ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ ଓ ଚୀନ୍ ଉଭୟ ପ୍ରାୟ ବର୍ଷେ ହେଲା ବିପୁଳ ସୈନିକ ଓ ଯୁଦ୍ଧାସ୍ତ୍ର ମୁତୟନ କରିଥିଲାବେଳେ ନିକଟରେ ଚୀନ୍ ବାୟୁସେନା ସେଠାରେ ଏକ ବଡ଼ଧରଣର ଯୁଦ୍ଧାଭ୍ୟାସ କରିଛି । ବାସ୍ତବ ନିୟନ୍ତ୍ରଣ ରେଖାର ଚୀନ୍ ପାଶ୍ୱର୍ରେ ଥିବା ହୋତାନ, ଗର ଗୁନସା ଏବଂ କାସଗର ବିମାନଘାଟିରୁ ତା’ର ଯୁଦ୍ଧବିମାନଗୁଡିକ ଆକାଶକୁ ଉଠିଥିଲେ ଏବଂ ଏଭଳି ସମରାଭ୍ୟାସ କରିଥିଲେ । ଏହି ଯୁଦ୍ଧାଭ୍ୟାସରେ ୨୧ରୁ୨୨ଟି ଜେ-୧୧ ଏବଂ ଜେ-୧୬ ଯୁଦ୍ଧବିମାନ ଭାଗ ନେଇଥିଲେ ।
କିନ୍ତୁ ଚୀନ୍ର ବିମାନଗୁଡିକ ଅଭ୍ୟାସ କରିବା ସମୟରେ ଭାରତ ସଂଲଗ୍ନ ସୀମା ନିକଟକୁ ଆସିନଥିଲେ । ଯେଉଁ ବାୟୁସେନା ଘାଟିଗୁଡିକର ବିମାନ ଏଥିରେ ଅଂଶ୍ରଗ୍ରହଣ କରିଥିଲେ, ଚୀନ୍ ଗତ କିଛି ମାସ ଭିତରେ ସେଗୁଡିକର ଆଧୁନିକୀକରଣ କରିଛି । ସେଠାରେ ସମସ୍ତ ପ୍ରକାର ପାଣିପାଗରେ ଯେପରି ଯୁଦ୍ଧବିମାନ ସଂଚାଳିତ ହୋଇପାରିବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ସେଠାରେ ନିୟୋଜିତ ଯୁଦ୍ଧବିମାନଗୁଡିକୁ ଲୁଚାଇବା ପାଇଁ ସ୍ୱତନ୍ତ୍ର ସଂରଚନା ତିଆରି କରାଯାଇଛି ।
ଚୀନର ଏହି ଯୁଦ୍ଧାଭ୍ୟାସ ଉପରେ ଭାରତୀୟ ବାୟୁସେନା ତୀକ୍ଷ୍ଣ ନଜର ରଖିଥିଲା । ଭାରତୀୟ ବାୟୁସେନା ମଧ୍ୟ ଚୀନ୍ ସଂଲଗ୍ନ ସୀମା ନିକଟରେ ରାଫେଲ ସମେତ ଅନ୍ୟାନ୍ୟ ଯୁଦ୍ଧବିମାନ ଉଡାଇଛି । ଗତ ବର୍ଷ ଏପ୍ରିଲ-ମେ’ରୁ ଦୁଇ ଦେଶ ଲଦାଖ ସୀମା ନିକଟରେ ପ୍ରାୟ ୫୦,୦୦୦ ସୈନିକ ମୁତୟନ କରିଛନ୍ତି । ଦୁଇ ଦେଶ ସେଠାରେ ନିଜ ନିଜର ବାୟୁସେନାକୁ ବି ସଜାଗ ରଖିଛନ୍ତି ।


Comments are closed, but trackbacks and pingbacks are open.