ରେସନ କାର୍ଡ ନାହିଁ, ଛତୁ ବିକିଲେ ଚୂଲି ଜଳୁଛି

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କାଠ, ଝାଟିରେ ଚାଖଣ୍ଡେ ଘର । ବର୍ଷା ପାଣି ଏପଟେ ପଶି ସେପଟେ ପାର ହୋଇଯାଉଛି । ଘର ବାହାରେ ୩ଟି ପଥର ଯୋଡ଼ିରେ ଚୂଲି ଅଛି । ହେଲେ ବର୍ଷା ପାଣି ପଶିଲେ ପୂରା ପରିବାର ଉପାସ । ଏଭଳି ଦୟନୀୟ ସ୍ଥିତିରେ ଜୀବନ କାଟୁଛନ୍ତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ କାଳିଆପାଳ କେନ୍ଦୁବଣିଆ ସାହିର ସିଙ୍କୁ ମୁଣ୍ଡାଙ୍କ ପରିବାର ।
୬ ବର୍ଷର ପୁଅ ତଥା ୪ ଓ ୨ ବର୍ଷର ୨ଟି ଝିଅ ଏବଂ ସ୍ତ୍ରୀ ଜିଙ୍ଗିଙ୍କୁ ନେଇ ସଙ୍କୁଙ୍କ ପରିବାର । ସମ୍ପତ୍ତି କହିଲେ କେବଳ ଘର ବାଡ଼ି ଖଣ୍ଡିକ । ରେସନ କାର୍ଡ ନଥିବାରୁ ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳୁନଥିବାବେଳେ ଚାଷ କିମ୍ବା ଅନ୍ୟ ରୋଜଗାର ପନ୍ଥା ନଥିବାରୁ ଜଙ୍ଗଲ ଉପରେ ନିର୍ଭର କରି ୫ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେଉଛନ୍ତି । ସବୁ ଦିନ ସକାଳୁ ଜଙ୍ଗଲ ଚାଲି ଯାଉଥିବାବେଳେ କାଠ, ପତ୍ର, ଛତୁ ଏବଂ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ଯାହା ପାଆନ୍ତି ସେଇଥିରେ ଗଣ୍ଡେ ଚାଉଳ କିଣୁଛନ୍ତି । ଡାଲି, ଆଳୁ, ତେଲ ତାଙ୍କ ପାଇଁ ସାତ ସପନ । ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡିଏ ମିଳିନଥିବାବେଳେ ପିଲା ଛୁଆଙ୍କ ପେଟ ଚିନ୍ତାରେ ପ୍ରତିଦିନ ସକାଳରୁ ସଞ୍ଜ ହୋଇଯାଉଛି । ଏଭଳିସ୍ଥିତିରେ ନିଜ ଉଦ୍ୟମରେ ଘରଟିଏ ତିଆରି କରିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ।
ସିଙ୍କୁ ୫ ବର୍ଷ ପୂର୍ବରୁ କାଠ, ଝାଟି ପୋତି ଚାଖଣ୍ଡେ ଘର କରିଥିଲେ । ଉପରେ କିଛି କୁଟାକାଠି ପକାଇଥିଲେ । ସେଇଠି ରହୁଛନ୍ତି ପୂରା ପରିବାର । ଏବେ ବର୍ଷା ଲାଗି ରହିଥିବାରୁ ଝାଟି କାଠରେ ତିଆରି କାନ୍ଥ ମଧ୍ୟ ଆଉଜି ପଡ଼ିଲାଣି । ବର୍ଷାରେ ଘରର ମାଟି ଚଟାଣ ଜକଜକ ହୋଇଯାଉଛି । ତେଣୁ ଛୋଟ ଛୋଟ ଛୁଆଙ୍କୁ ଶୁଆଇବା ପାଇଁ ଟିକିଏ ଶୁଖିଲା ଚଟାଣ ଖୋଜିବା ସ୍ତ୍ରୀ ଜିଙ୍ଗି ମୁଣ୍ଡାଙ୍କ ପାଇଁ କଷ୍ଟକର ହୋଇପଡୁଛି । ଚାଳିଆ ଆଗରେ ୨ଖଣ୍ଡ ଛିଣ୍ଡା ଜରି ଟାଣି ୩ ଖଣ୍ଡ ପଥରର ଚୂଲିରେ ଜିଙ୍ଗି ରୋଷେଇ କରୁଥିବାବେଳେ ବର୍ଷା ହେଲେ ଚୂଲିରେ ପାଣି ପଶିଯାଉଛି । ବେଳେ ବେଳେ ଭାତ ଗଣ୍ଡେ ରାନ୍ଧି ନପାରି ଉପାସରେ ରହୁଛନ୍ତି ପୂରା ପରିବାର ।
ଜଙ୍ଗଲ ପାଶ୍ୱର୍ରେ ଘର ହୋଇଥିବାରୁ ଝାଟି କାନ୍ଥର ଫାଙ୍କ ଗୁଡିକରେ ସାପ ଏବଂ ବିଷାକ୍ତ ଜନ୍ତୁ ପଶିଆସିବାର ଆଶଙ୍କା ରହୁଛି । କିନ୍ତୁ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ଭାଗ୍ୟକୁ ଆଦରି ଚାଳିଆରେ ପଡି ରହିଛନ୍ତି ସିଙ୍କୁଙ୍କ ପରିବାର । ଲକ୍ଡାଉନ ସମୟରେ ହୋଟେଲ ଆଦି ବନ୍ଦ ରହିଥିବାରୁ କାଠ ବିକ୍ରି କରିବା ବି କଷ୍ଟକର ହୋଇପଡିଛି । ତେଣୁ ବର୍ତ୍ତମାନ ଜଙ୍ଗଲି ଛତୁ ବିକି ଯାହା ପଇସା ମିଳୁଛି ସେଥିରେ ଗଣ୍ଡେ ଚାଉଳ କିଣି ଚଳୁଛନ୍ତି । ବର୍ଷ ତମାମ ପେଟ ଚିନ୍ତାରେ ଘାରି ହେଉଥିବା ସିଙ୍କୁ ଆଧାର କାର୍ଡ ଖଣ୍ଡେ ମଧ୍ୟ କରି ପାରି ନଥିବାବେଳେ ସବୁ ସରକାରୀ ଯୋଜନା ତାଙ୍କ ପାଇଁ ଅପହଞ୍ଚ ହୋଇଯାଇଛି । ସିଙ୍କୁଙ୍କ ପରିବାର ବିପଦରେ ରହିଥିବାରୁ ଯଥା ଶୀଘ୍ର ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons