ରେଳ ବଜେଟ୍ରେ ଓଡ଼ିଶାକୁ ମିଳିଲା ୫୯୯୩ କୋଟି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଚଳିତ ରେଳ ବଜେଟ୍ରେ ଓଡ଼ିଶା ପାଇଛି ସର୍ବାଧିକ ପାଣ୍ଠି । ପୂର୍ବ ବର୍ଷଗୁଡିକ ତୁଳନାରେ ରାଜ୍ୟରେ ରେଳ ବିକାଶ ପାଇଁ ଅଧିକ ବ୍ୟୟବରାଦ କରିଛି କେନ୍ଦ୍ର । ଗତ ବର୍ଷ ରେଳ ବଜେଟ୍ରେ ଓଡ଼ିଶାକୁ ୫୨୫୨ କୋଟି ଟଙ୍କା ମିଳିଥଲା । ଚଳିତ ବର୍ଷ ୫୯୯୩ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ପୂର୍ବତଟ ରେଳପଥ ସୂଚନା ଦେଇଛି । ଯାତ୍ରୀମାନଙ୍କ ସୁବିଧା ପାଇଁ କେବଳ ୧୮୦ କୋଟି ଟଙ୍କାର ପାଣ୍ଠି ବରାଦ ହୋଇଛି । ଯାହା ପୂର୍ବ ବର୍ଷ ତୁଳନାରେ ବହୁତ ଅଧିକ । ଚଳିତ ବର୍ଷ ଓଡ଼ିଶା ପାଇଁ ୫ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ୫ଟି ନୂଆ ପ୍ରକଳ୍ପର ସର୍ଭେ ପାଇଁ ସବୁଜ ସଙ୍କେତ ମିଳିଛି । ଅଧିକ ଫ୍ଲାଏଓଭର ନିର୍ମାଣ ସହ ଅଣ୍ଡର ବ୍ରିଜ୍ ନିର୍ମାଣକୁ ରେଳବାଇ ଅଗ୍ରାଧିକାର ଦେଇଛି ।
ଅର୍ଥମନ୍ତ୍ରୀ ଗତ ମଧ୍ୟବର୍ତ୍ତୀକାଳୀନ ବଜେଟରେ ଓଡ଼ିଶାକୁ ଯାହା ବରାଦ କରିଥିଲେ ପୂର୍ଣ୍ଣାଙ୍ଗ ବଜେଟରେ ପ୍ରାୟ ସେଇଆ ରହିଛି । ରାଜ୍ୟରେ ରେଳ ଭିତ୍ତିଭୂମି ଓ ଯାତ୍ରୀଙ୍କ ସୁବିଧା ସୁଯୋଗ ପାଇଁ ଅଧିକ ପାଣ୍ଠି ବରାଦ ହୋଇଛି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ହରିଦାସପୁର-ପାରାଦ୍ୱୀପ ରେଳଲାଇନର ୮୨ କିମି ନୂଆ ରେଳପଥ ପାଇଁ ୪୦୦ କୋଟି ବରାଦ ହୋଇଛି । ଗତବର୍ଷ ତୁଳନାରେ ଏ ପ୍ରକଳ୍ପକୁ ମିଳିଛି ଅଧିକ ୨୦୦ କୋଟି । ସେହିଭଳି ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶାକୁ ସଂଯୋଗ କରୁଥିବା ଖୋର୍ଧାରୋଡ-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ୩୫୦ କୋଟିର ପାଣ୍ଠି ମିଳିଛି । ଅନୁଗୁଳ-ସୁକିନ୍ଦା ରେଳପଥକୁ ୨୫୦ କୋଟି, ତାଳଚେର-ବିମଳାଗଡ ରେଳଲାଇନ ପାଇଁ ୧୫୦ କୋଟି ପାଣ୍ଠି ବରାଦ କରାଯାଇଛି । ଏହାଛଡା ରେଳ ଲାଇନ ଦୋହରୀକରଣରେ ମଧ୍ୟ ଅଧିକ ଅର୍ଥ ରାଜ୍ୟକୁ ମିଳିଛି । ଝାରସୁଗୁଡ଼ା-ବରପାଲି ନୂଆ ରେଳ ଲାଇନ୍ ପାଇଁ ୧୪୦୦ କୋଟି ଟଙ୍କା ପାଣ୍ଠି ବରାଦ ହୋଇଛି । ଏହି ପ୍ରକଳ୍ପ ସହଭାଗିତାରେ ନିର୍ମାଣ କରାଯିବ ।
ପୂର୍ବତଟ ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର କୋଚ୍ ଡିପୋରେ ୨ଟି କୋଚ୍ ୱାସିଂ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । କୋଚ୍ ମେଣ୍ଟେନାନ୍ସ ସୁବିଧା ସୁଯୋଗ ପାଇଁ ଜୋନାଲ୍ ରେଲୱେକୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ଦୁର୍ଘଟଣାକୁ ଏଡାଇବା ପାଇଁ ରୋଡ୍ ଓଭର ବ୍ରିଜ୍ ଓ ରୋଡ୍ ଅଣ୍ଡର୍ ବ୍ରିଜ୍ ପ୍ରତିଷ୍ଠା କରିବାକୁ ଗୁରୁତ୍ୱ ଦିଆଯାଇଛି । ବାଘୁଆପାଳରେ ଓଭରବ୍ରିଜ୍ ନିର୍ମାଣ, କୋଚ୍ ମେଣ୍ଟେନାନ୍ସ ପାଇଁ ପାଣ୍ଠି, ବଣ୍ଡମୁଣ୍ଡା ଓ ଅନୁଗୁଳରେ ଇଲେକ୍ଟ୍ରିକ୍ ଲୋକୋସେଡ୍, ମଞ୍ଚେଶ୍ୱର ୱାର୍କସପ୍ରେ ନ୍ୟୁ ହ୍ୱିଲ୍ ଲାଠେ ପାଇଁ ବ୍ୟବସ୍ଥା ହେବ ।
ଭୁବନେଶ୍ୱର-ଖୋର୍ଦ୍ଧାରୋଡ୍ ଗହଳିକୁ ଏଡାଇବାକୁ ରାଜା ଆଠଗଡ଼ରୁ କାଇପଦର ରୋଡ୍ ନୂଆ ରେଳ ଲାଇନ୍ ପାଇଁ ସର୍ଭେ ହେବ । ସେହିପରି ୧୦ଟି ନୂଆ ଫ୍ଲାଏ ଓଭର ବ୍ରିଜ୍ ପ୍ରତିଷ୍ଠା ପାଇଁ ମଧ୍ୟ ସର୍ଭେ କରାଯିବ । ଟିଟିଲାଗଡ଼, ସିଙ୍ଗପୁର ରୋଡ୍, ହରିଦାସପୁର, କୋରାପୁଟ୍, ସମ୍ବଲପୁର, ମାଛପୁର, ଯାଜପୁର ରୋଡ୍, ସମ୍ବଲପୁର ସିଟି, ସର୍ଲା ଓ ଗୋପାଳପୁର ବନ୍ଦର(ପୋର୍ଟ) ନିକଟରେ ନୂଆ ଫ୍ଲାଏ ଓଭର ବ୍ରିଜ୍ ପ୍ରତିଷ୍ଠା ପାଇଁ ସର୍ଭେ ହେବ । ତାଳଚେରରୁ ଅନୁଗୁଳ ଭାୟା କୋଲିୟରି ୧୪ କିଲୋମିଟର୍ କ୍ରଡ୍ ଲାଇନ୍ (ବାଇପାସ୍) ପାଇଁ ମଧ୍ୟ ସର୍ଭେ ହେବ । ଫଳରେ ଇଞ୍ଜିନ୍ ରିଭର୍ସାଲ୍ରୁ ମୁକ୍ତି ମିଳିବ । ଟିଟିଲାଗଡ଼-ରହେନଭଟାରୁ ସିକେର୍ ପର୍ଯ୍ୟନ୍ତ ବାଇପାସ୍ ଏବଂ ମାଲବାହୀ ଟ୍ରେନ୍ଗୁଡିକ ପାଇଁ ହେଉଥିବା ଗହଳିକୁ ଏଡାଇବା ପାଇଁ କଟକରେ ଫ୍ଲାଇ ଓଭର୍ ନିର୍ମାଣ ପାଇଁ ମଧ୍ୟ ସର୍ଭେ କରାଯିବ ।
ରେଳ ଲାଇନ ଦୋହରୀକରଣକୁ ମଧ୍ୟ ବଜେଟରେ ଫୋକସ୍ କରାଯାଇଛି । ଝାରସୁଗୁଡ଼ା-ରେଙ୍ଗାଳି, ସମ୍ବଲପୁର-ତାଳଚେର, ଝାରପଡ଼ା-ବୁଢ଼ାପଙ୍କ (ତୃତୀୟ ଓ ୪ର୍ଥ ଲାଇନ), କୋରାପୁଟ-ସିଙ୍ଗାପୁର, ବାଂଶପାଣି-ଦଇତାରୀ-ଟମକା-ଯଖପୁରା, ଖୋର୍ଦ୍ଧା-ବାରଙ୍ଗ ଆଦି ରେଳ ଲାଇନ ପାଇଁ ଅଧିକ ପାଣ୍ଠି ବରାଦ ହୋଇଛି । ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ୍ ପାଇଁ ୩୫୦ କୋଟି ବରାଦ ହୋଇଛି ।
ଉଲ୍ଲେଖଯୋଗ୍ୟ ଗତ ୫ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୧୯-୨୦ର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଥିଲେ । ଆଜି ପୂର୍ବତଟ ରେଳପଥ ପକ୍ଷରୁ ଓଡ଼ିଶାକୁ କେତେ ପାଣ୍ଠି ମିଳିଛି ସେ ସଂପର୍କରେ ଏ ସୂଚନା ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons