
ରାୟଗଡ଼ା: ମାଲକାନଗିରି ପରେ ରାୟଗଡ଼ା ଜିଲ୍ଲା । ଡାକଘରେ ଦୁର୍ନୀତି । ମୁନିଗୁଡ଼ା ବ୍ଲକ ବିଜାମଣ୍ଡଳୀ ଶାଖା ଡାକଘରେ ଲକ୍ଷାଧିକ ଟଙ୍କା ହଡ଼ପ । ପୋଷ୍ଟମାଷ୍ଟର ଜିତେନ୍ଦ୍ର ନାୟକ ଟଙ୍କା ଧରି ଫେରାର୍ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାହକ । ଲଗାତାର ଏଭଳି ଅଭିଯୋଗ ପହଞ୍ଚିିବା ପରେ ପୋଷ୍ଟାଲ ଇନ୍ସପେକ୍ଟର କିରଣ ପ୍ରସାଦ ପାତ୍ର ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍ ।
ଜିତେନ୍ଦ୍ର ୨୦୧୬ ଜୁଲାଇ ୧୬ ତାରିଖରୁ ବିଜାମଣ୍ଡଳୀ ଡାକଘରେ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରିଆସୁଛନ୍ତି । ଗତ ସାଢେ଼ ୪ ବର୍ଷ ମଧ୍ୟରେ ଡାକଘରେ ଜମା ହୋଇଥିବା ଗ୍ରାହକଙ୍କ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏବେସୁଦ୍ଧା ୧ ଲକ୍ଷ ୭୮ ହଜାର ୧୭ ଟଙ୍କା ମୁଖ୍ୟ ଡାକଘରେ ଜମା ନକରି ସେ ହଡ଼ପ କରିଥିବା ଜଣାପଡ଼ିଛି । ଏ ସଂପର୍କରେ ମୁଖ୍ୟ ଡାକଘର ପକ୍ଷରୁ ତାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା । ଯୋଗାଯୋଗ ସମ୍ଭବ ନହେବାରୁ ଆଜି ପୋଷ୍ଟାଲ ଇନ୍ସପେକ୍ଟର ବିଜାମଣ୍ଡଳୀସ୍ଥିତ ଡାକ ଘରକୁ ଯାଇ ଅନୁଧ୍ୟାନ କରିଥିଲେ । ଏହାପରେ ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ୩୧/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କେବଳ ଲୋକଙ୍କ ଜମାଟଙ୍କା ନୁହେଁ, ପୋଷ୍ଟମାଷ୍ଟର ବିଭାଗୀୟ ଟଙ୍କା ମଧ୍ୟ ହଡ଼ପ କରିଥିବା ଅଭିଯୋଗ ହୋଇଛି ।
ବିଜାମଣ୍ଡଳୀ ଗ୍ରାମର ରନôାଲୁ କାଡ୍ରାକା ମାସିକ ଏକ ହଜାର ଟଙ୍କା ହିସାବରେ ୫ ବର୍ଷ ପାଇଁ ଆର୍ଡି ଜମା କରିଥିଲେ । ତାଙ୍କ ସମୟ ଅବଧି ଶେଷ ହେବାପରେ ସେ ଟଙ୍କା ଉଠାଇବାକୁ ପୋଷ୍ଟ ଅଫିସକୁ ଯାଇଥିଲେ । ହେଲେ ୬୦ ହଜାର ମୂଳ ସମେତ ସୁଧ ଟଙ୍କାକୁ ପୋଷ୍ଟମାଷ୍ଟର ଶ୍ରୀ ନାୟକ ନିଜେ ଉଠାଇ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ସେହିପରି ସୁନିତା ରନôାଲୁଙ୍କ ୮୦ ହଜାର, ଲକ୍ଷ୍ମଣ ସୁନାନିଙ୍କ ୮୫ ହଜାର ଟଙ୍କା ହଡ଼ପ ହୋଇଥିବା ଆଜି ସେମାନେ ଇନ୍ସପେକ୍ଟରଙ୍କ ନିକଟରେ ଅଭିଯୋଗ କରିଛନ୍ତି । କନକ ସୁନାନୀ ନାମ୍ନୀ ଗ୍ରାହକ ସୁକନ୍ୟା ଯୋଜନାରେ ୫୦ ହଜାର ଏବଂ ୨୪ ହଜାର ଟଙ୍କା ଜମା କରିଛନ୍ତି । ତାହା ସୁରକ୍ଷିତ ଅଛି ନା ନାହିଁ ବୋଲି ଇନ୍ସପେକ୍ଟରଙ୍କୁ ପ୍ରଶ୍ନ କରିଥିଲେ । ସେହି ଅଂଚଳର ୧୦୦ ରୁ ଅଧିକ ଗ୍ରାହକ ଡାକଘରେ ନିଜର ଜମାଖାତା ଖୋଲିଛନ୍ତି । ସେମାନେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଏବେସୁଦ୍ଧା ହାତଗଣତି ଗ୍ରାହକଙ୍କ ଅର୍ଥ ହଡ଼ପ ହୋଇଥିବା ଜଣାପଡ଼ିଥିବା ବେଳେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ସଂଖ୍ୟା ଆହୁରି ବଢ଼ିବ ବୋଲି ସୂଚନା ମିଳିଛି । ପୁଲିସ ପକ୍ଷରୁ ତୁରନ୍ତ ପୋଷ୍ଟମାଷ୍ଟରଙ୍କୁ ଗିରଫ କରାଯାଇ ଟଙ୍କା ଉଦ୍ଧାର ଦିଗରେ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି ।


Comments are closed, but trackbacks and pingbacks are open.