ରୋହିତଙ୍କ ଚତୁର୍ଥ ଶତକ: ସେମିରେ ଭାରତ

Get real time updates directly on you device, subscribe now.

ବର୍ମିଂହାମ: ବାଂଲାଦେଶକୁ ହରାଇ ଶେଷରେ ଭାରତ ବିଶ୍ୱକପ୍ର ସେମି ଫାଇନାଲରେ ପ୍ରବେଶ କରିଛି । ୮ଟି ମ୍ୟାଚ୍ରୁ ଦଳ ୧୩ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଲିଗ୍ର ଶେଷ ମ୍ୟାଚ୍ ଭାରତ ଆସନ୍ତା ୬ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଥିଲା ।
ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ ସଂଗ୍ରହ କରିଥିଲା । ରୋହିତ ଶର୍ମା ଚଳିତ ସଂସ୍କରଣରେ ଚତୁର୍ଥ ଶତକ ହାସଲ କରିଥିଲେ । ଜବାବରେ ବାଂଲାଦେଶ ୪୮ ଓଭରରେ ୨୮୬ ରନ୍ରେ ଅଲ୍ ଆଉଟ୍ ହୋଇଥିଲା । ଜଶପ୍ରୀତ ବୁମ୍ରା ୪ଟି ୱିକେଟ୍ ନେଇ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
୩୧୫ ରନ୍ର ବିଜୟ ଟାର୍ଗେଟ୍ ଏତେ ସହଜ ନଥିଲେ ବି ଆଜି ବାଂଲାଦେଶ ଲଢ଼ିଥିଲା । ଓପନର ସୌମ୍ୟ ସରକାର ଓ ତାମିମ ଇକବାଲଙ୍କ ମଧ୍ୟରେ ୩୯ ରନ୍ର ଭାଗିଦାରୀ ଗଢ଼ି ଉଠିଥିଲା । ମହମ୍ମଦ ସାମି ଏହି ଯୋଡ଼ି ଭାଙ୍ଗିବାରେ ସଫଳ ହୋଇଥିଲେ । ତାମିମ (୨୨ ରନ୍) ସେ ପ୍ରଥମ ଶିକାର କରିଥିଲେ । ସୌମ୍ୟ ସରକାର ଓ ସାକିବ ଅଲ ହାସନରେ ଦଳୀୟ ସ୍ଥିତି ଗଢ଼ିବା ନେଇ ପ୍ରୟାସ କରିଥିଲେ । ହେଲେ ସୌମ୍ୟ ୩୩ ରନ୍ ଫେରିଥିଲେ ।
ପରେ ମୁସଫିକର ରହିମ (୨୪), ଲିଟନ ଦାସ (୨୨)ଙ୍କ ସହ ମିଶି ହାସନ ଦଳକୁ ଏକ ଦୃଢ଼ ସ୍ଥିତି ପ୍ରଦାନ କରିବାକୁ ଉଦ୍ୟମ କରିଥିଲେ । ୫୮ ବଲ୍ ଖେଳି ଅର୍ଦ୍ଧଶତକ ପୂରଣ କରିବା ପରେ ସେ ଦ୍ରୁତ ରନ୍ ସଂଗ୍ରହ କରିବାକୁ ଯାଇ ଫେଲ ମାରିଥିଲେ । ସେ ୬୬ ରନ୍ କରିପାରିଥିଲେ ।
ସାକିବ ଆଉଟ୍ ହେବା ପରେ ଭାରତୀୟ ଦଳର ମନୋବଳ ଦୃଢ଼ ହୋଇଥିଲା । ହେଲେ ସବିର ରେହମାନ ଓ ମହମ୍ମଦ ସୈଫଉଦ୍ଦିନ ଯୋଡ଼ି କିନ୍ତୁ ଭାରତୀୟ ବୋଲରଙ୍କ ନିଦ ହଜାଇ ଦେଇଥିଲେ । ସାମିଙ୍କୁ ଏହି ଯୋଡ଼ି ମିଳିତ ଆକ୍ରମଣ କରିଥିଲେ । ଫଳରେ ବାଂଲାଦେଶର ଦଳୀୟ ସ୍କୋର ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଥିଲା । ଶେଷରେ ଜଶପ୍ରୀତ ବୁମରା ଏହି ଯୋଡ଼ି ଭାଙ୍ଗିବାରେ ସଫଳ ହୋଇଥିଲେ । ସବିର ୩୬ ରନ୍ କରି କ୍ଲିନ୍ ବୋଲ୍ଡ ହୋଇ ପାଭିଲିୟନ ଫେରିଯାଇଥିଲେ । ମାତ୍ର ସୈଫଉଦ୍ଦିନ ଦୁର୍ଦ୍ଧର୍ଷ ବ୍ୟାଟିଂ କରି ଦଳକୁ ବିଜୟ ମୁଖୀ କରାଇ ଥିଲେ । ମାତ୍ର ବୁମ୍ରା ତାଙ୍କ ଅନ୍ତିମ ଓଭର ପଞ୍ଚମ ଓ ଷଷ୍ଠ ବଲରେ ରୁବେଲ ହୁସେନ ଓ ମୁସ୍ତାଫିଜୁର ରେହମାନଙ୍କୁ ଆଉଟ୍ କରି ଦଳକୁ ଜିତାଇଥିଲେ । ସୈଫଉଦ୍ଦିନ ୩୮ ବଲରୁ ୫୧ ରନ୍ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ବୁମ୍ରା ୪ଟି, ପାଣ୍ଡ୍ୟା ୩ଟି ଏବଂ ଭୁବନେଶ୍ୱର, ସାମି ଓ ଚହଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ଟସ୍ ଜିତି ଭାରତ ବ୍ୟାଟିଂ କରିଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଭଲ ଆରମ୍ଭ କରିଥିଲେ । ଉଭୟ ବାଂଲାଦେଶ ବୋଲରଙ୍କୁ ଆକ୍ରମଣ କରି ଖେଳିଥିଲେ । ୫ମ ଓଭରରେ ରୋହିତଙ୍କୁ ଏକ ଜୀବନଦାନ ମିଳିଥିଲା । ଯାହାକି ବାଂଲାଦେଶ ପାଇଁ ମହଙ୍ଗା ପଡ଼ିଥିଲା । ପରେ ରୋହିତ ଓ ରାହୁଲ ବାଂଲା ବୋଲରଙ୍କୁ ନିର୍ଧୂମ ପ୍ରହାର କରିଥିଲେ । ରୋହିତ ଚଳିତ ସଂସ୍କରଣରେ ନିଜର ଚତୁର୍ଥ ଶତକ ହାସଲ କରିଥିଲେ । ଓପନିଂ ଯୋଡ଼ିଙ୍କ ମଧ୍ୟରେ ରେକର୍ଡ଼ ୧୮୦ ରନ୍ର ଭାଗିଦାରୀ ଗଠନ ହୋଇଥିଲା । ୩୦ତମ ଓଭରରେ ଏହି ଯୋଡ଼ି ଭାଙ୍ଗିଥିଲେ ସୌମ୍ୟ ସରକାର । ରୋହିତ ୧୦୪ ରନ୍ (୯୨ ବଲ୍, ୭ ଚୌକା, ୫ ଛକା) କରି ପାଭିଲିୟନ ଫେରିଥିଲେ ।
ଅର୍ଦ୍ଧଶତକ ପୂରଣ କରି ଖେଳୁଥିବା ରାହୁଲ ବି ଅଧିକ ସମୟ ତିଷ୍ଠି ପାରି ନଥିଲେ । ସେ ୭୭ ରନ୍ କରି ଫେରିଥିଲେ । ପରେ ଅଧିନାୟକ ବିରାଟ କୋହଲି ଓ ରିଷଭ ପନ୍ତ ଇନିଂସ୍କୁ ଆଗେଇ ନେଇଥିଲେ । ତୃତୀୟ ୱିକେଟ୍ରେ ଉଭୟଙ୍କ ମଧ୍ୟରେ ୪୨ ରନ୍ର ଭାଗିଦାରୀ ଗଠନ ହୋଇଥିଲା । ବ୍ୟକ୍ତିଗତ ୨୬ ରନ୍ କରିବା ପରେ କୋହଲି ଆଉଟ୍ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ଥାନ ପୂରଣ କରିଥିଲେ, ହେଲେ ସେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ ।
୪ ନଂରେ ବ୍ୟାଟିଂ କରିବାକୁ ଆସିଥିବା ରିଷଭ ପନ୍ତ ଓ ଭେଟେରାନ ମହେନ୍ଦ୍ର ସିଂହ ଧୋନି ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିଥିଲେ । ପନ୍ତଙ୍କୁ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ସେ ବଡ଼ ସ୍କୋର କରିପାରି ନଥିଲେ । ଦଳୀୟ ସ୍କୋର ୨୭୭ ବେଳେ ପନ୍ତ ବ୍ୟକ୍ତିଗତ ୪୮ (୪୧ ବଲ୍, ୬ଚୌକା, ୧ଛକା) ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ବାଂଲା ବୋଲର ପ୍ରତ୍ୟାବର୍ତ୍ତନ କରି ବିପର୍ଯ୍ୟୟ ଘଟାଇବା ସହ ରନ୍ ଗତିରେ ଅଙ୍କୁଶ ଲଗାଇଥିଲେ । ଧୋନି ଧିମା ବ୍ୟାଟିଂ କରିଥିଲେ । ତାଙ୍କ ବ୍ୟାଟରୁ ଦର୍ଶକ ଧୂଆଁଧାର ସଟ୍ ଦେଖିବାକୁ ଅନେଇ ବସିଥିଲେ । ମାତ୍ର ଧୋନି ଦର୍ଶକଙ୍କୁ ସନ୍ତୁଷ୍ଟ କରି ପାରି ନଥିଲେ । ବିଶ୍ୱକପ୍ ପଦାର୍ପଣ ମ୍ୟାଚ୍ରେ ଦିନେଶ କାର୍ତ୍ତିକ (୮ରନ୍) ଫେଲ୍ ମାରିଥିଲେ । ଧିମା ବ୍ୟାଟିଂ ଯୋଗୁ ଦଳର ରନ୍ ମନ୍ଥର ହୋଇଯାଇଥିଲା । ବାଂଲାଦେଶ ଆଗରେ ବିଶାଳ ଟାର୍ଗେଟ୍ ଛିଡ଼ା କରିବାରେ ଦଳ ବିଫଳ ହୋଇଥିଲା । ଧୋନି ୩୩ ବଲ୍ ଖେଳି ୩୫ ରନ୍ କରିଥିଲେ । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons