କୋରାପୁଟ,(ବି.ବି.ନୁ୍ୟଜ୍): ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ଦଶମନ୍ତପୁର ବ୍ଲକ ମୁଜାଙ୍ଗ ସରପଞ୍ଚ ରଇଲା ମାଝି । ଏକ ପୋଖରୀ ଖୋଳା କାର୍ଯ୍ୟାଦେଶ କରାଇ ଦେବାକୁ ଜଣେ ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଜଣାପଡିଛି । ରଇଲାଙ୍କଠାରୁ କେମିକାଲ ବୋଳା ଟଙ୍କା ଜବତ କରାଯାଇଛି ।
ଭିଜିଲାନ୍ସ ଡିଏସ୍ପି ଏସ.ଏନ ପାଣିଗ୍ରାହୀ କହିଛନ୍ତି, କୋରାପୁଟ ସଦର ଥାନା ବକଡ଼ାଗୁଡ଼ା ଗାଁର ଠିକାଦାର ଗଙ୍ଗାଧର ସାଉନ୍ତାଙ୍କ ନାମରେ ଏକ ପୋଖରୀ ଖୋଳା କାର୍ଯ୍ୟାଦେଶ କରାଇ ଦେବାକୁ ରଇଲା ୩୦ ହଜାର ଟଙ୍କା ଦାବି କରିଥିଲେ । ପୋଖରୀ ଖୋଳା କାର୍ଯ୍ୟାଦେଶ ମୂଲ୍ୟ ୧୦ ଲକ୍ଷ ଟଙ୍କା ଥିଲା । ଏଥିରେ ସମ୍ପୃକ୍ତ ଠିକାଦାର ପ୍ରଥମେ ୨୦ ହଜାର ଟଙ୍କା ଏବଂ ପରେ ୧୦ ହଜାର ଟଙ୍କା ଦେବା ପାଇଁ କହିଥିଲେ । ପରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ବିଭାଗର ଯୋଜନା ମୁତାବକ ଶନିବାର ମଙ୍ଗାଧର ଟଙ୍କା ଦେବାକୁ ଆସିଥିଲେ । ଭେଜାପୁଟସ୍ଥିତ ସରପଞ୍ଚଙ୍କ ଭଡ଼ାଘରେ ଲାଞ୍ଚ ଟଙ୍କା ଦିଆନିଆ ଚାଲିଥିଲା । ଏହି ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଡିଏସପି ଶ୍ରୀ ପାଣିଗ୍ରାହୀ, ଇନ୍ସପେକ୍ଟର ସୂର୍ଯ୍ୟମଣି ଟାକ୍ରି ଏବଂ ଶିବରାମ ସାହୁ ପହଞ୍ଚି ସରପଞ୍ଚଙ୍କଠାରୁ ଟଙ୍କା ଜବତ କରିଥିଲେ । ପରେ ଘଟଣାର ଅଧିକ ତଦନ୍ତ ପାଇଁ ଜୟପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ସରପଞ୍ଚଙ୍କୁ ନିଆଯାଇଥିଲା । ଆଲୋଚନା ପରେ ସରପଞ୍ଚଙ୍କୁ ଗିରଫ କରାଯାଇ କୋର୍ଟଚାଲଣ କରାଯାଇଥିଲା । ବେଲ୍ ନାମଞ୍ଜୁର ହେବାରୁ ତାଙ୍କୁ ଜୟପୁର ଉପକାରାଗାରକୁ ପଠାଇ ଦିଆଯାଇଛି ।
Comments are closed, but trackbacks and pingbacks are open.