ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ସୋମବାର ବୈକୁଣ୍ଠ ଚତୁର୍ଦ୍ଧଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶ ଅନୁÂିତ ହୋଇଛି । ପ୍ରତୁ୍ୟଷରେ ମହାପ୍ରଭୁଙ୍କ ଅବକାଶ ନୀତି ବଢ଼ିବାପରେ ବେଶ ବଢ଼ିଥିଲା । ଶ୍ରୀଅଙ୍ଗରେ ସୁବର୍ଣ୍ଣ କିିଆ ଡାଳି ଭଳି ଖଞ୍ଜାଯାଇଥିବାରୁ ବେଶର ନାମ ଏଭଳି ହୋଇଛି । ଠାକୁରଙ୍କୁ ଏହି ଦିବ୍ୟ ବେଶରେ ଦର୍ଶନ କରିବାକୁ ଭକ୍ତଙ୍କର ପ୍ରବଳ ଭିଡ଼ ହୋଇଥିଲା ।
ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀମସ୍ତକରେ ଦୁଇଟି ଡାଳି ଚୂଳ ଶୋଭା ପାଉଥିଲା । ଧାଡ଼ି ଧାଡ଼ି ହୋଇ ପୁଷ୍ପ ଅଳଙ୍କାର ଖଞ୍ଜା ଯାଇଥିଲା । ମଝିରେ ସୁବର୍ଣ୍ଣ କିଆ ସବୁ ଖଞ୍ଜା ଯାଇଥିଲା । ସମଗ୍ର ବେଶକୁ ଧରି ରଖିଥିଲା ଶ୍ରୀମୁଖରେ ଲାଗିହୋଇଥିବା ଗୋଟିଏ ଲେଖାଏଁ ବଳା । ଦେବୀ ସୁଭଦ୍ରାଙ୍କ ଶ୍ରୀମସ୍ତକରେ ସୁବର୍ଣ୍ଣ କିରିଟ ଶୋଭା ପାଉଥିଲା ।
ପ୍ରତୁ୍ୟଷରେ ଠାକୁରଙ୍କ ମଙ୍ଗଳାଳତି ବଢ଼ି ଅବକାଶ ସରିଥିଲା । ସକାଳ ୭ଟା୫ ମିନିଟ୍ରେ ଠାକୁରଙ୍କ ବେଶ ଆରମ୍ଭ ହୋଇ ଶେଷ ହୋଇଥିଲା ସକାଳ ସାଢେ ୯ଟାରେ । ପୁଷ୍ପାଳକ ସେବକମାନେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପାଟବସ୍ତ୍ର, ପୁଷ୍ପ ଅଳଙ୍କାର ଓ ସୁବର୍ଣ୍ଣ ଅଳଙ୍କାରରେ ବେଶ କରିଥିଲେ । ଠାକୁରଙ୍କ ଶ୍ରୀଅଙ୍ଗରେ ସୁବର୍ଣ୍ଣ ଶ୍ରୀଭୁଜ, କିରିଟ, ଶ୍ରୀପୟର, କଦମ୍ୱମାଳି, ହରିଡ଼ା ମାଳି, ବାହାଡ଼ାମାଳି, ତାବିଜମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତ୍ରିଶାଖା, ଅଳକା, ଶ୍ରୀମୁଖ ପଦ୍ମ, ରୁପାର ଶଙ୍ଖ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଚିତା, ଘାଘଡାମାଳି, କୁଣ୍ଡଳ, ତଡ଼ଗୀ ଓ ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥିଲା ।
ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁ ପ୍ରଥମେ ଶ୍ରୀନୃସିଂହଙ୍କ ରୂପରେ ପ୍ରତୀୟମାନ ହୋଇଥିଲେ । ବସ୍ତୁତଃ ଶ୍ରୀଜଗନ୍ନାଥ ହିଁ ହେଉଛନ୍ତି ନୃସିଂହ ମହାପ୍ରଭୁ । ଶ୍ରୀନୃସିଂହଙ୍କ ମନ୍ତ୍ରରେ ଦାରୁଦେବତାଙ୍କ ନବକଳେବର ବିଧି ଅନୁÂିତ ହୋଇଥାଏ । ସେହି ବୃତ୍ତାନ୍ତକୁ ମନେ ପକାଇବାକୁ ଯାଇ ଲକ୍ଷ୍ମୀନୃସିଂହଙ୍କ ବେଶ କରାଯାଉଥିବା ଅନେକ ମତ ଦେଇଥାନ୍ତି । ଠାକୁରଙ୍କୁ ଏହି ବେଶରେ ଦର୍ଶନକଲେ ଶ୍ରଦ୍ଧାଳୁଙ୍କ ବୈକୁଣ୍ଠପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ । ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମହାପ୍ରଭୁଙ୍କ ସୁନା ବେଶ ହେବ । ଆଜି ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟି ଠାକୁରଙ୍କ ନୀତି ସଅଳ କରାଯିବା ପାଇଁ ଧାର୍ଯ୍ୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons