
ଛତ୍ରପୁର, (ବି.ବି.ନୁ୍ୟଜ): ମାତ୍ର ୧୫ ମିନିଟ୍ ପାଇଁ ଆସେ ପାଇପ୍ ପାଣି । ଆଗରୁ ଧାଡ଼ିରେ ଥିବ ହାଣ୍ଡି, ମାଠିଆ । ହାଣ୍ଡି, ମାଠିଆର କ୍ରମାଙ୍କକୁ ଧରି ହେବ ଲଟେରୀ । ଲଟେରୀ କ୍ରମ ଅନୁସାରେ ଧାଡ଼ିରେ ଥିବା ମହିଳା ନେବେ ପାଣି । ସେହି ୧୫ ମିନିଟ ଭିତରେ ଯିଏ ପାଇଲା ତାର ଭାଗ୍ୟ । ପୁଣି ପରଦିନକୁ ଅପେକ୍ଷା । ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ଗଞ୍ଜାମ ଜିଲ୍ଲା ସଦର ମହକୁମାର ଛତ୍ରପୁର ସହରର ଘଟଣା । ୱାର୍ଡ- ୩ ଷ୍ଟେସନ୍ ରୋଡ୍ ବାସିନ୍ଦାଙ୍କ ଏହା ହେଉଛି ଜଳ ଯନ୍ତ୍ରଣା । ସାହିରେ ରହୁଛନ୍ତି ୨୦ରୁ ଅଧିକ ପରିବାର । ଏଣୁ ମହିଳାମାନେ ପାଣି ଆସୁ ଆସୁ କିଏ ନେବ ଓ କେତିକି ନେବ ସେ ନେଇ ବାରମ୍ବାର ଝଗଡ଼ା ହେଉଥିଲା । ବାରମ୍ବାର ଅଭିଯୋଗ ସତ୍ତେ୍ୱ ନା ପ୍ରଶାସନ ନା ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପ୍ରତିକାର ପଦକ୍ଷେପ ଗ୍ରହଣ କଲେ ନାହିଁ । ଶେଷକୁ ବାଧ୍ୟ ହୋଇ ଅଞ୍ଚଳବାସୀ ନିଜେ ସମାଧାନର ପନ୍ଥା ବାହାର କଲେ । ଲଟେରୀ ପକାଇଲେ, ଯାହାର ଯେଉଁ ନମ୍ବର ସେହି ଆଧାରରେ ସେମାନେ ପାଣି ନେଲେ । ଯଦି ସ୍ୱଳ୍ପ ଅବଧି ମଧ୍ୟରେ ପାଣି ନମିଳିଲା ତେବେ ନିରାଶ ହେବା ସାର ।
ଷ୍ଟେସନ୍ ରୋଡ୍ରେ ରହୁଥିବା ୧୫ରୁ ୨୦ଟି ପରିବାର ଦୈନିକ ପିଇବା ପାଣି ପାଇଁ ଲଟେରୀ ଉପରେ ନିର୍ଭରଶୀଳ । ଏହି ଦୁଃଖ ବଖାଣିଛନ୍ତି ସେହି ସାହିର ତୁଳସୀ ରେଡ୍ଡୀ, ଏସ୍.ସାବିତ୍ରୀ ରେଡ୍ଡୀ, ସୁଷମା ପାଢୀ, ପି.ମହାଲକ୍ଷ୍ମୀଙ୍କ ସମେତ ଅନେକ ମହିଳା । ସାହିକୁ ଦୈନିକ ପାଇପ୍ ପାଣି ମାତ୍ର ୧୫ ମିନିଟ ପାଇଁ ଆସିଥାଏ । ମହିଳାମାନେ ପାଣିନେବା ପାଇଁ ପାତ୍ର ଆଗୁଆ ରଖିଥାନ୍ତି । କ୍ରମିକ ନମ୍ବର ଅନୁସାରେ ସ୍ଲିପ୍ କରାଯାଇ ସେଥିରୁ ଲଟେରୀ କଢାଯାଏ । ଯାହାର ନମ୍ବର ଏବଂ ନାଁ ପ୍ରଥମେ ବାହାରିବ ସେ ପ୍ରଥମେ ପାଣି