଳଲାଇନ ସୃଷ୍ଟି ହୋଇବପାରିବ । ଏଥିପାଇଁ ୨୦୧୭-୧୮ ବଜେଟରେ ୧ କୋଟି, ୨୦୧୮-୧୯ ବଜେଟରେ ୧ କୋଟି, ୨୦୧୯-୨୦ରେ ମଧ୍ୟବର୍ଣ୍ଟିକାଳୀନ ବଜେଟରେ ୧୦ ଲକ୍ଷ ଓ ଏବେ ୨୦୧୯-୨୦ ଚୂଡାନ୍ତ ବଜେଟରେ ୧୦ ଲକ୍ଷ ଦିଆଯାଇଛି । କେବଳ ଏହି ପ୍ରକଳ୍ପକୁ ବଞ୍ଚାଇ ରଖିବା ଲାଗି ନାମକୁମାତ୍ର ଅନୁଦାନ ଦିଆଯାଇଥିବା କୁହାଯାଉଛି । ଏଥିରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ଏଭଳି ଘୋଷଣା ପରେ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଉପରୋକ୍ତ ସମସ୍ତ ପ୍ରକଳ୍ପକୁ ଅଧିକ ଅନୁଦାନ ଦିଆଯାଇ କାର୍ଯ୍ୟକାରୀ କରିବା ଲାଗି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲ୍ଲାକା ପାର୍ଲାମେଣ୍ଟରେ ଦାବି କରିଥିଲେ । ତା ପରେବି କେନ୍ଦ୍ର ସରକାର ଗୁଣପୁର ଅଞ୍ଚଳର ବହୁବର୍ଷର ସ୍ୱପ୍ନ ପାଲଟିଥିବା ଏହି ଥେରୁବାଲି ପ୍ରକଳ୍ପ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି । ଏ ସମ୍ପର୍କରେ ନବନିର୍ମାଣ ସମିତିର ସଭାପତି ଅକ୍ଷୟ ଦାସ କହିଛନ୍ତି, ଯଦିଓ କମ୍ ଅନୁଦାନ ଦେବା ଠିକ ହୋଇନାହିଁ, ତଥାପି ଆମେ ଆମ ଦାବିକୁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ରଖିବାକୁ ପଡିବ । ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ କହିଛନ୍ତି, ଏହି ପ୍ରକଳ୍ପ ଗୁଣପୁରବାସୀଙ୍କ ବହୁ ବର୍ଷର ସ୍ୱପ୍ନ । ଏଥିପାଇଁ ଏତେ କମ୍ ଅନୁଦାନ ଦିଆଯିବା ଅତ୍ୟନ୍ତ ନିରାଶାଜନକ ।
Comments are closed, but trackbacks and pingbacks are open.