ଲିର୍ଡ୍ସ: ଓପନର ରୋହିତ ଶର୍ମା (୧୦୩) ଓ ଲୋକେଶ ରାହୁଲ (୧୧୧)ଙ୍କ ଶତକୀୟ ଇନିଂସ ସହାୟତାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଅତି ସହଜ ବିଜୟ ହାସଲ କରିଛି । ଆଜି ଦଳ ତା’ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଚମକ୍ରାର ପ୍ରଦର୍ଶନ କରିଥିଲା । ଭାରତ ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲର (୧୫) ଶୀର୍ଷକୁ ଉନ୍ନୀତ ହୋଇଛି । ସେପଟେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମ୍ୟାଚ୍ର ଫଳାଫଳ ଅନୁସାରେ ସେମି ଫାଇନାଲ୍ କ୍ରୀଡ଼ାସୂଚୀ ପ୍ରସ୍ତୁତ ହେବ ।
ଶ୍ରୀଲଙ୍କା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆଞ୍ଜେଲୋ ମାଥ୍ୟୁସଙ୍କ ଶତକ ସହାୟତାରେ ୭ ୱିକେଟ୍ ହରାଇ ୨୬୪ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତ ୪୩.୩ ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଶତକୀୟ ଇନିଂସ ଖେଳିଥିବା ରୋହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଟିମ୍ ଇଣ୍ଡିଆର ଦୁର୍ଦ୍ଧର୍ଷ ଓପନର ରୋହିତ ଚଳିତ ବିଶ୍ୱକପ୍ରେ ନୂଆ କୀର୍ତ୍ତିମାନ ରଚିଛନ୍ତି । ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଗୋଟିଏ ସଂସ୍କରଣରେ ୫ଟି ଶତକ ହାସଲ କରିଛନ୍ତି । ପୁଣି ହ୍ୟାଟ୍ରିକ୍ ସହ (ତୃତୀୟ, ଚତୁର୍ଥ ଓ ପଞ୍ଚମ ଶତକ) ଏହି ରେକର୍ଡ କରିଥିଲେ । ବିଶ୍ୱକପ୍ରେ ସର୍ବାଧିକ ଶତକ ହାସଲ କରିବାରେ ସେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି । ସଚିନଙ୍କ ନାମରେ ୬ଟି ଶତକ ରହିଛି ।
୨୬୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୩.୩ ଓଭରରେ ବିଜୟ ହାସଲ କରିଥିଲା । ରୋହିତ ଓ ରାହୁଲଙ୍କ ମଧ୍ୟରେ ୧୮୯ ରନ୍ର ବିଶାଳ ଭାଗିଦାରୀ ଗଠନ ହୋଇଥିଲା । ୯୪ ବଲ୍ ଖେଳି ରୋହିତ ୧୪ଟି ଚୌକା ଓ ୨ଟି ଛକା ସହାୟତାରେ ୧୦୩ ରନ୍ କରି ଆଉଟ୍ ହୋଇଥିଲେ । ପରେ ରାହୁଲ ମଧ୍ୟ ବିଶ୍ୱକପ୍ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ । ସେ ୧୧୮ ବଲ୍ ଖେଳି ୧୧୧ ରନ୍ (୧୧ ଚୌକା, ୧ ଛକା) କରିଥିଲେ । ରିଷଭ ପନ୍ତ (୪) ବିଫଳ ହେବାପରେ ଶେଷରେ ଅଧିନାୟକ ବିରାଟ କୋହଲି (୩୪) ଓ ହାର୍ଦ୍ଦିକ ପାଣ୍ଡ୍ୟା (୭) ଅପରାଜିତ ରହି ଦଳକୁ ଜିତାଇଥିଲେ ।
ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଜଶପ୍ରୀତ ବୁମ୍ରା ଶ୍ରୀଲଙ୍କାର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ । ଚତୁର୍ଥ ଓଭରରେ ସେ ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ (୧୦ରନ୍) ପାଭିଲିୟନ ପଠାଇଥିଲେ । ଏଥିସହ ସେ ଦିନିକିଆ କ୍ରିକେଟ୍ରେ ୧୦୦ ୱିକେଟ୍ କ୍ଲବ୍ରେ ସାମିଲ ହୋଇଥିଲେ । ପରେ ଅନ୍ୟତମ ଓପନର କୁଶଲ ପେରେରା (୧୮ରନ୍) ବୁମ୍ରାଙ୍କ ଦ୍ୱିତୀୟ ଶିକାର ପାଲଟିଥିଲେ ।
୩ ନଂ ସ୍ଥାନରେ ଖେଳିବାକୁ ଆସିଥିବା ଅଭିସ୍କ ଫର୍ଣ୍ଣାଣ୍ଡୋ ଧିମା ଆରମ୍ଭ କରିଥିବା ବେଳେ କୁଶଲ ମେଣ୍ଡିସ୍ ସଂଘର୍ଷ କରିଥିଲେ । ରବିନ୍ଦ୍ର ଜାଡ଼େଜା ୧୧ତମ ଓଭରରେ ମେଣ୍ଡିସ୍ଙ୍କୁ (୩ରନ୍) ଆଉଟ୍ କରିଥିଲେ । ଫର୍ଣ୍ଣାଣ୍ଡୋଙ୍କୁ ଭଲ ଆରମ୍ଭ ମିଳିଥିଲେ ବି ସେ ବେଶି ସମୟ କ୍ରିଜ୍ରେ ତିଷ୍ଠି ପାରିନଥିଲେ । ସେ ୨୦ ରନ୍ରେ ଆଉଟ୍ ହୋଇ ଯାଇଥିଲେ । ଏକଦା ଶ୍ରୀଲଙ୍କା ୫୫ ରନ୍ରେ ୪ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା ।
ବିପର୍ଯ୍ୟୟ ବେଳେ ମାଥ୍ୟୁସ୍ ଓ ଲାହିରୁ ଥିରିମାନେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିଥିଲେ । ପ୍ରଥମରୁ ଉଭୟେ ସଂଘର୍ଷ କରିଥିଲେ । ପଞ୍ଚମ ୱିକେଟ୍ରେ ଉଭୟଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ଗଠନ ହେବାରୁ ଦଳର ସ୍ଥିତି ସୁଧୁରିଥିଲା । ଶ୍ରୀଲଙ୍କା ସ୍କୋର ୧୭୯ ଥିବାବେଳେ ସ୍ପିନର କୁଲଦୀପ ଯାଦବ ଏହି ଯୋଡ଼ି ଭାଙ୍ଗି ଦଳକୁ ବଡ଼ ସଫଳତା ଦେଇଥିଲେ । ସେଟ୍ ବ୍ୟାଟ୍ସମ୍ୟାନ୍ ଥିରିମାନେ ୫୩ ରନ୍ (୬୮ବଲ୍, ୪ଚୌକା) କରି ଆଉଟ୍ ହୋଇଥିଲେ । ମାଥ୍ୟୁସ୍ ଇନିଂସ୍କୁ ଆଗକୁ ନେଇଥିଲେ ।
ଷଷ୍ଠ ୱିକେଟ୍ରେ ମାଥ୍ୟୁସ୍ ଓ ଧନଞ୍ଜୟ ଡି ସିଲ୍ଭାଙ୍କ ମଧ୍ୟରେ ୭୪ ରନ୍ର ଭାଗିଦାରୀ ହୋଇଥିଲା । ମାଥ୍ୟୁସ ଶତକ ପୂରଣ କରିବା ସହ ଦଳକୁ ଭଲ ସ୍ଥିତି ପ୍ରଦାନ କରିଥିଲେ । ଦଳୀୟ ସ୍କୋର ୨୫୩ ଥିବା ବେଳେ ମାଥ୍ୟୁସ୍ ବ୍ୟକ୍ତିଗତ ୧୧୩ ରନ୍ (୧୨୮ ବଲ୍, ୧୦ ଚୌକା, ୨ ଛକା) କରି ପାଭିଲିୟନ ଫେରିଥିଲେ । ତାଙ୍କୁ ବୁମ୍ରା ଆଉଟ୍ କରିଥିଲେ । ତେବେ ଧନଞ୍ଜୟଙ୍କ ଅପରାଜିତ ୨୯ ରନ୍ ବଳରେ ଶ୍ରୀଲଙ୍କା ୭/୨୬୪ ରନ୍ରେ ପହଞ୍ôଚ ଯାଇଥିଲା । ଭାରତ ପକ୍ଷରୁ ବୁମ୍ରା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଜାଡ଼େଜା ଓ କୁଲଦୀପ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ ମ୍ୟାଚ୍ରେ ପ୍ରଥମେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରି ୩୬ ଓଭର ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୩୨୫ ରନ୍ ସଂଗ୍ରହ କରିଛି । ଅଧିନାୟକ ଫାଫ୍ ଡୁପ୍ଲେସିସ ଶତକୀୟ ଇନିଂସ (୧୦୦) ଖେଳିଥିଲେ ।
Comments are closed, but trackbacks and pingbacks are open.