ନିଏ ବୋଲି କହିଛନ୍ତି ସାହିର ମହିଳା । ଆହୁରି କଷ୍ଟଦାୟକ କଥା ଯେ- ଯଦି ଉପସ୍ଥିତ ସମସ୍ତ ମହିଳା ଲଟେରୀ ମାଧ୍ୟମରେ ପାଣି ପାଇଲେ ନାହିଁ, ତେବେ ପରଦିନ ସେମାନଙ୍କୁ କୌଣସି ପ୍ରାଥମିକତା ମିଳେନି । ପରଦିନ ପୁଣି ଲଟେରି ହୁଏ ଓ ସେହିକ୍ରମରେ ହିଁ ମହିଳାମାନେ ପାଣି ନିଅନ୍ତି ।
ଏ ସର୍ମ୍ପକରେ ସେମାନେ ପୂର୍ବରୁ ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ସମେତ ‘ପିଠା’ କାର୍ଯ୍ୟକ୍ରମ ସମୟରେ ପ୍ରଶାସନିକ ଅଧିକାରୀମାନଙ୍କୁ ଜଣାଇଥିଲେ । କିନ୍ତୁ ଫଳ ଶୂନ । ତା ପରେ ଏଭଳି ଲଟେରୀ ମାଧ୍ୟମରେ ପାଣି ନେବା ଆରମ୍ଭ ହୋଇଥିବା କହିଛନ୍ତି ସାହି ବାସିନ୍ଦା । ଗୋଟିଏ ପଟେ ଜିଲ୍ଲାର ପ୍ରଶାସନିକ ମୁଖ୍ୟଙ୍କ ସମେତ ଏକାଧିକ ଜିଲ୍ଲାସ୍ତରୀୟ ଅଧିକାରୀ ରହୁଛନ୍ତି । ସୌନ୍ଦର୍ଯ୍ୟକରଣ ନାଁରେ ଏନ୍ଏସି ବହୁ କାମ କରୁଛି । ଅଥଚ ବିଶୁଦ୍ଧ ପାଇପ୍ ଜଳଯୋଗାଣ ଭଳି ମୌଳିକ ସୁବିଧାରୁ ଜିଲ୍ଲା ମୁଖ୍ୟାଳୟ ବାସିନ୍ଦା ବଞ୍ଚିତ ହେବା ଘଟଣା ସାଧାରଣରେ ଏବେ ଚର୍ଚ୍ଚିତ ହୋଇଛି । ପୋଖରୀ ଓ ରାସ୍ତା ସୌନ୍ଦର୍ଯ୍ୟ ହେଲେ କଣ ହେବ, ଲୋକଙ୍କୁ ପିଇବା ପାଣି ତ ମିଳୁନି ବୋଲି କେତେକ ସମାଲୋଚନା ମଧ୍ୟ କରୁଛନ୍ତି ।
ଏ ନେଇ ଏସ୍ଡିଓ (ପିଏଚ୍ଡି) ଡମ୍ବରୁଧର ନାୟକ କହିଛନ୍ତି ଯେ- ସେଠାରେ ମୁଖ୍ୟ ତଥା ବଡ ପାଇପ୍ ଲାଇନ୍ ସଂଯୋଗ ହୋଇନି । କେବଳ ଗୋଟିଏ ଷ୍ଟାଣ୍ଡ୍ ପୋଷ୍ଟ ପାଇଁ ଛୋଟିଆ ପାଇପ୍ ଲାଇନ୍ ଦିଆଯାଇ ଥିଲା । ବଡ ପାଇପ୍ଲାଇନ୍ ପାଇଁ ଅର୍ଥ ମଞ୍ଜୁର ହୋଇସାରିଛି । ଶୀଘ୍ର ଟେଣ୍ଡର୍ ପ୍ରକ୍ରିୟା ସମ୍ପନ୍ନ ହେବ । ତେବେ ସମସ୍ୟା ଏତେ ଉକ୍ରଟ ଥିବା ଓ ଲଟେରୀ ମାଧ୍ୟମରେ ପାଣି ନେଉଥିବା ଆମକୁ ଜଣାଇନାହାନ୍ତି । ନଚେତ୍ ଆମେ ସେଠାକୁ ଟ୍ୟାଙ୍କର୍ ଯୋଗେ ପାଣି ଯୋଗାଇଥାନ୍ତୁ ।
Comments are closed, but trackbacks and pingbacks are open.