ଲାଞ୍ଜିଗଡ଼,(ବି.ବି.ନ୍ୟୁଜ୍): ଗୋଟିଏ ଦିନରେ ଦୁଇ ଦୁଇଟି ମୁଣ୍ଡ ନେଇ ଲାଞ୍ଜିଗଡ଼ ଅଞ୍ଚଳରେ ଆତଙ୍କ ଖେଳାଇବା ପରେ ଆଜି ଲାଲ୍ବାହିନୀ ଏଠାକାର ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରି କରିଛି । ଲାଞ୍ଜି, ମୁଷାନାଳର ଛକ ତଥା ଆଖପାଖ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି । ହାତଲେଖା ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ମାଓବାଦୀଙ୍କୁ ସମର୍ଥନ ଯୋଗାଇ ଦେଉଥିବା ଲୋକଙ୍କୁ ଏଥର ନିସ୍ତାର ନାହିଁ । ସେମାନଙ୍କୁ ଜନସମାଜରେ ମୃତ୍ୟୁଦଣ୍ଡ ଦିଆଯିବ । ନଚେତ୍ ସର୍ବ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯିବ ।
ଗତକାଲି ଭୀମ ଦୋରାଙ୍କ ଶବ ନିକଟରେ ଏକ ହାତଲେଖା କାଗଜ ମିଳିଥିବାବେଳେ ଆଜି ଅନେକ ହାତଲେଖା ପୋଷ୍ଟର ଜାରି କରି ଭୀମ ଦୋରାଙ୍କ ହତ୍ୟାକୁ ନେଇ ଲାଲ୍ବାହିନୀ ନିଜ ମତ ରଖିଛି । ଏହାସହ ପୁଲିସ ଇନ୍ଫର୍ମର କାମ କରୁଥିବା ଲୋକଙ୍କୁ ଚେତାବନୀ ଦେଇଛି ମାଓ ସଂଗଠନ । ପାହାଡ଼ପଦର ବଜାର ରାଜେନ୍ଦ୍ର ସାହୁଙ୍କ ହତ୍ୟାରେ ମାଓବାଦୀଙ୍କ ରାୟଗଡା ଏରିଆ କମିଟି ସଂପୃକ୍ତ ରହିଛି । ବାବୁପଦର ଭୀମ ଦୋରାଙ୍କ ହତ୍ୟା ଘଟଣାରେ କଳାହାଣ୍ଡି ଏରିଆ କମିଟି ସଂପୃକ୍ତ ଥିବା ମିଳିଥିବା ପୋଷ୍ଟର ଦର୍ଶାଉଛି । ପୂର୍ବରୁ ମାଓବାଦୀଙ୍କ ବଂଶଧାରା ଘୁମୁସର ନାଗାବଳି ଡିଭିଜନ ଏସବୁ କାଣ୍ଡ ଘଟାଉଥିବାବେଳେ ଏଥର ରାୟଗଡ଼ା ଓ କଳାହାଣ୍ଡି ଏରିଆ କମିଟି ନାମରେ ଜାରି ପୋଷ୍ଟର ଦ୍ୱାରା ମାଓ ସଂଗଠନ ବିଭକ୍ତ ହୋଇଥିବା ଜଣାପଡିଛି ।
ଏ ସମ୍ପର୍କରେ ପୁଲିସର ଉଚ୍ଚସ୍ତରୀୟ ଟିମ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏହାସହ ବ୍ଲକର ବିଜେପୁର, ତ୍ରିଲୋଚନପୁର ଓ ସିକେରକୁପାଠାରେ ନିୟୋଜିତ ସିଆର୍ପିଏଫ୍ କ୍ୟାମ୍ପ୍ ପକ୍ଷରୁ ଏସବୁ ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବାବେଳେ ଡିଆଇଜି ଶ୍ରୀ ଲାଲଙ୍କ ଗସ୍ତ ଓ ସମୀକ୍ଷା ପରେ ଖୁବ୍ଶୀଘ୍ର ମାଓବାଦୀଙ୍କ ବିରୋଧରେ ଏକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି ।
Comments are closed, but trackbacks and pingbacks are open.