ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରୀ ଏକ ମାମଲାର ରଫାଦଫା ପାଇଁ ୧୦ ହଜାର ଲାଞ୍ଚ ନେବା ସମୟରେ ଭିଜଲାନ୍ସ ହାତରେ ଧର ପଡିଛନ୍ତି । ଆନନ୍ଦପୁର ବ୍ଲକ୍ ଶିକ୍ଷା ସର୍କଲ ଅଧୀନ ପଣସଡିହା ୟୁଜିୟୁପି ସ୍କୁଲ୍ ପ୍ରଧାନ ଶିକ୍ଷକ ସୋମନାଥ ରାମଙ୍କ ନାମରେ ଗତ ୨୬ ତାରିଖରେ ସ୍କୁଲ୍ରେ ଅନୁପସ୍ଥିତ ଥିବା ନେଇ ଏକ ବିଭାଗୀୟ ତଦନ୍ତ ହୋଇଥିଲା । ଏହି ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲା । ପରେ ମୂଲଚାଲ ହୋଇ ୧୦ ହଜାର ଟଙ୍କା ଲାଞ୍ଚ ସ୍ଥିର ହୋଇଥିଲା । ଏହି ଘଟଣାର ଅଭିଯୋଗ ବାଲେଶ୍ୱର ଭିଜିଲାନ୍ସ ବିଭାଗ ନିକଟରେ ହୋଇଥିଲା । ଏହିକ୍ରମରେ ଶିକ୍ଷକ ସୋମନାଥ ରାମ ବୁଧବାର ଏବିଇଓ ଅଭିମନୁ୍ୟ ସାହୁଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ । ଯାହାକୁ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଧରିଥିଲା । ଲାଞ୍ଚ ଟଙ୍କା ଏବିଇଓଙ୍କ ପକେଟ୍ରୁ ଜବତ କରାଯାଇଥିଲା । ବାଲେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ କେସ୍ ନଂ ୧୧/୨୦୨୧ ରେ ମାମଲା ରୁଜୁ କରାଯାଇ ଏବିଇଓଙ୍କୁ ଗିରଫ କରାଯିବା ସହିତ ଘଟଣାର ତଦନ୍ତ କରାଯାଉଥିବା ବାଲେଶ୍ୱର ଭିଜିଲାନସ୍ ବିଭାଗ ଅତିରିକ୍ତ ଏସପି ପରମେଶ୍ୱର କିସାନ୍ ସୂଚନା ଦେଇଛନ୍ତି । ଭିଜିଲାନ୍ସ ବିଭାଗର ଏକ ଟିମ୍ ପକ୍ଷରୁ ଉଭୟ କାର୍ଯ୍ୟାଳୟ ଏବଂ ତାଙ୍କ ଘସିପୁରା ବ୍ଲକ୍ କଇନିପୁରାସ୍ଥିତ ବାସଭବନରେ ଚଢଉ କରାଯାଇଛି । ବାଲେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ଡିଏସ୍ପି ଏସ. ହେମ୍ବ୍ରମ, ସନ୍ତୋଷ କୁମାର ସାମାନ୍ତରାୟଙ୍କ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ଆନନ୍ଦପୁର ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଘଟଣାର ତଦନ୍ତ କରିଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.