ସୋନପୁର,(ବି.ବି.ନୁ୍ୟଜ): ତହସିଲଦାରଙ୍କ କ୍ଷମତା କାହିଁରେ କ’ଣ? ମାଜିଷ୍ଟେ୍ରଟ କ୍ଷମତା ଠାରୁ ଆରମ୍ଭ କରି ରାଜସ୍ୱ କ୍ଷମତା ଯାଏ ତାଙ୍କ ପାଖରେ ସବୁ ରହିଛି । ପୁଣି ସରକାରୀ ବାସଭବନ ଓ ମାସକୁ ମୋଟା ଅଙ୍କର ଦରମା । ଏତେ ସବୁ କ୍ଷମତା, ବ୍ୟବସ୍ଥା ଓ ଅର୍ଥ ଥିବା ସତ୍ତେ୍ୱ ମାତ୍ର ୨୦ ହଜାର ଟଙ୍କା ପାଇଁ ହରଡ ଘଣାରେ ପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର । ଜମି ରେଜିଷ୍ଟ୍ରି ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ମିଳିଥିବା ସୂଚନାନୁଯାୟୀ ତରଭା ତହସିଲଦାର ସୁବ୍ରତ କୁମାର ବେହେରା ଜମି ରେଜିଷ୍ଟ୍ରି ପାଇଁ ଘାଟକଇଁତରା ଗାଁର ଓକିଲ କାହ୍ନୁଚରଣ ଦାଶଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ଓକିଲ ଶ୍ରୀ ଦାଶ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ରାତି ପ୍ରାୟ ସାଢେ ୮ଟାରେ ତହସିଲଦାର ଶ୍ରୀ ବେହେରା ସରକାରୀ ବାସଭବନରେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ପରେ ତହସିଲଦାରଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ପଚାରାଉଚରା ଜାରି ରହିଛି । ଚଢ଼ଉରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀ, ଇନ୍ସପେକ୍ଟର ସଦାନନ୍ଦ ପାଣି, ସୋନପୁର ଇନ୍ସପେକ୍ଟର ତୁଷାର କୁମାର ମହାପାତ୍ର, ମାନସୀ ଜେନା ସମେତ ଅନ୍ୟମାନେ ସାମିଲ ଥିଲେ ।
Comments are closed, but trackbacks and pingbacks are open.